୨୦ ବର୍ଷ ତଳେ ଶିମ୍‌ଲାରେ ଯେଉଁଠି କଫି ପିଉଥିଲେ, ପୁଣି ସେଠାରେ କଫିର ସ୍ୱାଦ ନେଲେ ମୋଦି

ନୂଆଦିଲ୍ଳୀ: ପ୍ରତି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଭ୍ରମଣ କରୁଥିଲେ ମଧ୍ୟ ନିଜ ପୁରୁଣା ସ୍ମୃତିକୁ ଭୁଲି ନାହାନ୍ତି । ନିଜର ସରଳ ଜୀବନ ଶୈଳୀ ପାଇଁ ଜଣା ଯାଉଥିବା ନରେନ୍ଦ୍ର ମୋଦି ସବୁବେଳେ ନିଜ ମାଟିକୁ ପ୍ରଶଂସା କରିବାକୁ ଭୁଲନ୍ତି ନାହିଁ ।ବିଦେଶ ବୁଲୁଥିଲେ ମଧ୍ୟ ତାଙ୍କର ପସନ୍ଦର ସ୍ଥାନ ଏବେ ମଧ୍ୟ ବଦଳି ନାହିଁ । ପୂର୍ବ ପରି ଏବେ ମଧ୍ୟ ଶିମ୍‌ଲା ତାଙ୍କ ପସନ୍ଦର ସ୍ଥାନ ହୋଇ ରହିଛି ।
ସେହି ପୁରୁଣା ଦିନକୁ ମନେ ପକାଇବା ପାଇଁ ଆଜି ମୋଦି ଯାଇ ପହଞ୍ଚିଥିଲେ ଶିମ୍‌ଲାର ମଲ୍‌ରୋଡ଼ରେ ଥିବା ଇଣ୍ଡିଆନ କଫି ହାଉସରେ । ସେଠାରେ କଫି ପିଇବା ସହ ୨୦ ବର୍ଷ ପୂର୍ବର ପୁରୁଣା ସ୍ମୃତି ରୋମନ୍ଥନ କରିଥିଲେ ।
ମୁଁ ଯେତେବେଳେ ପାର୍ଟି କାମରେ ହିମାଚଳ ଆସେ ଏଇଠି ହିଁ କଫି ପିଇଥାଏ । ୨୦ ବର୍ଷ ତଳେ ସେ କଫିର ଯେପରି ସ୍ୱାଦ ଥିଲା ଏବେ ମଧ୍ୟ ସେହିଭଳି ଅଛି । କିଛି ବଦଳି ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ୍‌ କରିଥିଲେ ।


ନିଜର ଅନୁଭୁତିକୁ ଲେଖିବା ସହ ନିଜର ଏକ ଫଟୋ ମଧ୍ୟ ଟ୍ଵିଟର ଆକାଉଣ୍ଟରେ ଅପଲୋଡ଼ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯେଉଁଥିରେ ସେ ବ୍ରାଉନ ରଙ୍ଗର ହିମାଚଳୀ ଟୋପି ସହ ଉଲ୍‌ରେ ବୁଣା ଯାଇଥିବା ଏକ େଓ୍ଵଷ୍ଟକୋଟ ପିନ୍ଧି ଥିବା ଦେଖାଯାଇଛି ।
ଏତେ ଦିନ ପରେ ସେଠାକୁ ଯାଇଥିବାରୁ ତାଙ୍କର ପ୍ରଶଂଶକମାନଙ୍କର କ୍ୟାଫେଟେରିଆ ବାହାରେ ଭିଡ଼ ଲାଗିବା ସହ ଅନେକ ତାଙ୍କ ସହ ସେଲ୍‌ଫି ନେଉଥିବାର ଦେଖାଯାଇଥିଲା । ହିମାଚଳ ପ୍ରଦେଶରେ ନୂଆ ବିଜେପି ସରକାରଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସେଠାକୁ ଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର