ସ୍ୱାମୀ ମୃତ୍ୟୁର ୨୭ ବର୍ଷ ପରେ ମୂଲାୟମ ସିଂହ ଯାଦବଙ୍କ ବିରୋଧରେ କୋର୍ଟରେ ମାମଲା ଦାୟର କଲେ ମହିଳା

ଫୈଜାବାଦ: ପୁଲିସ ଗୁଳିରେ ୨୭ ବର୍ଷ ତଳେ ମୃତ୍ୟୁବରଣ କରିଥିବା ଜଣେ କରସେବକଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ହତ୍ୟା ପାଇଁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୂଲାୟମ ସିଂହ ଯାଦବ ଦାୟୀ ବୋଲି କହିବା ସହିତ ତାଙ୍କ ବିରୋଧରେ ସ୍ଥାନୀୟ କୋର୍ଟରେ ମାମଲା ଦାୟର କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ,୧୯୯୦ ମସିହା ନଭେମ୍ବର ମାସ ୨ ତାରିଖ ଦିନ ବିଶ୍ୱହିନ୍ଦୁ ପରିଷଦର କରସେବକ ରମେଶ ପାଣ୍ଡେଙ୍କର ପୁଲିସ ଗୁଳିରେ ମୃତ୍ୟୁ ଘଟିଥିଲା। ରକସେବକମାନେ ଅଯୋଧ୍ୟାର ବିବାଦୀୟ ଢ଼ାଞ୍ଚା ଭାଙ୍ଗିବା ପାଇଁ ମାଡିଆସୁଥିବା ବେଳେ କରସେବକମାନଙ୍କ ଉପରକୁ ଗୁଳି ଚଳାଇବାକୁ ତତ୍‌କାଳୀନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୂଲାୟମ ସିଂହ ଯାଦବ ନିର୍ଦ୍ଦେଶ ଦେଇଥିଲେ।ଗତ ସପ୍ତାହରେ ତାଙ୍କ ଜନ୍ମ ଦିନ ପାଳନ ଅବସରରେ ମୂଲାୟମ ସିଂହ ଯାଦବ ଏକ ବକ୍ତବ୍ୟ ଦେଇ କହିଥିଲେ ଯେ ସେ କରସେବକଙ୍କ ଉପରକୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେବା ପରେ ମୁସଲମାନ ଯୁବକମାନଙ୍କୁ ଆଉ ନିଜ ହାତରେ ଅସ୍ତ୍ର ଧରିବାକୁ ପଡ଼ି ନ ଥିଲା।ଏ ନେଇ ମୃତ ରେମଶ ପାଣ୍ଡେଙ୍କ ପତ୍ନୀ ଗାୟତ୍ରୀ ଦେବୀ ଫୈଜାବାଦର ଏକ କୋର୍ଟରେ ମୂଲାୟମ ସିଂହ ଯାଦବଙ୍କ ବିରୋଧରେ ଦଫା ୩୦୨, ଓ ୧୨୦ (ଖ)ରେ ଏକ ନରହତ୍ୟା ମାମଲା ରୁଜୁ କରିଛନ୍ତି। ଗାୟତ୍ରୀ ଦେବୀଙ୍କ ଓକିଲ ବିଶାଳ ଶ୍ରୀବାସ୍ତବ କହିଛନ୍ତି ଯେ ଏ ନେଇ ଅତିରିକ୍ତି ଜିଫ୍‌ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍‌ ରବୀନ୍ଦ୍ର ଦୁବେଙ୍କ କୋର୍ଟରେ ମାମଲା ରୁଜୁ କରାଯାଇଛି। କୋର୍ଟ ଏହି ଆବେଦନକୁ ତର୍ଜମା କରୁଛନ୍ତି। ଖୁବ୍‌ ଶୀଘ୍ର ଏ ନେଇ କୋର୍ଟ ଆମ ସପକ୍ଷରେ ରାୟ ଦେବେ ବୋଲି ଶ୍ରୀ ଶ୍ରୀବାସ୍ତବ କହିଛନ୍ତି।
ଏ ନେଇ ଗାୟତ୍ରୀ ଦେବୀ କହିଛନ୍ତି ଯେ ୧୯୯୦ ମସିହା ନଭେମ୍ବର ମାସ ଦୁଇ ତାରିଖ ସକାଳେ ତାଙ୍କ ସ୍ୱାମୀ ରମେଶ ପାଣ୍ଡେ ଘରୁ ଗଲା ବେଳେ ଶୀଘ୍ର ଫେରୁଛି ବୋଲି କହି ଯାଇଥିଲେ। କିନ୍ତୁ ସନ୍ଧ୍ୟାବେଳେ ମୁଁ ସୂଚନା ପାଇଲି ଯେ ମୋ ସ୍ୱାମୀ ପୁଲିସ ଗୁଳିରେ ମୃତ୍ୟୁବରଣ କରିଛନ୍ତି। ଗତ ୨୭ ବର୍ଷହେବ ମୋ ସ୍ୱାମୀଙ୍କୁ କିଏ ଓ କାହିଁକି ମାରିଲେ ବୋଲି ଚିନ୍ତା କରିବା ସହିତ ଏ ନେଇ ଅନ୍ଧାରରେ ଥିଲି। ନିକଟରେ ମୂଲାୟମ ସିଂହ ଯାଦବ ତାଙ୍କ ବକ୍ତବ୍ୟରେ କରସେବକଙ୍କ ଉପରକୁ ଗୁଳି ଚଳାଇବା ପାଇଁର୍ ସେ ନିର୍ଦ୍ଦେଶ ଦେଇଥିବା କହିବା ପରେ ମୁଁ ଶ୍ରୀ ଯାଦବଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିବାକୁ କୋର୍ଟରେ ଅନୁରୋଦ କରିଛି।

ସମ୍ବନ୍ଧିତ ଖବର