ହ୍ଵାଟ୍‌ସ୍‌ଆପ୍‌-ସରକାର ମୁହାଁମୁହିଁ ସରକାରଙ୍କର ବି ଦାୟିତ୍ୱ ରହିଛି

ନୂଆଦିଲ୍ଲୀ: ‘ହ୍ଵାଟ୍‌୍‌ସଆପ୍‌’ ମାଧ୍ୟମରେ ପିଲାଚୋରି ଗୁଜବ ଏବଂ ଏହାକୁ ନେଇ ବଢ଼ୁଥିବା ହିଂସାକାଣ୍ଡ ନେଇ କେନ୍ଦ୍ର ସରକାର ଏବଂ ହ୍ଵାଟ୍‌୍‌ସଆପ୍‌ ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଗତକାଲି ସରକାର ହ୍ଵାଟ୍ସଆପ୍‌କୁ ଏ ବାବଦରେ ଚେତାବନୀ ଦେଇଥିବା ବେଳେ ଆଜି କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ମିଛ ମେସେଜ୍‌ ରୋକିବା କୌଣସି ରକେଟ୍‌ ବିଜ୍ଞାନ ନୁହେଁ। କୌଣସି ନିର୍ଦ୍ଦିଷ୍ଟ ଅଂଚଳରେ ନିର୍ଦ୍ଦିଷ୍ଟ ମେସେଜ୍‌କୁ କମ୍ପାନି ରୋକିପାରିବ ଏବଂ ଏଥିପାଇଁ ଜରୁରୀ ପଦକ୍ଷେପ ନେବାକୁ ବାଧ୍ୟ ବୋଲି ରବିଶଙ୍କର କହିଛନ୍ତି। ଆତଙ୍କ ଓ ହିଂସା ସୃଷ୍ଟିକାରୀ ବାର୍ତ୍ତାର ପ୍ରସାରକୁ ରୋକିବା ପାଇଁ ତତ୍କାଳ ପଦକ୍ଷେପ ନିଆଗଲେ ବଡ଼ ଧରଣର ଅନର୍ଥକୁ ରୋକିହେବ ବୋଲି ସରକାର ହ୍ଵାଟ୍‌ସଆପ୍‌କୁ ରୋକଠୋକ ଶୁଣାଇ ଦେଇଛନ୍ତି।

ଅନ୍ୟପକ୍ଷରେ ସରକାର ଆଇଟି ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶନାମା ନେଇ ଆଜି ଉତ୍ତର ରଖି ହ୍ଵାଟ୍ସଆପ୍‌ କହିଛି ଯେ ଏଭଳି ହିଂସାକାଣ୍ଡ ଖୁବ୍‌ ଭୟଙ୍କର। ଏଭଳି ଘୃଣ୍ୟ ମେସେଜ୍‌ ଦ୍ୱାରା ମେସେଜିଙ୍ଗ ପ୍ଲାଟଫର୍ମର ଅପବ୍ୟବହାର ହେବାକୁ ଦିଆଯିବ ନାହିଁ। ଏହା ରୋକିବାପାଇଁ କମ୍ପାନି ଦ୍ୱାରା ଆବଶ୍ୟକ ପଦକ୍ଷେପ ନିଆ ସରିଛି। ତେବେ ମିଥ୍ୟା ଖବର ଓ ଅପପ୍ରଚାରକୁ ରୋକିବା ଉଭୟ ସରକାର, ସମାଜ ଏବଂ ବୈଷୟିକ କମ୍ପାନିଗୁଡ଼ିକର ଦାୟିତ୍ୱ। ସରକାର ଏ ଦିଗରେ ଜନସଚେତନତା ସୃଷ୍ଟି ପାଇଁ ମଧ୍ୟ ପଦକ୍ଷେପ ନେବାକୁ ହେବ ବୋଲି ହ୍ଵାଟ୍ସଆପ୍‌ କହିଛି। ଲୋକଙ୍କ ସୁରକ୍ଷା ଦିଗକୁ ଧ୍ୟାନରେ ରଖି ଆମର ଆପ୍‌ ଡିଜାଇନ୍‌ ହୋଇଛି ବୋଲି ହ୍ଵାଟ୍‌ସଆପ୍‌ ଆଇଟି ମନ୍ତ୍ରାଳୟକୁ ନିଜ ଜବାବରେ କହିଛି। ତେବେ କମ୍ପାନି ଏଭଳି ହିଂସାକାଣ୍ଡ ରୋକିବାପାଇଁ ଦୁଇଟି ଉପାୟ ଚୟନ କରିଛି। ପ୍ରଥମଟି ଲୋକମାନଙ୍କୁ ସୁରକ୍ଷିତ ରହିବାପାଇଁ ଆବଶ୍ୟକ ସୂଚନା ଦେବା ଏବଂ ହ୍ଵାଟ୍ସଆପ୍‌ର ଅପବ୍ୟବହାର କମାଇବାପାଇଁ ସକ୍ରିୟ ଭାବେ କାର୍ଯ୍ୟ କରିବା। ତଦନ୍ତକାରୀ ସଂସ୍ଥା ସହିତ ବିଭିନ୍ନ ଅପରାଧିକ ମାମଲାର ତଦନ୍ତରେ ସାହାଯ୍ୟ କରିବାପାଇଁ ମଧ୍ୟ ହ୍ଵାଟ୍‌୍‌ସଆପ୍‌ ସହଯୋଗ କରିବ ବୋଲି କୁହାଯାଇଛି। ଏନେଇ ଆଇନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ ବୋଲି ହ୍ଵାଟ୍ସଆପ୍‌ ପକ୍ଷରୁ କୁହାଯାଇଛି। ତେବେ କେନ୍ଦ୍ର ସରକାର କହିଛନ୍ତି ଯେ ମିଛ ମେସେଜ୍‌ ରୋକିବା ପାଇଁ ହ୍ଵାଟ୍‌୍‌ସଆପ୍‌କୁ ନିଜଆଡ଼ୁ ତତ୍କାଳ ପଦକ୍ଷେପ ନେବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ ଗତ କିଛିଦିନ ଧରି ହ୍ଵାଟ୍‌୍‌ସଆପ୍‌ରେ ପିଲାଚୋରି ଗୁଜବ ହେତୁ ଦେଶରେ ମୋଟ୍‌ ୨୭ଟି ହତ୍ୟାକାଣ୍ଡ ହୋଇଛି। ଗତ ରବିବାର ଦିନ ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ପିଲାଚୋର ସନ୍ଦେହରେ ୫ ଜଣ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର