ଭାରତରେ ମେସେଜ୍‌ ଫର୍‌ଓ୍ଵାର୍ଡକୁ ୫ ମଧ୍ୟରେ ସୀମିତ ରଖିବ ହ୍ଵାଟ୍‌ସ୍‌ଆପ୍‌

ନୂଆଦିଲ୍ଲୀ: ଭାରତରେ ଗୁଜବ ଓ ବିଭ୍ରାନ୍ତିକର ଖବର ପ୍ରସାରଣକୁ ରୋକିବା ନିମନ୍ତେ ହ୍ଵାଟ୍‌ସ୍‌ଆପ୍‌ ଜରିଆରେ ମେସେଜ୍‌, ଇମେଜ୍‌ ଓ ଭିଡିଓର ଗଣ ପ୍ରସାରଣ ଉପରେ କଟକଣା ଲଗାଇଛି।

ଶୁକ୍ରବାର ଦିନ ଏକ ବିବୃତିରେ ହ୍ଵାଟ୍‌ସ୍‌ଆପ୍‌ କହିଛି ଯେ ହ୍ଵାଟ୍‌ସ୍‌ଆପ୍‌ ଫର୍‌ଓ୍ଵାର୍ଡିଙ୍ଗ୍‌କୁ ସୀମିତ କରିବାକୁ ଏକ ପରୀକ୍ଷାମୂଳକ କଟକଣା ଆରମ୍ଭ କରିଛି। ବିଶ୍ୱର ଅନ୍ୟ ଯେ କୌଣସି ଦେଶ ଅପେକ୍ଷା ଭାରତରେ ଲୋକେ ଅଧିକ ମେସେଜ୍‌, ଫଟୋ ଓ ଭିଡିଓ ପଠାଉଛନ୍ତି। ଆମେ ଥରକେ ୫ଟି ଚାଟ୍‌ ଫର୍‌ଓ୍ଵାର୍ଡ ପାଇଁ ଅନୁମତି ଦେବୁ। ମିଡିଆ ମେସେଜ୍‌ ପାର୍ଶ୍ୱରେ ଥିବା କୁଇକ୍‌ ଫର୍‌ଓ୍ଵାର୍ଡ ବଟନ୍‌କୁ ଉଠାଇ ଦେବୁ।

ଅଳ୍ପ କିଛି ବର୍ଷ ତଳେ ଥରକେ ଏକାଧିକ ଚାଟ୍‌କୁ ମେସେଜ୍‌ ପ୍ରେରଣ କରିବା ନିମନ୍ତେ ଲୋକମାନଙ୍କୁ ସୁବିଧା ଦେବା ପାଇଁ ଫେସ୍‌ବୁକ୍‌ ଏକ ଫିଚର୍‌ ଯୋଗ କରିଥିଲା।

କେଉଁ ମେସେଜ୍‌ଗୁଡ଼ିକ ଅରିଜିନାଲ୍‌ ନ ହୋଇଥିବା ସତ୍ତ୍ୱେ ଫର୍‌ଓ୍ଵାର୍ଡ ହୋଇ ଚାଲିଛି ତାହା ଚିହ୍ନଟ କରିବା ପାଇଁ ଏ ମାସର ଆଦ୍ୟ ଭାଗରେ ହ୍ଵାଟ୍‌ସ୍‌ଆପ୍‌ ଏକ ଫର୍‌ଓ୍ଵାର୍ଡ ଲେବଲ୍‌ ଲଞ୍ଚ୍‌ କରିଥିଲା।

ଗୁରୁବାର ଦିନ ଭାରତ ସରକାର ହ୍ଵାଟ୍‌ସ୍‌ଆପ୍‌କୁ ଦ୍ୱିତୀୟ ପତ୍ର ଲେଖିଥିଲେ। ହ୍ଵାଟ୍‌ସ୍‌ଆପ୍‌ ମେସେଜ୍‌ ଯୋଗୁଁ ଦେଶରେ ଅଧିକ ମାରାତ୍ମକ ଘଟଣା ବଢ଼ି ଚାଲୁଥିବାରୁ ଉତ୍ତରଦାୟୀତ୍ୱ ଏବଂ ଆଇନ୍‌ ପ୍ରବର୍ତ୍ତନ ପାଇଁ ସୁବିଧା ହେବା ଭଳି ଅଧିକ ଫଳପ୍ରଦ ସମାଧାନର ଉପାୟ କରିବାକୁ ଏଥିରେ ଅନୁରୋଧ କରାଯାଇଥିଲା।

ସମ୍ବନ୍ଧିତ ଖବର