ତଲାକ୍ ବିଲ୍: ବିରୋଧ କାହିଁକି?
Sambad is now on WhatsApp
Join and get latest news updates delivered to you via WhatsApp
ନୂଆଦିଲ୍ଲୀ: ମୁସ୍ଲିମ ମହିଳାଙ୍କ ବିବାହ ଅଧିକାର ସୁରକ୍ଷା ବିଲ୍-୨୦୧୭ ତିନି ତଲାକ୍ ବିଲ୍ ଭାବେ ପରିଚିତ ଏବଂ ଏହା ଆଜି ଲୋକସଭାରେ ଗୃହୀତ ହୋଇଛି। ତତ୍କାଳ ତିନି ତଲାକ ତଥା ତଲାକ୍-ଏ-ବିଦ୍ଦତକୁ ଏହି ବିଲ୍ରେ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯାଇଛି। ଅଗଷ୍ଟ ୨୨, ୨୦୧୭ରେ ସାୟରା ବାନୋ ମାମଲାରେ ସୁପ୍ରିମ୍ କୋର୍ଟ ତିନି ତଲାକକୁ ବେଆଇନ ଘୋଷଣା କରିଥିଲେ। ଏହା ଏକ ସ୍ୱେଚ୍ଛାଚାରୀ ପ୍ରଥା ବୋଲି କୋର୍ଟ ରାୟ ଦେବା ସହ ମହିଳାଙ୍କ କ୍ଷେତ୍ରରେ ହେଉଥିବା ଅନ୍ୟାୟକୁ ରୋକିବା ପାଇଁ ଆଇନ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ।
ବିଲ୍ରେ କି ବ୍ୟବସ୍ଥା ରହିଛି ?
ତିନି ତଲାକ୍ ତଥା ତଲାକ୍ ଏ ବିଦ୍ଦତକୁ ସଂପୂର୍ଣ୍ଣ ବେଆଇନ ଦର୍ଶାଯାଇଥିବା ବେଳେ ଏହି ବିଲ୍ର ଧାରା ୩ ଅନୁଯାୟୀ କୌଣସି ବ୍ୟକ୍ତି ନିଜ ପତ୍ନୀଙ୍କୁ ମୌଖିକ କିମ୍ବା ଲିଖିତ ଭାବେ ତତ୍କାଳ ତିନି ତଲାକ୍ ଦେଇପାରିବେ ନାହିଁ। ଏହି ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବ ଏବଂ ତଦନୁଯାୟୀ ଦଣ୍ଡିତ କରାଯିବ। ତିନି ତଲାକ୍ ଦ୍ୱାରା ପତ୍ନୀଙ୍କୁ ଛାଡ଼ପତ୍ର ଦେଉଥିବା ବ୍ୟକ୍ତିଙ୍କୁ ଜେଲ୍ ଦଣ୍ଡ ସହ ଜୋରିମାନା ମଧ୍ୟ ହେବ। ଏହାକୁ ଏକ ଜାମିନ ବିହୀନ ଅପରାଧ ଭାବେ ବିବେଚିତ କରାଯିବ। ଏହି ବ୍ୟବସ୍ଥା ଅନୁଯାୟୀ ଆଇନ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଛି ।
ମହିଳାଙ୍କ ଅଧିକାରକୁ ଏହା କିଭଳି ସୁରକ୍ଷିତ ରଖିବ?
ତିନି ତଲାକ୍ରେ ପୀଡ଼ିତା ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କଠାରୁ ତୁରନ୍ତ ଭତ୍ତା ପାଇବା ବ୍ୟବସ୍ଥା ହେବ ଏବଂ ନିଜ ନାବାଳକ ସନ୍ତାନଙ୍କୁ ମଧ୍ୟ ସେ ପାଖରେ ରଖିବେ। ସଂପୃକ୍ତ ମହିଳା ଏବଂ ସନ୍ତାନଙ୍କ ଭରଣପୋଷଣ ବାବଦ ଅର୍ଥ ସ୍ୱାମୀ ପୈଠ କରିବେ। ବୃହତ୍ତର ସାମ୍ବିଧାନିକ ଲକ୍ଷ୍ୟ ହାସଲ ପାଇଁ ବିବାହିତା ମୁସ୍୍୍ଲିମ ମହିଳାଙ୍କ ମୌଳିକ ଅଧିକାରକୁ ସୁରକ୍ଷିତ ରଖିବା ନିମନ୍ତେ ବିଲ୍ରେ ଦୃଢ଼ ପଦକ୍ଷେପ ନିଆଯିବାକୁ ସୁନିଶ୍ଚିତ କରାଯାଇଛି।