ମୋଦି ୨୦୦ ଗାଈ କାହିଁକି ଦାନ ଦେଲେ ? ଜାଣନ୍ତୁ ଏହାର କାରଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫ୍ରିକୀୟ ଦେଶ ରୱାଣ୍ଡା ଗସ୍ତ କାଳରେ ସେଠାକାର ଏକ ଗ୍ରାମବାସୀମାନଙ୍କୁ ୨୦୦ ଭାରତୀୟ ଗାଈ ଉପହାର ଆକାରରେ ପ୍ରଦାନ କରିଛନ୍ତି । ତେବେ ଆମ ଦେଶରେ ଏହାକୁ ନେଇ ପ୍ରଶ୍ନ ଉଠିଛି ଯେ ମୋଦି ଏପରି ଅଜବ ଉପହାର କାହିଁକି ଦେଇଛନ୍ତି ? ତେବେ ଆସନ୍ତୁ ଜାଣିବା ଏହାର କାରଣ ସଂପର୍କରେ ।

ରୱାଣ୍ଡା ସରକାରଙ୍କ ଗିରିଙ୍କା କାର୍ଯ୍ୟକ୍ରମ ଅଧୀନରେ ଗ୍ରାମବାସୀମାନଙ୍କୁ ଏହି ଗାଈ ଭାରତ ପକ୍ଷରୁ ପ୍ରଦାନ କରାଯାଇଛି । ଗିରିଙ୍କା ଶବ୍ଦର ଆଫ୍ରିକୀୟ ଅର୍ଥ ହେଉଛି “ଆପଣ ଏକ ଗାଈ ରଖିପାରିବେ କି”। ରୱାଣ୍ଡା ସଂସ୍କୃତିରେ ଜଣେ ଗ୍ରାମବାସୀ ଅନ୍ୟ ଜଣଙ୍କୁ ଶ୍ରଦ୍ଧା ଓ ସମ୍ମାନର ପ୍ରତୀକ ସ୍ୱରୂପ ଗୋଦାନ କରିଥାନ୍ତି । ଏହି ଆଫ୍ରିକୀୟ ଦେଶର ପିଲାମାନଙ୍କଠାରେ ପୁଷ୍ଟିହୀନତା ହାର ପ୍ରବଳ ହେବାପରେ ରାଷ୍ଟ୍ରପତି ପଲ କଗାମେ ଗିରିଙ୍କା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପରିବାରକୁ ଗୋଟିଏ ଲେଖାଏଁ ଦୁଧିଆଳୀ ଗାଈ ପ୍ରଦାନ ଲାଗି ପ୍ରୟାସ କରାଯାଉଛି । କେବଳ ସେତିକି ନୁହେଁ ସମନ୍ୱିତ ପ୍ରାଣୀଧନ ଓ ବହୁମୁଖୀ ଫସଲ କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଂଚଳ ଦାରିଦ୍ର୍ୟ ହ୍ରାସ କରିବା ଲାଗି ଉଦ୍ୟମ କରାଯାଉଛି । ଗରିବ ପରିବାରମାନେ ଦୁଧିଆଳୀ ଗାଈକୁ ଲାଳନ ପାଳନ କରି କ୍ଷୀର, ଦହି, ଘିଅ, ଛେନା ଆଦି ସୁମିଷ୍ଟ ଓ ପୌଷ୍ଟିକ ଖାଦ୍ୟ ଜରିଆରେ ନିଜ ନିଜ ପିଲାମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରୁଛନ୍ତି ଏବଂ ଗାଈ ଗୋବରକୁ ଜୈବିକ ସାର ରୂପେ ମଧ୍ୟ ବ୍ୟାପକ ଭାବେ ରୱାଣ୍ଡାର ଗାଁ ଗାଁରେ ଉପଯୋଗ କରାଯାଉଛି ।

୨୦୦୬ ମସିହାରେ ଗିରିଙ୍କା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ସେହିଦିନଠାରୁ ଜୁନ ୨୦୧୬ ପର୍ଯ୍ୟନ୍ତ ଗରିବ ପରିବାରମାନଙ୍କୁ ୨,୪୮,୫୬୬ ଟି ଦୁଧିଆଳୀ ଗାଈ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ରୱାଣ୍ଡାରେ ଦୁଗ୍ଧ ଓ ଦୁଗ୍ଧଜାତ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବୃଦ୍ଧି ପାଉଛି ଏବଂ ପିଲାମାନଙ୍କଠାରେ ଅପପୁଷ୍ଟିର ହାର ମଧ୍ୟ ଯଥେଷ୍ଟ କମିଛି । ସେହିପରି ସେଠାରେ କୃଷି ଉତ୍ପାଦନ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି ।

ସମ୍ବନ୍ଧିତ ଖବର