ଦିନେ ବିଧାୟକ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ନ ଥିଲେ ଓମ୍‌ ବିର୍ଲା; ଏବେ ହେବେ ସପ୍ତଦଶ ଲୋକସଭାର ବାଚସ୍ପତି

ଏନ୍‌ଡିଏର ବାଚସ୍ପତି ପ୍ରାର୍ଥୀ ଓମ୍‌ ବିର୍ଲାଙ୍କ ସଂପର୍କରେ କିଛି ଅଜଣା କଥା...

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭାର ନୂତନ ବାଚସ୍ପତି ପ୍ରାର୍ଥୀ ରୂପେ ଭାରତୀୟ ଜନତା ପାର୍ଟି (ବିଜେପି)ର ନବ ନିର୍ବାଚିତ ସାଂସଦ ଓମ୍‌ ବିର୍ଲାଙ୍କୁ ଏନ୍‌ଡିଏ ପକ୍ଷରୁ ମନୋନୀତ କରାଯାଇଛି। ଲୋକସଭାରେ ଏନ୍‌ଡିଏର ସଂଖ୍ୟା ଦୃଷ୍ଟିରୁ ବାଚସ୍ପତି ରୂପେ ନିର୍ବାଚିତ ହେବା ପାଇଁ ସାଂସଦ ବିର୍ଲାଙ୍କୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ତେବେ, ଏନ୍‌ଡିଏର ବାଚସ୍ପତି ପ୍ରାର୍ଥୀ ରୂପେ ବିଜେପି ପକ୍ଷରୁ ଓମ୍‌ ବିର୍ଲାଙ୍କ ନାମ ଘୋଷଣା କରାଯିବା ପରେ ଏବେ ତାଙ୍କ ସଂପର୍କରେ ଜାଣିବା ପାଇଁ ସବୁ ମହଲରୁ ଉତ୍କଣ୍ଠା ପ୍ରକାଶ ପାଇଛି। କାରଣ, ଆଜିର ପ୍ରଚାର ସର୍ବସ୍ୱ ରାଜନୀତିରେ ଓମ୍‌ ବିର୍ଲା ଏତେଟା ଚର୍ଚ୍ଚିତ କିମ୍ବା ପ୍ରଚାରିତ ରାଜନେତା ନୁହନ୍ତି। ତେବେ, ସଦ୍ୟ ସମାପ୍ତ ୨୦୧୯ ଲୋକସଭା ନିର୍ବାଚନରେ ଓମ୍‌ ବିର୍ଲା ରାଜସ୍ଥାନର କୋଟା- ବୁନ୍ଦି ଲୋକସଭା କ୍ଷେତ୍ରରୁ ବିଜେପି ସାଂସଦ ରୂପେ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ ସେ ରାଜସ୍ଥାନ ବିଧାନସଭାକୁ ତିନିତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଗତ ୨୦୧୪ରେ ପ୍ରଥମ ଥର ପାଇଁ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

The Week

ନଭେମ୍ବର ୨୩, ୧୯୬୨ରେ ଜନ୍ମ ଗ୍ରହଣ କରିଥିବା ଓମ୍‌ ବିର୍ଲା ନିଜର ଛାତ୍ର ଜୀବନରୁ ଭାରତୀୟ ଜନତା ଯୁବ ମୋର୍ଚ୍ଚା (ବିଜେପିର ଯୁବ ଓ ଛାତ୍ର ସଂଗଠନ) ସହ ସଂପୃକ୍ତ ରହିବା ସହ ଛାତ୍ର ରାଜନୀତିରେ ବେଶ୍‌ ସକ୍ରିୟ ରହିଥିଲେ। ଏପରିକି ନିଜର ଦକ୍ଷତା ବଳରେ ସେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ମଧ୍ୟ ହୋଇଥିଲେ। ଏହି ସମୟରେ ୨୦୦୩ ବିଧାନସଭା ନିର୍ବାଚନରେ ବିଜେପି ତାଙ୍କୁ ରାଜସ୍ଥାନର ସମ୍ମାନଜନକ କୋଟା ବିଧାନସଭା କ୍ଷେତ୍ରରୁ ଦଳୀୟ ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ିବା ପାଇଁ ମନୋନୀତ କରିଥିଲା। ହେଲେ, ଏଥିପାଇଁ ଆଗ୍ରହୀ ନଥିବା ଓମ୍‌ ବିର୍ଲା ଦଳର ଏହି ପ୍ରସ୍ତାବରେ ରାଜି ନ ଥିଲେ। ହେଲେ, ପରବର୍ତ୍ତୀ ସମୟରେ ଦଳୀୟ ବରିଷ୍ଠ ନେତାଙ୍କ ଚାପରେ ସେ ଏହି ଆସନରୁ ନିର୍ବାଚନ ଲଢ଼ିବା ସହ ତତ୍କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା କଂଗ୍ରେସର ବରିଷ୍ଠ ନେତା ଶାନ୍ତିଲାଲ ଧରୀଓ୍ଵାଲଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରିବା ସହ ଏଇଠାରୁ ହିଁ ଆରମ୍ଭ କରିଥିଲେ ନିଜର ରାଜନୈତିକ କ୍ୟାରିୟର ଏବଂ ଆଉ ପଛକୁ ଫେରି ଚାହିଁ ନଥିଲେ।

