ଅମରନାଥ ଯାତ୍ରୀଙ୍କୁ ଆକ୍ରମଣରେ ସଂପୃକ୍ତ :୩ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀକୁ ବଡ଼ ଧରଣର ସଫଳତା ମିଳିଛି। ଚଳିତ ବର୍ଷ ଜୁଲାଇରେ ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣରେ ଯେଉଁ ଆତଙ୍କବାଦୀମାନେ ସଂଶ୍ଳିଷ୍ଟ ଥିଲେ ସେମାନଙ୍କୁ ସୁରକ୍ଷାବାହିନୀ ନିପାତ କରିଦେଇଛି। ଦକ୍ଷିଣ କଶ୍ମୀରର ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଅନନ୍ତନାଗ ନିକଟସ୍ଥ ବୋଟେଙ୍ଗୋ ଗ୍ରାମ ନିକଟରେ ଅମରନାଥ ଯାତ୍ରୀଙ୍କ ବସ୍‌ ଉପରକୁ ହୋଇଥିବା ଆକ୍ରମଣରେ ୭ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୫ ଜଣ ଆହତ ହୋଇଥିଲେ।

ତେବେ ଏହି ଆକ୍ରମଣରେ ସାମିଲ ଥିବା ୩ ଲସ୍କର ଏ ତୋଏବା ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀ ସମୂଳେ ସଫା କରିଦେଇଛନ୍ତି ବୋଲି ଜମ୍ମୁ କଶ୍ମୀର ଡିଜିପି ଏସପି ବୈଦ କହିଛନ୍ତି। ନିହତ ହୋଇଥିବା ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ଜଣ ପାକିସ୍ତାନୀ ନାଗରିକ ଥିବାବେଳେ ଜଣେ ସ୍ଥାନୀୟ ଏଲଇଟି କମାଣ୍ଡର। ମୃତ ଆତଙ୍କବାଦୀମାନେ ହେଉଛନ୍ତି ଜଓ୍ଵର ବସିର, ଅବୁ ଫରକାନ ଏବଂ ଅବୁ ମାଭିୟା। କୁଲଗାମ୍‌ର ହବିୟାସ୍‌ ବାସିନ୍ଦା ବସିର ଚଳିତବର୍ଷ ଏଲଇଟିରେ ଯୋଗ ଦେଇଥିଲା।
ଏହି ଏନ୍‌କାଉଣ୍ଟର ସମୟରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଯବାନ ମଧ୍ୟ ସହିଦ ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ଅଂଚଳରେ ଅଧିକ ଆତଙ୍କବାଦୀ ଲୁଚିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର