ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା : କ୍ରିକେଟରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିପାରନ୍ତି ମହେନ୍ଦ୍ର ସିଂହ ଧୋନୀ!

ନୂଆଦିଲ୍ଲୀ : ସେମିଫାଇନାଲରେ ପରାସ୍ତ ହେବା ପରେ ବିଶ୍ୱକପରୁ ଟିମ୍ ଇଣ୍ଡିଆ ବାଦ୍ ପଡିଛି। ଆଉ ଏହାସହ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ମଧ୍ୟ ବଢି ଚାଲିଛି। କିନ୍ତୁ ଏସବୁ ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି। କ୍ରିକେଟରୁ ଅବସର ନେବା ପରେ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ଧୋନୀ। ବିଜେପିରେ ଦେଖିବାକୁ ମିଳିପାରେ ମାହିଙ୍କ ସେକେଣ୍ଡ ଇନିଂସ। ପୂର୍ବ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ପାଶୱାନଙ୍କ କହିବା ଅନୁଯାୟୀ ଖୁବଶୀଘ୍ର ଧୋନୀ କ୍ରିକେଟକୁ ଅଲବିଦା କହି ବିଜେପିର ସଦସ୍ୟତା ଗ୍ରହଣ କରିବେ। ଏଥିପାଇଁ ଧୋନୀଙ୍କ ସହ ଅନେକ ଥର ଆଲୋଚନା ହୋଇସାରିଥିବା କହିଛନ୍ତି ସଞ୍ଜୟ।

ଜାତୀୟ ଗଣମାଧ୍ୟମକୁ ସଞ୍ଜୟ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଧୋନୀ କ୍ରିକେଟ ଜରିଆରେ ଦେଶ ପାଇଁ ବହୁତ ସେବା କରି ଆସିଛନ୍ତି । କିନ୍ତୁ ଏବେ କ୍ରିକେଟରୁ ସନ୍ୟାସ ନେଇ ସମାଜସେବା ଓ ଦେଶ ସେବା ପାଇଁ ରାଜନୀତିକୁ ଆସିବା ଆବଶ୍ୟକ। ଧୋନୀଙ୍କ ସହ ଏ ବାବଦରେ ବହୁ ବାର ଆଲୋଚନା ହୋଇଛି। କେବଳ ଧୋନୀଙ୍କ ଗ୍ରୀନ୍ ସିଗନାଲକୁ ଅପେକ୍ଷା କରାଯାଇଛି।

ଧୋନୀଙ୍କୁ ରାଜନୀତିରେ ଏଣ୍ଟ୍ରି କରିବା ପୂର୍ବରୁ କ୍ରିକେଟରୁ ଅବସର ନେବାକୁ ପଡିବ। ପୂର୍ବରୁ ଧୋନୀ ଟି-୨୦ ଓ ଟେଷ୍ଟ ଫର୍ମାଟରୁ ଅବସର ନେଇ ସାରିଥିବା ବେଳେ ଏବେ କେବଳ ଦିନିକିଆ ମ୍ୟାଚ୍ ଖେଳୁଛନ୍ତି। ତେଣୁ ଦିନିକିଆ କ୍ରିକେଟକୁ ଅଲବିଦା କହିବା ପରେ ଧୋନୀ ରାଜନୀତିରେ ନୂଆ ଇନିଂସ ଖେଳିପାରନ୍ତି। ଏହାପୂର୍ବରୁ ବିଜେପିରେ ଅନେକ କ୍ରିକେଟର ସାମିଲ ହୋଇଛନ୍ତି। ପଞ୍ଚାବର କଂଗ୍ରେସ ସରକାରରେ ମନ୍ତ୍ରୀ ଥିବା ନବଜୋତ ସିଂହ ସିଦ୍ଧୁ ପୂର୍ବରୁ ବିଜେପିରେ ସାମିଲ ହେବା ସହ ପଲିଟିକ୍ସରେ ଏଣ୍ଟ୍ରି ମାରିଥିଲେ। ସେହିଭଳି ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର। ପରେ ଗମ୍ଭୀରଙ୍କୁ ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ କରିଥିଲା ଦଳ। ଆଉ ଗମ୍ଭୀର ମଧ୍ୟ ବିଜୟ ହୋଇ ରାଜନୀତିରେ ନୂଆ କ୍ୟାରିୟର ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର