ନିରବ ମୋଦି ଓ ବିଜୟ ମାଲ୍ୟାକୁ ଭାରତକୁ ଦେବୁ : ବ୍ରିଟେନ

ନୂଆଦିଲ୍ଲୀ : ବିଶ୍ୱର ପଳାତକ ଅପରାଧୀମାନେ ବ୍ରିଟେନକୁ ନିଜର ଚରାଭୂଇଁରେ ପରିଣତ କରିