ଭାରତର ଏହି ଛୋଟିଆ ଉପଗ୍ରହକୁ ନେଇ ପାକିସ୍ତାନ ଛାନିଆ

0 1,855

ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ସଫଳତାର ସିଡ଼ି ଚଢିଚାଲିଥିବା ଭାରତ ଏବେ ବିଶ୍ୱର ହାତଗଣତି ଦେଶମାନଙ୍କ ମଧ୍ୟରେ ଗଣାଯାଉଛି । ଶୁକ୍ରବାରଦିନ ଏକାଥରକେ ୩୧ଟି ଉପଗ୍ରହ ପ୍ରେରଣ କରି ଭାରତ ଏ କ୍ଷେତ୍ରରେ ଏକ ବିରଳ ସଫଳତା ହାସଲ କରିଛି । କିନ୍ତୁ ଭାରତର ଏହି ସଫଳତା ପାକିସ୍ତାନକୁ ବେଶ ବାଧୁଛି । ସେଥିଲାଗି ବିଭିନ୍ନ ଆଳ ଦେଖାଇ ଭାରତର ମହାକାଶ ଗବେଷଣାକୁ ନେଇ ଆପତ୍ତି ଉଠାଇଛି ପାକିସ୍ତାନ ।

ବିଶେଷକରି ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଶୁକ୍ରବାରଦିନ ପ୍ରେରଣ କରାଯାଇବା ଏହି ୩୧ଟି କୃତ୍ରିମ ଉପଗ୍ରହ ମଧ୍ୟରେ ରହିଛି ଦେଶର ୧୦୦ ତମ ଉପଗ୍ରହ କାଟ୍ରୋସ୍ୟାଟ୍‌-୨ । ଏହାକୁ ନେଇ ହିଁ ପାକିସ୍ତାନ ଆପତ୍ତି ଉଠାଇଛି । ପାକିସ୍ତାନର ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଡଃ ମହମ୍ମଦ ଫୈଜଲ କହିଛନ୍ତି ଯେ ଭାରତ ପକ୍ଷରୁ ପଠାଯାଇଥିବା ଏହି ସାଟେଲାଇଟ୍‌ ଉଭୟ ବେସାମରିକ ଓ ସାମରିକ କାର୍ଯ୍ୟ ପାଇଁ ବ୍ୟବହାର କରିହେବ । ଏଣୁ ଏହା ଦ୍ୱାରା ଏ ଅଂଚଳରେ ସାମରିକ ଭାରସାମ୍ୟ ବାଧାପ୍ରାପ୍ତ ହେବ ।

ତେବେ ଏହି ଛୋଟିଆ ଉପଗ୍ରହକୁ ନେଇ ପାକିସ୍ତାନ ଆପତ୍ତି କେତେ ଯୁକ୍ତିଯୁକ୍ତ? ସାମରିକ ଓ ମହାକାଶ ବିଶେଷଜ୍ଞଙ୍କ ମତରେ ପାକିସ୍ତାନ ଆପତ୍ତି ଉଠାଇବା ଆଦୌ ଅମୂଳକ ନୁହେଁ । କାରଣ କାଟ୍ରୋସାଟ୍‌ ଏକ ଅତି ଶକ୍ତିଶାଳୀ ଉପଗ୍ରହ । ଏଥିରେ ଏକ ନୂଆ ଟେକନଲୋଜୀର ବ୍ୟବହାର କରାଯାଇଛି ଯଦ୍ୱାରା ରାତିରେ ହିଁ ବିଭିନ୍ନ ଅଂଚଳର ସ୍ପଷ୍ଟଚିତ୍ର ଉଠାଇହେବ । ପାକିସ୍ତାନ ଆଶଙ୍କା କରୁଛି ଯେ ଭାରତ ଏହାକୁ ବ୍ୟବହାର କରି ପାକିସ୍ତାନର ସବୁ ସଂବେଦନଶୀଳ ଅଂଚଳ, ମିଲିଟାରୀ କ୍ୟାମ୍ପ ଏପରିକି ଆତଙ୍କବାଦୀ ଶିବିର ଉପରେ ରାତିଦିନ ସବୁବେଳ ନଜର ରଖିପାରିବ । ଏପରି ହେଲେ ଭାରତକୁ ଆତଙ୍କବାଦୀ ପଠାଯିବା ପୂର୍ବରୁ ହିଁ ଭାରତୀୟ ସେନା ବୋଧହୁଏ ସେମାନଙ୍କୁ ଅପେକ୍ଷା କରି ରହିଥିବେ, ଶିକାର କରିବାକୁ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.