ପ୍ରକୃତ ଏଆଇଏଡିଏମ୍‌କେ କିଏ? ପଚାରି ଥେବାର୍‌ ସୁନା କବଚ ଦେବାକୁ ମନା କଲା ବ୍ୟାଙ୍କ୍‌ 

ମଦୁରାଇ: ପ୍ରତିଷ୍ଠିତ ଥେବାର୍‌ ନେତା ପସୁମ୍ପୋନ୍‌ ମଥୁରାମାଲିଙ୍ଗାମ୍‌ଙ୍କ ଜନ୍ମ ଓ ମୃତ୍ୟୁ ବାର୍ଷିକୀ ପାଳନ ଉତ୍ସବକୁ ନିଷ୍ଫଳ କରିବାକୁ ଯାଉଛନ୍ତି ଏଆଇଏଡିଏମ୍‌କେରେ ଥିବା ଦୁଇ ଗୋଷ୍ଠୀ। ପ୍ରକୃତ ଆନ୍ନା ଡିଏମ୍‌କେ କିଏ ବୋଲି ପ୍ରଶ୍ନ ଉଠାଇ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ମଦୁରାଇ ଶାଖା ଶାସକ ଗୋଷ୍ଠୀଙ୍କୁ ଏକ ସ୍ୱର୍ଣ୍ଣ କବଚ ଦେବାକୁ ମନା କରି ଦେଇଛି। ଥେବାର ନେତାଙ୍କ ଜନ୍ମ ଓ ମୃତ୍ୟୁ ବାର୍ଷିକୀ ପାଳନ ପାଇଁ ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ଦାନ କରିଥିଲେ। ଏଆଇଏଡିଏମ୍‌କେର ଦକ୍ଷିଣ ଭିତ୍ତିକୁ ସମର୍ଥନ କରୁଥିବା ବଡ଼ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିଲେ ମଥୁରାମାଲିଙ୍ଗାମ୍‌ ଥେବାର୍‌। ଅକ୍ଟୋବର ୨୮ରୁ ଆରମ୍ଭ ହୋଇ ଅକ୍ଟୋବର ୩୦ର ସରୁଥିବା ଗୁରୁ ପୂଜାରେ ଏହି କବଚ ଶ୍ରଦ୍ଧାଞ୍ଜଳି ରୂପେ ସ୍ଥାପିତ ହୋଇଥାଏ।

ଏହି ଅବସରରେ ବ୍ୟାଙ୍କ୍‌ର ଭଲ୍‌ଟ୍‌ରେ ରଖାଯାଇଥିବା କବଚଟିକୁ ଥେବାର ନେତାଙ୍କ ଦାୟଦ ଏବଂ ଏଆଇଏଡିଏମ୍‌କେର କୋଷାଧ୍ୟକ୍ଷଙ୍କୁ ହସ୍ତାନ୍ତର କରାଯାଇଥାଏ। ଦଳ ଓ ସଙ୍କେତକୁ ନେଇ ଏଆଇଏଏଡିଏମ୍‌କେ ମଧ୍ୟରେ ବିବାଦ ଚାଲିଥିବାରୁ କିଏ ଦଳର ପ୍ରତିନିଧିତ୍ୱ କରୁଛି ବୋଲି ମଦୁରାଇସ୍ଥିତ ଅନ୍ନା ନଗର ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଶାଖା ପ୍ରଶ୍ନ କରିଛି।

ବ୍ୟାଙ୍କ୍‌କୁ ସ୍ପଷ୍ଟିକରଣ ଦିଆଯିବା ପରେ ଦିନେ ଦୁଇ ଦିନ ମଧ୍ୟରେ ବାସ୍ତବ ତତ୍ତ୍ୱାବଧାରକମାନଙ୍କୁ କବଚ ହସ୍ତାନ୍ତର କରାଯିବ ବୋଲି ଶାସକ ଗୋଷ୍ଠୀର ଜଣେ ବରିଷ୍ଠ ନେତା କହିଛନ୍ତି।

୨୦୧୪ ମସିହାରେ ଜୟଲଳିତା ୧୩ କିଲୋ ଓଜନ ତଥା ୪. ୫ କୋଟି ଟଙ୍କା ମୂଲ୍ୟର ଏହି ସ୍ୱର୍ଣ୍ଣ କବଚଟିକୁ ଥେବାର ସ୍ମାରକୀକୁ ଦାନ କରିଥିଲେ। ପ୍ରତିବର୍ଷ ଥେବାର୍‌ ଜୟନ୍ତୀ ପରେ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ମଦୁରାଇ ଶାଖାରେ କବଚଟିକୁ ସୁରକ୍ଷିତ ରଖାଯାଏ। ଆଜକୁ ଏକ ଦଶନ୍ଧି ହେବ ଏଆଇଏଡିଏମ୍‌କେର କୋଷାଧ୍ୟକ୍ଷ ପଦରେ ରହିଛନ୍ତି ଓପିଏସ୍‌। ସେ ଏବଂ ପଶୁମ୍ପୋନ୍‌ରେ ଥିବା ଥେବାର୍‌ ସ୍ମାରକୀର ତତ୍ତ୍ୱାବଧାରକ ଏହି ବ୍ୟାଙ୍କ୍‌ ଜିମାର ଯୁଗ୍ମ ସ୍ୱାକ୍ଷରକାରୀ ଅଟନ୍ତି।

ଗତ ବର୍ଷ ମଧ୍ୟ ଟ୍ରଷ୍ଟି ଗାନ୍ଧୀ ମୀନାଙ୍କ ସହ ଓପିଏସ୍‌ ବ୍ୟାଙ୍କ୍‌କୁ ଯାଇ କବଚ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର