ମୋଦିଙ୍କ ଇଣ୍ଡୋନେସିଆ ଗସ୍ତକୁ ନେଇ ଚୀନ କାହିଁକି ଚିନ୍ତିତ ? ଏହାର କାରଣ ଜାଣନ୍ତୁ

ଜାକାର୍ତ୍ତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି । ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ପାଇଁ ଏହି ଗସ୍ତ ଉଦ୍ଦିଷ୍ଟ ବୋଲି ଭାରତ ସରକାର କହୁଛନ୍ତି । କିନ୍ତୁ ଏହି ଗସ୍ତକୁ ନେଇ ଚୀନ କାହିଁକି ଚିନ୍ତିତ ? ପ୍ରକୃତ କଥା ହେଉଛି ଇଣ୍ଡୋନେସିଆରେ ଭାରତ ଏକ ସାମରିକ ଘାଟି ପ୍ରତିଷ୍ଠା କରିବାକୁ ଯାଉଛି । ଆହୁରି ମଧ୍ୟ ଏହି ପ୍ରସ୍ତାବିତ ଘାଟିଟି ଏପରି ଏକ ସ୍ଥାନରେ ଅଛି ଯାହାକି ଚୀନ ପାଇଁ ସମସ୍ୟା ସୃଷ୍ଟି କରିବ । ମିଳିଥିବା ସୂଚନା ଅନୁଯାୟୀ ଇଣ୍ଡୋନେସିଆର ସାବାଙ୍ଗ ବନ୍ଦରର ବିକାଶ ଲାଗି ଭାରତକୁ ଇଣ୍ଡୋନେସିଆ ସରକାର ଆମନ୍ତ୍ରଣ କରିଛନ୍ତି । ଏହି ସାବାଙ୍ଗ ବନ୍ଦରଟି ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମଲାକ୍କା ପ୍ରାଣାଳୀ ବା ମଲାକ୍କା ଷ୍ଟ୍ରେଟ ନିକଟରେ ଅବସ୍ଥିତ ।

ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗର ମଧ୍ୟରେ ଏକ ପ୍ରମୁଖ ପ୍ରବେଶ ପଥ ହେଲା ଏହି ମଲାକ୍କା ଷ୍ଟ୍ରେଟ୍‌ । କେବଳ ଚୀନ, ନୁହେଁ ଜାପାନ, କୋରିଆ, ମାଲେସିଆ ଆଦି ଦେଶର ତୈଳବାହୀ ଓ ଅନ୍ୟାନ୍ୟ ସାମଗ୍ରୀ ଥିବା ଜାହାଜ ଏହି ବାଟ ଦେଇ ଯିବାଆସିବା କରନ୍ତି । କିନ୍ତୁ ଭାରତ ମହାସାଗରରେ ଚୀନର ପତିଆରା ବଢୁଥିବାରୁ ନିଜ ଜଳସୀମାର ରକ୍ଷା ପାଇଁ ଭାରତ ଏସବୁ ପଦକ୍ଷେପ ନେଉଛି । ଥାଇଲାଣ୍ଡ, ଇଣ୍ଡୋନେସିଆର ସୁମାତ୍ରା ମଧ୍ୟରେ ଥିବା ଷ୍ଟ୍ରେଟ୍‌ ଅଫ ମଲାକ୍କା ଦେଇ ଚୀନର ଯୁଦ୍ଧ ଜାହାଜ ବାରମ୍ବାର ଭାରତ ମହାସାଗରରେ ପ୍ରବେଶ କରୁଛି । ଏହାକୁ ଦେଖି ଭାରତ ଓ ଇଣ୍ଡୋନେସିଆ ଏପରି ସାମରିକ ଭାଗିଦାରୀ କରୁଛନ୍ତି । ପୁଣି ଏହି ପ୍ରବେଶପଥ ଅଳ୍ପ କିଛି ଦୂରରେ ରହିଛି ଭାରତର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ । ଏଠାରେ ମଧ୍ୟ ଭାରତର ସାମରିକ ଘାଟି ରହିଛି ।

ସମ୍ବନ୍ଧିତ ଖବର