ହାତ ଟେକିଦେଲା ହ୍ଵାଟସ୍‌ଆପ୍‌ ! ସରକାରଙ୍କୁ କହିଲା, କୌଣସି ବାର୍ତ୍ତାର ପ୍ରସାରଣକୁ ରୋକିବା ସମ୍ଭବପର ନୁହେଁ!

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ, ପିଲାଚୋରି ଗୁଜବ କିମ୍ବା ଅନ୍ୟ ବିଭ୍ରାନ୍ତି ସୃଷ୍ଟିକାରୀ ଖବର ପ୍ରସାରଣକୁ ବନ୍ଦ କରିବା ସହ ଏହା ଉପରେ ନିୟନ୍ତ୍ରଣ ରଖିବା ପାଇଁ ହ୍ଵାଟସଆପ୍‌କୁ ଯେଉଁ କଡ଼ା ନିର୍ଦ୍ଦେଶ ଓ ଚେତାବନୀ ଦିଆ ଯାଇଥିଲା, ତାହାର ଉତ୍ତର ହ୍ଵାଟସ୍‌ଆପ୍‌ ପକ୍ଷରୁ ଇତିମଧ୍ୟରେ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି।

ହ୍ଵାଟସ୍‌ଆପ୍‌ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଦିଆ ଯାଇଥିବା ଉତ୍ତରରେ କୁହାଯାଇଛି ଯେ ହ୍ଵାଟସ୍‌ଆପ୍‌ ଜରିଆରେ ବା ହ୍ଵାଟସ୍‌ଆପ୍‌ ପ୍ଲାଟଫର୍ମକୁ ବ୍ୟବହାର କରି ଯେଉଁସବୁ ଗୁଜବ ବା ବିଭ୍ରାନ୍ତି ସୃଷ୍ଟିକାରୀ ଖବରକୁ ପ୍ରସାରିତ କରାଯାଉଛି ତାହାକୁ ତାହାକୁ ରୋକିବା ଦିଗରେ ହ୍ଵାଟସ୍‌ଆପ୍‌ ପକ୍ଷରୁ କୌଣସି ପ୍ରକାରର ପଦକ୍ଷେପ ନିଆଯାଇ ପାରିବ ନାହିଁ। ଏଦିଗରେ ଅନ୍ୟ କୌଣସି ପ୍ରକାରର ବିକଳ୍ପ ପନ୍ଥା ହ୍ଵାଟସ୍‌ଆପ୍‌ ଚିନ୍ତା କରିପାରେ କିମ୍ବା କାର୍ଯ୍ୟକାରୀ କରିପାରେ କିନ୍ତୁ ଏହାକୁ ରୋକିବା ଦିଗରେ କିଛି ବି ହେଲେ ପଦକ୍ଷେପ ନେଇପାରିବ ନାହିଁ। କେବଳ ଯେଉଁ ମିଥ୍ୟା ଖବର ହ୍ଵାଟସ୍‌ଆପ୍‌ରେ ପ୍ରସାରିତ ହେଉଛି ତାହାର ସୂଚନା ବ୍ୟବହାରକାରୀମାନଙ୍କୁ ଦିଆଯାଇ ପାରିବ; କିନ୍ତୁ ଏହାକୁ ବ୍ଲକ୍‌ କରାଯାଇ ପାରିବ ନାହିଁ। ଏହାର କାରଣ ଦର୍ଶାଇବାକୁ ଯାଇ ହ୍ଵାଟସ୍‌ଆପ୍‌ ପକ୍ଷରୁ କୁହାଯାଇଛି ଯେ ଏବେ ସୁରକ୍ଷାକୁ ଦୃଷ୍ଟିରେ ରଖି ହ୍ଵାଟସ୍‌ଆପ୍‌ ବାର୍ତ୍ତାଗୁଡ଼ିକୁ ସଂପୂର୍ଣ୍ଣ ବ୍ୟକ୍ତିଗତ କରି ଦିଆଯାଇଛି। କାରଣ, ହ୍ଵାଟସ୍‌ଆପ୍‌ ବ୍ୟବହାରକରୀମାନେ ଏବେ ସେମାନଙ୍କ ବ୍ୟାଙ୍କ, ଡାକ୍ତର, ଓକିଲ ଓ ପରିବାର ସଦସ୍ୟମାନଙ୍କ ସହ ନିହାତି ବ୍ୟକ୍ତଗତ ତଥ୍ୟର ଆଦାନ ପ୍ରଦାନ ହ୍ଵାଟସ୍‌ଆପ୍‌ ମାଧ୍ୟମରେ କରୁଛନ୍ତି। ତେଣୁ, ଏସବୁ ତଥ୍ୟ ବା ବାର୍ତ୍ତାକୁ ଅନ୍ୟ କେହି ଜାଣିବାର କୌଣସି ସୁଯୋଗ ନାହିଁ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବିଗତ କିଛିଦିନ ଧରି ମେସେଜିଂ ଆପ୍ଲିକେସନ୍‌ ହ୍‌ାଟ୍‌ସଆପ୍‌ ଜରିଆରେ ପିଲାଚୋରି ଗୁଜବ ଖବର ବ୍ୟାପିବାରେ ଲାଗିଛ। ଅନ୍ୟ ଖବର ଭଳି ଏହାକୁ ବି ଲୋକେ ସତ ବୋଲି ଭାବୁଛନ୍ତି। ଏବଂ ଏହାର କୁପରିଣତି ସ୍ୱରୂପ ଦେଶରେ ଏଯାବତ୍‌ ମୋଟ ୨୭ଟି ହତ୍ୟାକାଣ୍ଡ ଘଟିସାରିଲାଣି। ଏ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ହ୍ଵାଟସ୍‌ଆପ୍‌କୁ ଚେତାବନୀ ଦେଇ କହିଥିଲେ ଯେ ପିଲାଚୋରି ଗୁଜବ କିମ୍ବା ଅନ୍ୟ ବିଭ୍ରାନ୍ତି ସୃଷ୍ଟିକାରୀ ଖବର ପ୍ରସାରଣ ଉପରେ ନିୟନ୍ତ୍ରଣ ରଖିବା ଲାଗି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଗତ ମଙ୍ଗଳବାର ଦିନ ଏକ ବିବୃତିରେ କୁହାଯାଇଥିଲା ଯେ ହ୍ଵାଟସ୍‌ଆପ୍‌ ଦ୍ୱାରା ଏଭଳି ଦାୟିତ୍ୱହୀନ ଏବଂ ବିସ୍ଫୋରକ ବାର୍ତ୍ତା ପ୍ରସାରଣ ଆଦୌ ଗ୍ରହଣୀୟ ନୁହେଁ। ଏହି ଗୁଜବରୁ ଘଟୁଥିବା ହତ୍ୟାକାଣ୍ଡ ଖୁବ୍‌ ଯନ୍ତ୍ରଣାଦାୟକ।

ସମ୍ବନ୍ଧିତ ଖବର