ସରକାରଙ୍କ ଦାବି ମାନିବନି ହ୍ଵାଟ୍‌ସଆପ୍‌, ମେସେଜ୍‌ର ମୂଳ ଉତ୍ସ ଗୋପନ ରହିବ

ନୂଆଦିଲ୍ଲୀ: ମେସେଜ୍‌ର ମୂଳ ଉତ୍ସ ଗୋପନ ରହିବ। କୌଣସିମତେ ଏହାକୁ ଆକ୍ସେସ୍‌ କରାଯାଇ ପାରିବ ନାହିଁ। ଦେଶରେ ବହୁଳ ବ୍ୟବହାରକାରୀ ମେସେଞ୍ଜର ଆପ୍ଲିକେସନ୍‌ ହ୍ଵାଟ୍‌ସଆପ୍‌ ପକ୍ଷରୁ ସରକାରଙ୍କୁ ଏଭଳି କୁହାଯାଇଛି। ହ୍ଵାଟ୍‌ସଆପ୍‌ ଦର୍ଶାଇଛି ଯେ ସରକାରଙ୍କ ସମସ୍ତ ଦାବି ପୂରଣ କରି ତଦନୁଯାୟୀ ସଂସ୍ଥା ପଦକ୍ଷେପ ନେଇପାରିବ। ସେହି ମୁତାବକ ଆପ୍ଲିକେସନ୍‌କୁ ସଜାଡ଼ିପାରିବ। କିନ୍ତୁ ଗୋଟିଏ ପ୍ରମୁଖ ଦାବି ପୂରଣ ହୋଇପାରିବ ନାହିଁ। ମେସେଜ୍‌ଗୁଡ଼ିକର ମୂଳ ଉତ୍ସ ବା ପ୍ରଥମେ କେଉଁ ବ୍ୟବହାରକାରୀଙ୍କଠୁ ନିର୍ଦ୍ଦିଷ୍ଟ ମେସେଜ୍‌ ଆସୁଛି, ତାହା ଜାଣିବା ଲାଗି ନୂଆ ବୈଶିଷ୍ଟ ଯୋଗ କରାଯାଇ ପାରିବ ନାହିଁ। ବ୍ୟବହାରକାରୀଙ୍କ ଡାଟାକୁ ସବୁୁ ଦିଗରୁ ଏନ୍‌କ୍ରିପ୍ଟ କରାଯାଇଛି। କମ୍ପାନି ମଧ୍ୟ ଏହି ମେସେଜ୍‌ଗୁଡ଼ିକୁ ଠାବ କରିପାରିବ ନାହିଁ ବା ଏହାକୁ କୋଡ୍‌ରେ ବଦଳାଇ ପାରିବ ନାହିଁ। ବ୍ୟବହାରକାରୀଙ୍କ ଗୋପନୀୟତାକୁ ସୁରକ୍ଷିତ ରଖିବା କମ୍ପାନିର ଦାୟିତ୍ୱ। ତେଣୁ ଏହାକୁ ଛାଡ଼ି ବାକି ସମସ୍ତ ଦାବି ପୂରଣ ହୋଇପାରିବ ବୋଲି ହ୍ଵାଟ୍‌ସଆପ୍‌ କହିଛି। ଉଲ୍ଲେଖଯୋଗ୍ୟ, ହ୍ଵାଟ୍‌ସଆପ୍‌ ଜରିଆରେ ବିଭିନ୍ନ ଗୁଜବର ପ୍ରସାରଣ ଯୋଗୁ ଦେଶରେ ଭିଡ଼ ହିଂସା ବୃଦ୍ଧି ପାଇଥିବା କୁହାଯାଉଛି। ଏଥିପାଇଁ ଏହି ମେସେଞ୍ଜର ଆପ୍ଲିକେସନ୍‌କୁ ସୁପ୍ରିମ୍‌କୋର୍ଟ ତୀବ୍ର ଭର୍ତ୍ସନା କରିବା ସହିତ ଏହା ଉପରେ ଅଙ୍କୁଶ ଲଗାଇବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର