‘ମୁଁ ଲାଉ ବେପାରି ନୁହଁ; ଯିଏ ମୋ ସରକାରରେ ନଖ ଖେଞ୍ଚିବାକୁ ଚେଷ୍ଟା କରିବ, ତା’ ନଖ ସମେତ ଆଙ୍ଗୁଠିକୁ କାଟି ସର୍ବସାଧାରଣରେ ଫୋପାଡ଼ି ଦେବି’: ତ୍ରପୁରା ମୁଖ୍ୟମନ୍ତ୍ରୀ ଶ୍ରୀ ଦେବ

ନୂଆଦିଲ୍ଲୀ: କୌଣସି ପ୍ରକାରର କିଛି ବି ହେଲେ କାରଣ ନଥାଇ, ସଂପୂର୍ଣ୍ଣ ଅଯଥାରେ ନାନା ରକମର ବିବାଦୀୟ ଓ ଅପ୍ରାସଙ୍ଗିକ ବକ୍ତବ୍ୟ ସାଧାରଣରେ ପ୍ରଦାନ କରିବା ଓ ଏହାକୁ ନେଇ ଚର୍ଚ୍ଚାରେ ରହିବା ବୋଧହୁଏ ଏବେ ତ୍ରପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ଏକ ଅଭ୍ୟାସ ଅଥବା ରୋଗରେ ପରିଣତ ହୋଇ ପଡ଼ିଛି! ନ ହୋଇଥିଲେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତାଗିଦ୍‌କୁ ଭ୍ରୁକ୍ଷେପ ନକରି ପ୍ରତ୍ୟେକ ଦିନ ଏହିପରି ହରକତ୍‌ କରିବାକୁ ସେ ସାହସ ଜୁଟାଇ ପାରନ୍ତେ ନାହିଁ!

ବିଗତ କିଛିଦିନ ଧରି ମୁଖ୍ୟମନ୍ତ୍ରୀ ଦେବ ତାଙ୍କର ଏହି ଧାରାକୁ ଜାରି ରଖିଥିବା ବେଳେ, ଏହି କ୍ରମରେ ଆଜି ଆଉ ପାଦେ ଆଗେଇ ଯାଇଛନ୍ତି। ଆଉ ଖୋଲାଖୋଲି କହିଛନ୍ତି, ‘ମୋ ସରକାରରେ କେହି ଯଦି ହାତ ମାରିବ, ଅଥବା ନଖ ଖେଞ୍ଚିବାକୁ ଚେଷ୍ଟା କରିବ, ତାହେଲେ ମୁଁ ଆଦୌ ହେଲେ ବରଦାସ୍ତ କରିବି ନାହିଁ। ସିଧା ନଖ ସମେତ ଆଙ୍ଗୁଠି କାଟି ଦେବି।’


ପୁଣି ନିଜ ବକ୍ତବ୍ୟକୁ ଆହୁରି ଅଧିକ ପ୍ରାଞ୍ଜଳ ଭାବେ ବୁଝାଇବାକୁ ଯାଇ କହିଛନ୍ତି, ‘ମୁଁ ଲାଉ ବେପାରି ନୁହେଁ। କାରଣ, ଲାଉ ବେପାରି ସକାଳ ୮ଟା ବେଳକୁ ଲାଉ ଧରି ବିକିବାକୁ ହାଟକୁ ଆସେ। ଆଉ ୯ଟା ବେଳସୁଦ୍ଧା ଗରାଖ ବା ଲୋକମାନେ ସେଇ ଲାଉରେ ସେମାନଙ୍କ ନଖ ଖେଞ୍ଚି ଖେଞ୍ଚି ଲାଉଟିକୁ ଖରାପ କରିଦିଅନ୍ତି। ସେଠୁ ଲାଉ ବେପାରି ସେଇ ଖରାପ ଲାଉଟିକୁ ଗାଈକୁ ଖୁଆଇ ଦିଏ କିମ୍ବା ନିଜ ଘରକୁ ନେଇ ଚାଲିଯାଏ। କିନ୍ତୁ, ମୁଁ ଲାଉ ବେପାରି ନୁହେଁ; ଯିଏ ମୋ ସରକାରକୁ ଲାଉ ବୋଲି ଭାବି ନଖ ଖେଞ୍ଚିବାକୁ ଚେଷ୍ଟା କରିବା ତ ଦୂରର କଥା ଯଦି ଛୁଇଁବାକୁ ବି ଚେଷ୍ଟା କରେ, ତେବେ ସେ କ୍ଷେତ୍ରରେ ମୁଁ ତା’ର ନଖ ସମେତ ଆଙ୍ଗୁଠିକୁ କାଟି ସର୍ବସାଧାରଣରେ ଫୋପାଡ଼ି ଦେବି।’
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, କୌଣସି ପ୍ରକାରର ବିବାଦୀୟ ଅଥବା ‘ମସଲାଦାର’ ମନ୍ତବ୍ୟ ଦେଇ ଗଣମାଧ୍ୟରେ ଚର୍ଚ୍ଚାରେ ରହିବାକୁ ଉଦ୍ୟମ ନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ସମସ୍ତ ନେତାଙ୍କୁ ସ୍ପଷ୍ଟ ଭାବେ ଚେତନାବତୀ ଦେଇଛନ୍ତି। ହେଲେ, ଏହା ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କ ଉପରେ କିଛି ପ୍ରଭାବ ପକାଇ ପାରିନାହିଁ।
ନିକଟରେ ଅଭିନେତ୍ରୀ ତଥା ମଡେଲ୍‌ ଡାଇନା ହିଡେନ୍‌ଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଡାଇନା ହିଡେନ୍‌ ବିଶ୍ୱ ସୁନ୍ଦରୀ ହେବା ପାଇଁ ଯୋଗ୍ୟା ନୁହଁନ୍ତି ବୋଲି କହିବା ସହ ଇଣ୍ଟରନେଟ୍‌ ଓ ସାଟେଲାଟ୍‌ ମହାଭାରତ ସମୟରେ ଥିଲା, କେବଳ ସିଭିଲ୍‌ ଇଞ୍ଜିନିୟରିଂ ଛାତ୍ର ହିଁ ସିଭିଲ୍‌ ସର୍ଭିସ ପାଇଁ ପରୀକ୍ଷା ଦେଇପାରିବେ। ମେକାନିକାଲ୍‌ କି ଅନ୍ୟ କୌଣସି ଛାତ୍ର ଦେଇପାରିବେ ନାହିଁ, ଯୁବକମାନେଙ୍କୁ ଚାକିରି ପଛରେ ନଗୋଡ଼ାଇ ଗାଈ ରଖି ବେପାର କରନ୍ତୁ ଇତ୍ୟାଦି ଇତ୍ୟାଦି ବିବାଦୀୟ ବକ୍ତବ୍ୟ ଦେଇ ନିଜେ ଚର୍ଚ୍ଚାରେ ରହବା ସହ ପୂରା ଦଳକୁ ଅଯଥାରେ ବିବାଦ ମଧ୍ୟକୁ ଠେଲି ଦେଉଛନ୍ତି।
ତେବେ, ମୁଖ୍ୟମନ୍ତ୍ରୀ ଦେବଙ୍କ ଆଜିର ବକ୍ତବ୍ୟ ସବୁ ସୀମା ଟପି ଯିବା ପରେ ଆସନ୍ତା କାଲି (ବୁଧବାର) ନୂଆଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟିବା ପାଇଁ ତାଙ୍କୁ ସମନ୍‌ କରା ଯାଇଥିବା ଦଳୀୟ ସୂତ୍ରରୁ ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର