ବିମାନ ବନ୍ଦରରେ ଭାବି ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ଭେଟିଲେ ଲାଲୁଙ୍କ ପୁତ୍ର ତେଜ ପ୍ରତାପ

ନୂଆଦିଲ୍ଳୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁତ୍ର ତଥା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ନେତା ତେଜ ପ୍ରତାପ ଯାଦବ ରବିବାର ତାଙ୍କର ଭାବି ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ପାଟନା ବିମାନ ବନ୍ଦରରେ ଭେଟିଛନ୍ତି। ତେଜ ପ୍ରତାପ ଦିଲ୍ଳୀରୁ ପାଟନା ଫେରିବା ବେଳେ ଭାବି ପତ୍ନୀ ଐଶ୍ୱର୍ଯ୍ୟାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଦିଲ୍ଳୀର ଏମ୍‌ସ ହସ୍ପିଟାଲ୍‌ରେ ଲାଲୁ ପ୍ରସାଦ ଯାଦବ ଚିକିତ୍ସିତ ହେଉଛନ୍ତି। ତେଜ ପ୍ରତାପ ବାପାଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ।

ସେ ଦୁହେଁ ବିମାନ ବନ୍ଦରରେ ଭେଟ ହେବା ପରେ ପରସ୍ପରଙ୍କ ସହ କେତୋଟି ଫଟୋ ଉଠାଇଛନ୍ତି। ସେମାନେ ବିମାନ ବନ୍ଦରର ଭିଆଇପି ଲାଉଞ୍ଜରେ କିଛି ସମୟ ବସି ପରସ୍ପର ସହ କଥା ହୋଇଥିଲେ। ଐଶ୍ୱର୍ଯ୍ୟାଙ୍କ କିଛି ସଂପର୍କୀୟ ବି ସେଠାରେ ଉପସ୍ଥିତ ଥିଲେ। ସେମାନଙ୍କ ଫଟୋ ଏବେ ସୋସିଆଲ୍‌ ମିଡିଆ ଫେସ୍‌ବୁକ୍‌, ହ୍ଵାଟ୍‌ସଆପ୍‌ରେ ଭାଇରାଲ୍‌ ହୋଇଛି।

ଉଲ୍ଳେଖଯୋଗ୍ୟ, ଏ ଦୁହିଁଙ୍କର ନିର୍ବନ୍ଧ ପାଟନାର ମୟୂର‍୍ୟ ହୋଟେଲ୍‌ରେ ଏପ୍ରିଲ୍‌ ୧୮ ତାରିଖରେ ହେବ ବୋଲି ସ୍ଥିର ହୋଇଛି। ବିବାହ ମେ ୧୨ ତାରିଖରେ ପାଟନାର ଭେଟରନାରି କଲେଜ ପରିସରରେ ହେବ। ଶହ ଶହ ଭିଆଇପି ଏହି ଉତ୍ସବରେ ଯୋଗ ଦେବେ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଦି ଉତ୍ସବରେ ଯୋଗ ଦେଇପାରନ୍ତି ବୋଲି ସୂଚନା ରହିଛି।

 

 

 

ସମ୍ବନ୍ଧିତ ଖବର