କଣ୍ଡୋମ୍‌ ବିଜ୍ଞାପନ ଟିଭିରେ କାହିଁକି ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ପ୍ରସାରିତ ହେବ? କାରଣ ଦର୍ଶାଅ: ରାଜସ୍ଥାନ ହାଇକୋର୍ଟ

ନୂଆଦିଲ୍ଲୀ: କଣ୍ଡୋମ୍‌ ବିଜ୍ଞାପନ ଟିଭିରେ କାହିଁକି କେବଳ ମାତ୍ର ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ପ୍ରସାରିତ ହେବ, ସେ ସଂପର୍କରେ କାରଣ ଦର୍ଶାଇବା ପାଇଁ ବୁଧବାର ରାଜସ୍ଥାନ ହାଇକୋର୍ଟ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସମେତ କେନ୍ଦ୍ର ସରକାରଙ୍କ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ୧୧ ତାରିଖରେ କେନ୍ଦ୍ର ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରା ଯାଇଥିଲା। ଏହି ନିର୍ଦ୍ଦେଶନାମାରେ ଟିଭିରେ ପ୍ରସାରିତ ହେଉଥିବା କଣ୍ଡୋମ୍‌ ବିଜ୍ଞାପନ ଉପରେ ଅଙ୍କୁଶ ଲଗାଯିବା ସହ କଣ୍ଡୋମ୍‌ ବିଜ୍ଞାପନ ସବୁକୁ କେବଳ ମାତ୍ର ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ଟିଭିରେ ପ୍ରସାରିତ କରିବାକୁ ପରାମର୍ଶ ଦିଆ ଯାଇଥିଲା। ଏହାର ଉଲ୍ଲଂଘନ ହେଲେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ ଚେତାବନୀ ଦିଆ ଯାଇଥିଲା।

India Today

ମ୍ୟାନ୍‌ଫୋର୍ସ କମ୍ପାନି ପକ୍ଷରୁ ଅଭିନେତ୍ରୀ ସନ୍ନି ଲିଓନ୍‌ଙ୍କୁ ନେଇ ପ୍ରସ୍ତୁତ ହୋଇଥିବା କଣ୍ଡୋମ୍‌ ବିଜ୍ଞାପନ ଅଶ୍ଳୀଳ ଥିବା ଏବଂ ସନ୍ଧ୍ୟା ପ୍ରାଇମ୍‌ ଟାଇମ୍‌ରେ ଏହାକୁ ପ୍ରସାରଣ କରାଗଲେ ଅପ୍ରାପ୍ତ ବୟସ୍କା କମୋଳମତି ବାଳକ ବାଳିକାଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିବ ବୋଲି ଦର୍ଶାଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କଣ୍ଡୋମ୍‌ ବିଜ୍ଞାପନ ପ୍ରସାରଣ ଉପରେ ଅଙ୍କୁଶ ଲଗାଯିବା ସହ ସମସ୍ତ କଣ୍ଡୋମ୍‌ ବିଜ୍ଞାପନ ପ୍ରଦର୍ଶନକୁ କେବଳ ମାତ୍ର ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ସୀମିତ ରଖିବାକୁ କୁହାଯାଇଥିଲା।

ତେବେ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଏପ୍ରକାର ନିର୍ଦ୍ଦେଶନାମା ବିରୋଧରେ ରାଜସ୍ଥାନ ହାଇକୋର୍ଟରେ ଆଗତ ଏକ ମାମଲାକୁ ହାଇକୋର୍ଟ ଆଜି ବୀଚାର ପାଇଁ ଗ୍ରହଣ କରିବା ସହ ଏ ସଂପର୍କରେ କାରଣ ଦର୍ଶାଇବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସମେତ କେନ୍ଦ୍ର ସରକାରଙ୍କ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର