ଦିଲ୍ଲୀରେ ସଫଳ, ମହାରାଷ୍ଟ୍ରରେ ବିଫଳ : ପ୍ଲାଜମା ଥେରାପି ନେଇଥିବା ମହାରାଷ୍ଟ୍ରର କରୋନା ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ଉପରେ ପ୍ଲାଜମା ଥେରାପି ବ୍ୟବହାର କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ଏହି ଥେରାପିକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହାର ପାଇଁ ଘୋଷଣା କରିଛନ୍ତି । ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଜାତୀୟ ରାଜଧାନୀରେ ଜଣେ “ଗୁରୁତର” କୋଭିଡ-୧୯ ରୋଗୀର ପୁନରୁଦ୍ଧାର ଦ୍ୱାରା ଉତ୍ସାହିତ ହୋଇ କେନ୍ଦ୍ର ଅନୁମତି ଅନୁଯାୟୀ ପ୍ଲାଜମା ଥେରାପି ପରୀକ୍ଷା ଜାରି ରହିବ। ତେବେ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ଉପରେ ପ୍ଲାଜମା ଥେରାପି ସଫଳ ହୋଇଥିବା ବେଳେ ମହାରାଷ୍ଟ୍ରରେ ଏହି ଥେରାପି ନେବା ପରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି |

indiatimes

ମହାରାଷ୍ଟ୍ରରେ ଜଣେ ୫୩ବର୍ଷ ବୟସ୍କ ପୁରୁଷ ରୋଗୀ, ଯାହାଙ୍କୁ  ପ୍ଲାଜମା ଥେରାପିରେ ପରୀକ୍ଷାମୂଳକ ଚିକିତ୍ସା କରାଯାଇଥିଲା, ଏପ୍ରିଲ ୨୯ରେ ତାଙ୍କର ଦେହାନ୍ତ ହୋଇଛି ବୋଲି ମୁମ୍ବାଇର ଲୀଲାବତୀ ହସ୍ପିଟାଲର ସିଇଓ ଡାକ୍ତର ରବିଶଙ୍କର କହିଛନ୍ତି। ଏହା ପୂର୍ବରୁ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ମଙ୍ଗଳବାର କହିଥିଲେ ଯେ, ଆଇସିଏମଆରର ଅନୁମୋଦନ ପାଇବା ପରେ ପରୀକ୍ଷାମୂଳକ ଭିତ୍ତିରେ ରାଜ୍ୟରେ ପ୍ଲାଜମା ଥେରାପି ବ୍ୟବହାର କରାଯାଉଛି। ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ, ଆମେ ଦୁଇ ରୋଗୀଙ୍କ ଉପରେ ଭଲ ଫଳାଫଳ ଦେଖିଛୁ | କିନ୍ତୁ ଏବେ ପ୍ଲାଜମା ଥେରାପି ନେଇଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି |

ସୂଚନା ମୁତାବକ, ଏହା ପୂର୍ବରୁ କରୋନା ଭାଇରସର ଚିକିତ୍ସା ପାଇଁ ଏ ପର୍ଯ୍ୟନ୍ତ କୌଣସି ପ୍ରଭାବୀ ଚିକିତ୍ସା ପଦ୍ଧତି ବାହାରିନାହିଁ । ପ୍ଲାଜମା ଚିକିତ୍ସା ଏବେ ବି ପରୀକ୍ଷଣ ସ୍ତରରେ ରହିଛି । କରୋନା ଚିକିତ୍ସା ପାଇଁ ଏହାକୁ ବ୍ୟବହାର ପରୀକ୍ଷାମୂଳକ ଭାବେ କରାଯାଉଛି । ଏହାର ସଫଳତା ନେଇ ଏ ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଥିଲେ ।

ସମ୍ବନ୍ଧିତ ଖବର