ଓମ୍‌ ବିର୍ଲାଙ୍କ ଲମ୍ବା ରାଜନୈତିକ କ୍ୟାରିୟରରେ ତାଙ୍କର ଏକମାତ୍ର ପାଥେୟ ଥିଲା ତାଙ୍କର ନିର୍ମଳ ଓ ନିଷ୍କଳଙ୍କ ଭାବମୂର୍ତ୍ତି। ଫଳ ସ୍ୱରୂପ ୨୦୦୮ ଓ ୨୦୧୩ ବିଧାନସଭା ନିର୍ବାଚନରେ ମଧ୍ୟ ସେ ଏହି ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ବିପୁଳ ଭୋଟ ପାଇ ନିର୍ବାଚିତ ହେବା ସହ ‘ହାଟ୍ରିକ୍‌’ ବିଜୟ ହାସଲ କରିବାରେ ସମର୍ଥ ହୋଇଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ସେ ବିଜେପିର ଦଳୀୟ ପ୍ରାର୍ଥୀ ରୂପେ କୋଟା- ବୁନ୍ଦି ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ବିଜୟଲାଭ କରି ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ। ପୁଣି, ସଦ୍ୟ ସମାପ୍ତ ୨୦୧୯ ଲୋକସଭା ନିର୍ବାଚନରେ ସେ ଦ୍ୱିତୀୟ ଥର ପାଇଁ ଏହି ଲୋକସଭା କ୍ଷେତ୍ରରୁ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ରାମନାରାୟଣ ମୀନାଙ୍କୁ ୨ ଲକ୍ଷ ୭୯ ହଜାର ୬୭୭ ଭୋଟରେ ପରାସ୍ତ କରିବା ସହ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

The Week

ବାଣିଜ୍ୟରେ ସ୍ନାତକ ଡିଗ୍ରି ହାସଲ କରିଥିବା ଓମ୍‌ ବିର୍ଲା ୧୯୯୧ ମାର୍ଚ୍ଚରେ ଡାକ୍ତର ଅମିତା ବିର୍ଲାଙ୍କୁ ବିବାହ କରିଥିଲେ। ଆକାଂକ୍ଷା ଓ ଅଞ୍ଜଳି ନାମରେ ତାଙ୍କର ଦୁଇ ଝିଅ ଅଛନ୍ତି। ଜଣେ ପୂର୍ଣ୍ଣକାଳୀନ ରାଜନେତା ଥିବା ଓମ୍‌ ବିର୍ଲା ସମାଜ ସେବା କ୍ଷେତ୍ରରେ ମଧ୍ୟ ନିଜର ବିଶେଷ ରୁଚି ରଖନ୍ତି। ‘ପରିଧାନ’ ଯୋଜନା ନାମରେ ସେ ନିଜର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ଏହି ଯୋଜନାରେ ସେ ସମାଜର ଆର୍ଥିକ ସ୍ତରରେ ଦୁର୍ବଳ ଥିବା ପରିବାରଗୁଡ଼ିକୁ ମାଗଣାରେ ବସ୍ତ୍ର ଓ ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ଓ ଔଷଧ କିଣିବା ପାଇଁ ସାମର୍ଥ ନଥିବା ରୋଗୀମାନଙ୍କୁ ମାଗଣାରେ ଔଷଧ ମଧ୍ୟ ଯୋଗାଇ ଥାଆନ୍ତି। ଖାଲି ଏତିକି ନୁହେଁ ଅନାହାର ଓ ଅର୍ଦ୍ଧାହାରରେ ଥିବା ବ୍ୟକ୍ତିମାନଙ୍କୁ ନିଜସ୍ୱ ଅର୍ଥରେ ନିୟମିତ ଖାଦ୍ୟ ଯୋଗାଇ ଥାଆନ୍ତି ଓମ୍‌ ବିର୍ଲା।

ସମ୍ବନ୍ଧିତ ଖବର