୭୫୦ କିଲୋ ଓଜନର ମାଇକ୍ରୋସ୍ୟାଟକୁ ହିଁ ଧ୍ୱଂସ କରିଥିଲା ଭାରତର କ୍ଷେପଣାସ୍ତ୍ର, ଆମେରିକାର ସଂଦେହ

ଓ୍ଵାସିଂଟନ : ଗତ ମାର୍ଚ୍ଚ ୨୭ରେ ଭାରତ କରିଥିବା ଉପଗ୍ରହ ନିରୋଧୀ କ୍ଷେପଣାସ୍ତ୍ର ( ଏସାଟ୍‌)କୁ ସମଗ୍ର ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ମଧ୍ୟ ଏହାକୁ ସ୍ୱୀକାର କରିବା ସହ ଏଥିରୁ ସୃଷ୍ଟି ହୋଇଥିବା ଧ୍ୱଂସାବଶେଷକୁ ନେଇ ଚିନ୍ତା ପ୍ରକଟ କରିଛି । କିନ୍ତୁ ଭାରତର ଏହି କ୍ଷେପଣାସ୍ତ୍ର କେଉଁ ଉପଗ୍ରହକୁ ଧ୍ୱଂସ କରିଛି ସେ ସଂପର୍କରେ ଭାରତ ସରକାର କୌଣସି ସୂଚନା ଦେଇନଥିବାବେଳେ ଆମେରିକାର ଗୁଇନ୍ଦା ସଂସ୍ଥାମାନେ ଧ୍ୱଂସ ପାଇଥିବା କ୍ରୁତ୍ରିମ ଉପଗ୍ରହକୁ ଚିହ୍ନି ପାରିଛି । ଗତ ଜାନୁୟାରୀ ୨୫ରେ ଇସ୍ରୋ ମହାକାଶକୁ ପଠାଇଥିବା ୭୫୦ କିଲୋଗ୍ରାମ ଓଜନ ବିଶିଷ୍ଟ ମାଇକ୍ରୋସ୍ୟାଟ-ଆରକୁ ହିଁ ଧ୍ୱଂସ କରାଯାଇଛି ବୋଲି ଆମେରିକାର ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେଇଛି ।
ଅନ୍ୟପକ୍ଷରେ ଏହି ମାଇକ୍ରୋସ୍ୟାଟର ଧ୍ୱଂସାବଶେଷକୁ ନେଇ ନାସା ଦେଖାଇଥିବା ଚିନ୍ତା ଅମୂଳକ ବୋଲି ଭାରତ ଗତକାଲି କହିଥିଲା । ଡିଆରଡିଓର ପୂର୍ବତନ ମୁଖ୍ୟ ଭି.କେ. ସାରସ୍ୱତ କହିଛନ୍ତି ଯେ ନାସାର ଏପରି ଆଶଙ୍କା ଆମୂଳକ । କାରଣ କୌଣସି ଶକ୍ତି ନଥାଇ ଏସବୁ ଖଣ୍ଡବିଖଣ୍ଡିତ ସାମଗ୍ରୀଗୁଡ଼ିକ ମହାକାଶରେ ବେଶୀ ଦିନ ରହିପାରିବ ନାହିଁ । ଏଗୁଡ଼ିକ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଧ୍ୱଂସ ପାଇଯିବ । ଏଣୁ ଏହା ଦ୍ୱାରା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପ୍ରତି ବିପଦ ରହିବା କଥା ଅମୂଳକ ।

ସମ୍ବନ୍ଧିତ ଖବର