ଡିୟୁଟିକୁ ଫେରିଯିବାକୁ ଯବାନ ଅଟଳ ରହିବାରୁ ଆତ୍ମହତ୍ୟା କଲେ ପତ୍ନୀ

ରାଜକୋଟ: ସ୍ୱାମୀଙ୍କୁ ହରାଇବା ଭୟରେ ଶନିବାର ରାତିରେ ଦେବଭୂମୀ ଦ୍ୱାରାକା ଜିଲ୍ଲାର ଖମ୍ଭାଲିୟା ସହରରେ ଜଣେ ଭାରତୀୟ ସେନା ଯବାନଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି।

୨୨ ବର୍ଷୀୟ ମୀନାକ୍ଷି ଜେଠ୍‌ଓ୍ଵା ସହରର ଯୋଗେଶ୍ୱରନଗର ଅଞ୍ଚଳରେ ଥିବା ତାଙ୍କ ଘର ସିଲିଙ୍ଗ୍‌ ଫ୍ୟାନ୍‌ରେ ରଶି ଦେଇ ଆତ୍ମହତ୍ୟା କରିଥିବା କଥା ତାଙ୍କ ସ୍ୱାମୀ ଦେଖିଲେ।

ଜେଠ୍‌ଓ୍ଵା ଜମ୍ମୁ ଓ କଶ୍ମୀରର ଗୁଲ୍‌ମାର୍ଗ ଠାରେ ନିଯୁକ୍ତି ହୋଇଥିଲେ। ଶୋକସନ୍ତପ୍ତ ପରିବାରର ସଦସ୍ୟମାନଙ୍କୁ ପଚରା ଉଚୁରା କରିବା ପରେ ଜଣା ପଡ଼ିଲା ଯେ ଜେଠ୍‌ଓ୍ଵା ଅଳ୍ପ କେତେ ଦିନ ତଳେ ଛୁଟିରେ ଘରକୁ ଆସିଥିଲେ। କଶ୍ମୀର ଉପତ୍ୟକାରେ ସେ ଗୋଟାଏ ତୁଷାର ସ୍ଖଳନରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବୋଲି ପରିବାର ଲୋକେ ଖାମ୍ଭାଲିଆ ପୁଲିସକୁ କହିଛନ୍ତି।

ଏପରି କଥାରେ ମୀନାକ୍ଷି ଛାନିଆ ହୋଇ ଯାଇଥିଲେ। ତା’ସଙ୍ଗକୁ ପୁଲ୍‌ଓ୍ଵାମା ଆକ୍ରମଣରେ ୪୪ ଜଣ ସିଆର୍‌ପିଏଫ୍‌ ଯବାନଙ୍କ ମୃତ୍ୟୁ ଘଟନାରେ ମିନାକ୍ଷି ବିଚଳିତ ହୋଇ ଯାଇଥିଲେ।

ଦୁଇ ବର୍ଷ ତଳେ ଭୂପେନ୍ଦ୍ର ସିଂହଜେଠ୍‌ଓ୍ଵାଙ୍କୁ ବାହା ହୋଇଥିବା ମୀନାକ୍ଷି ଡିୟୁଟିକୁ ନ ଫେରିବା ଲାଗି ଅନୁନୟ ହୋଇ କହିଥିଲେ। କିନ୍ତୁ, ତାଙ୍କର ଛୁଟି ସମୟ ସରି ଆସୁଥିବାରୁ ଡିୟୁଟିରେ ଯୋଗ ଦେବାକୁ ଯିବେ ବୋଲି ଭୂପେନ୍ଦ୍ର ଅଡ଼ି ବସିଥିଲେ।

ଏକ ସାମାଜିକ ଅନୁଷ୍ଠାନରୁ ଯୋଗ ଦେଇ ଶନିବାର ରାତିରେ ଜେଠ୍‌ଓ୍ଵା ପରିବାର ଘରକୁ ଫେରିବା ପରେ ଦେଖିଲେ ଉପର ତାଲାର କୋଠରି ବନ୍ଦ। ଭିତରେ ମୀନାକ୍ଷି ଶୋଇଥିବ ଭାବି ଜେଠ୍‌ଓ୍ଵା ତାଙ୍କୁ ନ ଉଠାଇ ତଳ ତାଲାରେ ଶୋଇବାକୁ ମନସ୍ଥ କଲେ। ରବିବାର ସକାଳେ ମୀନାକ୍ଷି କବାଟ ନ ଖୋଲିବାରୁ ଭୂପେନ୍ଦ୍ର କବାଟ ତାଡ଼ି ଦେଖିଲେ ସେ ଆତ୍ମହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର