ବିଚାରପତି କାହାନ୍ତି? ଶୁଣାଣି ଲାଗି ମାମଲା ପଡ଼ିରହୁଥିବାରୁ ରାଗିଯାଇ ଓକିଲଙ୍କୁ କହିଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ: ପଡ଼ିରହିଥିବା ମାମଲାଗୁଡ଼ିକର ଫଏସଲା କରିବାକୁ ସୁପ୍ରିମ୍‌ କୋର୍ଟରେ ଯଥେଷ୍ଟ ସଂଖ୍ୟକ ବିଚାରପତି ନ ଥିବା କଥା ଶୁକ୍ରବାର ଦିନ ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିବା ସହ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇ ନ ଥିବା ମାମଲା ଆଗତ କରୁଥିବାରୁ ଓକିଲମାନଙ୍କୁ ସମାଲୋଚନା କରିଛନ୍ତି।

ସେ କହିଛନ୍ତି ଜୀବନ ସମ୍ବନ୍ଧୀୟ ହୋଇ ନ ଥିବା କୌଣସି ମାମଲାର ଶୁଣାଣି କରାଯିବ ନାହିଁ।

ପ୍ରଧାନ ବିଚାରପତି ଗୋଗୋଇ ଓକିଲମାନଙ୍କୁ କହିଲେ: ଦୁଃଖର ବିଷୟ, ତାଲିକାଭୁକ୍ତ ହୋଇ ନ ଥିବା କୌଣସି ମାମଲାର ଆମେ ଶୁଣାଣି କରିବୁ ନାହିଁ। ୫୦୦ ମାମଲା ତାଲିକାଭୁକ୍ତ ହୋଇଛି। ବିଚାରପତି କାହାନ୍ତି? ଆପଣମାନେ ଅଣତାଲିକାଭୁକ୍ତ ମାମଲା ଆଣିବାରେ ଲାଗିଛନ୍ତି…’
ପିଛିଲା ମାମଲା ୩. ୩ କୋଟି ଛୁଇଁବା ପରେ ଗତବର୍ଷ ଜଷ୍ଟିସ୍‌ ଦୀପକ ମିଶ୍ର ପଡ଼ିରହୁଥିବା ମାମଲା ପ୍ରସଙ୍ଗରେ ସଚେତନ କରାଇଥିଲେ।

ନିମ୍ନ ଅଦାଲତମାନଙ୍କରେ ୨. ୮୪ କୋଟି ମାମଲା ପଡ଼ିରହିଥିବା ବେଳେ, ହାଇକୋର୍ଟ ଏବଂ ସୁପ୍ରିମ୍‌ କୋର୍ଟରେ ଯଥାକ୍ରମେ ୪୩ ଲକ୍ଷ ଓ ୫୭ ହଜାର ୯୮୭ଟି ପିଛିଲା ମାମଲା ପଡ଼ି ରହିଛି।

ନେସ୍‌ନାଲ୍‌ ଜୁଡିସିଆଲ୍‌ ଡାଟା ଗ୍ରିଡ୍‌ ଅନୁସାରେ, ୫ଟି ରାଜ୍ୟରେ ସବୁଠୁ ଅଧିକ ମାମଲା ପଡ଼ିରହିଛି। ଉତ୍ତର ପ୍ରଦେଶରେ ୬୧. ୫୮ ଲକ୍ଷ, ମହାରାଷ୍ଟ୍ରରେ ୩୩. ୨୨ ଲକ୍ଷ, ପଶ୍ଚିମବଙ୍ଗରେ ୧୭. ୫୯ ଲକ୍ଷ, ବିହାରରେ ୧୬. ୫୮ ଲକ୍ଷ ଏବଂ ଗୁଜରାଟରେ ୧୬. ୪୫ ଲକ୍ଷ ମାମଲା ପଡ଼ିରହିଛି।

ସମ୍ବନ୍ଧିତ ଖବର