ବିବାହ ପରେ ସ୍ତ୍ରୀର ଧର୍ମ ବିଶ୍ୱାସ ସ୍ୱାମୀଙ୍କ ଧର୍ମ ବିଶ୍ୱାସ ସହ ମିଶିଯାଏ ନାହିଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବିବାହ ପରେ ସ୍ୱାମୀଙ୍କ ଧର୍ମ ବିଶ୍ୱାସ ସହ ସ୍ତ୍ରୀଙ୍କ ଧର୍ମ ବିଶ୍ୱାସ ଏକାଠି ମିଶିଯାଏ ବୋଲି ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।

ଭିନ୍ନ ସମ୍ପ୍ରଦାୟରେ ବିବାହ କରିଥିବା ଜଣେ ପାର୍ସି ମହିଳାଙ୍କୁ ‘ଟାଓ୍ଵାର୍‌ ଅଫ୍‌ ସାଇଲେନ୍‌ସ୍‌’ରେ ପ୍ରବେଶ କରିବାକୁ ‘ବାଲ୍‌ସାଦ୍‌ ଜୋରାଷ୍ଟ୍ରିଆନ୍‌ ଟ୍ରଷ୍ଟ୍‍’ ବାରଣ କରିଥିବାରୁ ଏହି ମାମଲା ଉପୁଜିଥିଲା। ନିଜ ପିତାମାତଙ୍କର ଶେଷକୃତ୍ୟ ସମାପନ କରିବାକୁ ସେ ମହିଳାଙ୍କୁ ଅନୁମତି ମିଳି ନ ଥିଲା। ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସୁପ୍ରିମ୍‌ କୋର୍ଟ ‘ବାଲ୍‌ସାଦ୍‌ ଜୋରାଷ୍ଟ୍ରିଆନ୍‌ ଟ୍ରଷ୍ଟ୍‍’କୁ ଅନୁରୋଧ କରିଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ୍‌ ଏ କେ ସିକ୍ରି, ଏ ଏମ୍‌ ଖାନଓ୍ଵିଲ୍‌କର୍‌, ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଏହା ସ୍ୱେଚ୍ଛାଚାର ବୋଲି ମନେ ହେଉଛି। ଭିନ୍ନ ସମ୍ପ୍ରଦାୟରେ ବିବାହ କଲେ ମଧ୍ୟ ଜଣେ ପାର୍ସି ପୁରୁଷ ‘ଟାଓ୍ଵାର୍‌ ଅଫ୍‌ ସାଇଲେନ୍‌ସ୍‌’ରେ ପ୍ରବେଶ କରି ପାରୁଛନ୍ତି, କିନ୍ତୁ ମହିଳାଙ୍କ ପାଇଁ ତାହା ନିଷିଦ୍ଧ କରାଯାଉଛି।

ବାଲ୍‌ସାଦ୍‌ ଟ୍ରଷ୍ଟ୍‍ ଗୁଲରୋଖ ଏମ୍‌ ଗୁପ୍ତଙ୍କୁ ‘ଟାଓ୍ଵାର ଅଫ୍‌ ସାଇଲେନସ୍‌’କୁ ପ୍ରବେଶ କରିବାକୁ ମନା କରି ଦେଇଥିଲା। ଖଣ୍ଡପୀଠ କହିଛନ୍ତି ଯେ ବିବାହ ଭିତ୍ତିରେ ଜଣେ ମହିଳାଙ୍କ ନାଗରିକ ଅଧିକାର କଦାପି ଛିନ୍ନ କରାଯାଇ ପାରିବ ନାହିଁ।
ଗୁଲ୍‌ରୋଖ ଏମ୍‌ ଗୁପ୍ତଙ୍କ ତରଫରୁ ଲଢୁଥିବା ବରିଷ୍ଠ ଆଡ୍‌ଭୋକେଟ୍‌ ଇନ୍ଦିରା ଜୟସିଂହଙ୍କ ଯୁକ୍ତିକୁ ପ୍ରଶଂସା କରିଥିଲେ। ଗୁଲ୍‌ରୋଖ୍‌ ଜଣେ ହିନ୍ଦୁଙ୍କୁ ବାହା ହୋଇଛନ୍ତି। ଖଣ୍ଡପୀଠ କହିଛନ୍ତି, ବିବାହ ଅର୍ଥ ନୁହେଁ ଯେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ନିକଟରେ ବନ୍ଧା ପଡ଼ିଛନ୍ତି। ବମ୍ବେ ହାଇକୋର୍ଟ ଘୋଷଣା କରିଥିବା ମିଶ୍ରଣ ନୀତିକୁ ଆମେ ଗ୍ରହଣ କରୁନାହୁଁ।

ସମ୍ବନ୍ଧିତ ଖବର