କାହିଁକି ଜାରି ହେଲା ଏମର୍ଜେନ୍ସି? ଏମର୍ଜେନ୍ସିକୁ ଆରଏସ୍ଏସ୍‌ ସମର୍ଥନ କରୁଥିଲା କି?

୧୩ ଦିନ ପୂର୍ବର ଘଟଣାକ୍ରମ: ଇନ୍ଦିରାଙ୍କ ବିରୋଧରେ ଐତିହାସିକ ରାୟ ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ

ନୂ୍ଆଦିଲ୍ଲୀ: ଜୁନ୍‌ ୨୫, ୧୯୭୫ରେ ତତ୍କାଳୀନ ରାଷ୍ଟ୍ରପତି ଫକିରୁଦ୍ଦିନ୍‌ ଅଲି ଅହମଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନିର୍ଦ୍ଦେଶକ୍ରମେ ଏମର୍ଜେନ୍ସି (ଜରୁରୀ ପରିସ୍ଥିତି) ଘୋଷଣା କରିଥିଲେ। ସମ୍ବିଧାନର ଧାରା ୩୫୨ ଅଧୀନରେ ଜରୁରୀ ପରିସ୍ଥିତି ଘୋଷଣା ହୋଇଥିଲା। ତେବେ କେଉଁ କାରଣ ପାଇଁ ଦେଶରେ ଏମର୍ଜେନ୍ସି ଜାରି ହୋଇଥିଲା ତାହାକୁ ନେଇ ଅନେକ ବିତର୍କ ହୋଇଛି। ଏମର୍ଜେନ୍ସି ଘୋଷଣା ହେବାର ୧୩ ଦିନ ପୂର୍ବରୁ ଆହ୍ଲାବାଦ୍‌ ହାଇକୋର୍ଟ ଇନ୍ଦିରାଙ୍କ ବିରୋଧରେ ଏକ ଐତିହାସିକ ରାୟ ଦେଇଥିଲେ। ୧୯୭୧ ଲୋକସଭା ନିର୍ବାଚନରେ ଇନ୍ଦିରାଙ୍କ ଦ୍ବାରା ରାଏବରେଲିରେ ପରାଜିତ ହୋଇଥିବା ରାଜ ନାରାୟଣ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଇନ୍ଦିରା ନିର୍ବାଚନ ଜିତିବାପାଇଁ ସରକାରୀ କଳର ଅପବ୍ୟବହାର କରିଛନ୍ତି ବୋଲି ଅଭିଯୋଗ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆହ୍ଲାବାଦ୍‌ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଇନ୍ଦିରାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ବାରଣ କରିଥିଲେ ଏବଂ ୬ ବର୍ଷ ପର୍ଯ୍ୟନ୍ତ ସେ କୌଣସି ପଦବୀରେ ରହିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ।

ତେବେ ଇନ୍ଦିରା ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ, କିନ୍ତୁ ଇନ୍ଦିରାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ରହିବାପାଇଁ ଅନୁମତି ଦେଇଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଜୟପ୍ରକାଶ ନାରାୟଣ ଇନ୍ଦିରାଙ୍କ ଇସ୍ତଫା ଦାବି କରି ଲୋକମାନଙ୍କୁ ଆନ୍ଦୋଳନ ନିମନ୍ତେ ଏକଜୁଟ୍‌ ହେବାପାଇଁ ଆହ୍ବାନ ଦେଇଥିଲେ। ପରେ ମୋରାରଜୀ ଦେଶାଇ ଏବଂ ଜୟପ୍ରକାଶଙ୍କ ନେତୃତ୍ବରେ ଦେଶବ୍ୟାପୀ ଆନ୍ଦୋଳନ ‌ହୋଇଥିଲା। ବଡ଼ ଧରଣର ଆନ୍ଦୋଳନ ଏବଂ ବିରୋଧୀଙ୍କ ଚାପରେ ଅଣନିଶ୍ବାସୀ ହୋଇ ଇନ୍ଦିରା ଦେଶରେ ଏମର୍ଜେନ୍ସି ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ଜୁନ୍‌ ୨୫, ୧୯୭୫ରେ ଏମର୍ଜେନ୍ସି ଜାରି ହୋଇ ମାର୍ଚ୍ଚ ୨,୧ ୧୯୭୭ରେ ଶେଷ ହୋଇଥିଲା। ଏହା ମଧ୍ୟ ବିଶ୍ବାସ କରାଯାଏ ‌ଯେ ପୁଅ ସଂଜୟ ଗାନ୍ଧିଙ୍କ ପରାମର୍ଶକ୍ରମେ ଇନ୍ଦିରା ଏହି ନିଷ୍ପତ୍ତି ନେଇଥିଲେ। ପରିଶେଷରେ ଇନ୍ଦିରାଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଲା ଏବଂ ମୋରାରଜୀ ‌ଦେଶାଇ ୮୧ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହେଲେ। ଏପରିକି ଇନ୍ଦିରା ରାଏବରେଲିରୁ ହାରିଲେ ଏବଂ କଂଗ୍ରେସର ଆସନ ସଂଖ୍ୟା ୧୫୩କୁ କମି ଆସିଲା।

ଏମର୍ଜେନ୍ସିକୁ ଆରଏସ୍ଏସ୍‌ ସମର୍ଥନ କରୁଥିଲା କି?

 ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଦ୍ବାରା ୪୪ ବର୍ଷ ପୂ‌ର୍ବେ ଜୁନ୍‌ ୨୫ ତାରିଖରେ ଜାରି ହୋଇଥିବା ଜାତୀୟ ଜରୁରୀ ପରିସ୍ଥିତିକୁ ଆରଏସଏସ୍‌ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ) ସମର୍ଥନ କରିଥିଲା କି ନାହିଁ ସେନେଇ ଏବେ ବି ଦ୍ବନ୍ଦ୍ବ ଲାଗି ରହିଛି। ୧୯ ମାସର ଏମର୍ଜେନ୍ସି ସମୟ ମଧ୍ୟରେ ନାଗରିକଙ୍କ ମୌଳିକ ଅଧିକାରକୁ ବାତିଲ କରି ଦିଆଯାଇଥିଲା। ବହୁ ସଂଖ୍ୟାରେ ଆରଏସଏସ ସଦସ୍ୟ ତଥା ତତ୍କାଳୀନ ଆରଏସଏସ ମୁଖ୍ୟ ବାଲାସାହେବ ଦେଓରାସ୍‌, ଅଟଳ ବିହାରୀ ବାଜପେୟୀ ଏବଂ ଏଲକେ ଆଡଭାନୀଙ୍କ ପରି ରାଜନେତାମାନେ ଇନ୍ଦିରାଙ୍କ ଦ୍ବାରା ଜାରି ହୋଇଥିବା ଏମର୍ଜେନ୍ସି ପାଇଁ ଜେଲ୍‌ରେ ରହିଥିଲେ। କିନ୍ତୁ ଏବେ ବି ବିବାଦ ଉପୁଜିଛି ‌ଯେ ଇନ୍ଦିରାଙ୍କ ଦ୍ବାରା ଜାରି ହୋଇଥିବା ଜରୁରୀ ସ୍ଥିତିକୁ ଆରଏସଏସ୍‌ ସମର୍ଥନ କରିଥିଲା କି ନାହିଁ। ୨୦୧୫ ମସିହାରେ ଦାବି ହୋଇଥିଲା ଯେ ଆରଏସ୍ଏସ୍‌ ଏମର୍ଜେନ୍ସିର ସମର୍ଥନ କରିଥିଲା। ପୂର୍ବତନ ଆଇବି ମୁଖ୍ୟ ଟିଭି ରା‌ଜେଶ୍ବର ଏହି ଦାବି କରିଥିଲେ। ରାଜେଶ୍ବର କହିଥିଲେ ଆରଏସଏସ୍‌ କେବଳ ଏମର୍ଜେନ୍ସିକୁ ସମର୍ଥନ କରୁନଥିଲା ଏହା ଇନ୍ଦିରାଙ୍କ ବାଦ୍‌ ସଂଜୟ ଗାନ୍ଧିଙ୍କ ସହ ଯୋଗାଯୋଗ ରଖିବାକୁ ବି ଚାହିଥିଲା। ଆରଏସଏସ୍‌ ଇନ୍ଦିରା ଗାନ୍ଧୀ ସରକାରଙ୍କ ବିଂଶ ସୂତ୍ରୀ କାର୍ଯ୍ୟକ୍ରମକୁ ସାକାର କରିବାକୁ ପ୍ରସ୍ତୁତ ଥିଲା ବୋଲି ସେ କହିଥିଲେ। କିନ୍ତୁ ପ୍ରକୃତରେ ଆରଏସ୍‌ଏସ୍‌ ଏମର୍ଜେନ୍ସିକୁ ସମର୍ଥନ କରୁଥିଲା କି ନାହିଁ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର