ଏହି କାରଣରୁ ସ୍କୁଟର ଚଲାଇବା ଛାଡ଼ି ଦେଇଥିଲେ ମନୋହର ପାରିକର

ପାଣାଜୀ : ପଶ୍ଚିମ ଭାରତର ଅନ୍ୟତମ ଦକ୍ଷ ରାଜନୈତିଜ୍ଞ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ମନୋହର ପାରିକର ରବିବାର ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କର୍କଟ ରୋଗରେ ପୀଡ଼ିତ ହୋଇ ସେ ଗୋଆ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ସଂନ୍ଧ୍ୟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମନୋହର ପାରିକରଙ୍କର ଜନ୍ମ ୧୯୫୫ରେ ହୋଇଥିବା ବେଳେ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି ।

ତେବେ ୬୩ବର୍ଷ ମଧ୍ୟରେ ସେ ଏମିତି ଅନେକ କାମ କରିଛନ୍ତି, ଯାହା ସବୁଦିନ ପାଇଁ ଗୋଆବାସୀଙ୍କ ମନରେ ସ୍ମରଣୀୟ ହୋଇ ରହିବ । ତେବେ ଆରମ୍ଭରୁ ପାରିକର ନିଜର ସ୍କୁଟର ଚଲାଇବା ପାଇଁ ବେଶ୍‌ ପସନ୍ଦ କରୁଥିବା ବେଳେ ଧୀରେ ଧୀରେ ସ୍କୁଟର ଚଳାଇବା ଛାଡ଼ି ଦେଇଥିଲେ । ଏପରି କରିବା ପଛରେ ସେଭଳି ବଡ଼ କାରଣ ମଧ୍ୟ ରହିଥିଲା । ଯାହାର ଖୁଲାସା ସେ ଏକ ବୈଠକରେ କରିଥିଲେ । ଗତ ବର୍ଷ ଜାନୁଆରିରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍କୁଟର ଚଳାଇବା ଛାଡ଼ିବା ପଛର କାରଣ ଜଣାଇଥିଲେ ।

Outlook India

“ଲୋକମାନେ ମୋତେ ସବୁବେଳେ ପଚାରନ୍ତି କି, ମୁଁ ଏବେ ବି ସ୍କୁଟର ଚଲାଉଛି କି ନାହିଁ । ସେମାନଙ୍କୁ ମୁଁ କହିବାକୁ ଚାହେଁ, ମୁଁ ଏବେ ସ୍କୁଟର ଚଳାଉ ନାହିଁ । ମୋ ମୁଣ୍ଡରେ ସବୁ ବେଳେ ମୋ କାମକୁ ନେଇ ଅନେକ କଥା ଚାଲି ଚାଲିଥାଏ । ଯାହା ପାଇଁ ଅନେକ ସମୟରେ ମୁଁ ଅନ୍ୟ ମନସ୍କ ହୋଇଯାଏ । ଏଭଳି ହେଲେ ଦୁର୍ଘଟଣା ହେବାର ଆଶଙ୍କା ରହିଥିବାରୁ ମୁଁ ସ୍କୁଟର ଚଳାଇବା ଛାଡ଼ିବା ସହ କାହା ସ୍କୁଟର ପଛରେ ବସିବା ମଧ୍ୟ ଛାଡ଼ି ଦେଇଛି” ବୋଲି କହିଥିଲେ ମନୋହର ପାରିକର ।

ସମ୍ବନ୍ଧିତ ଖବର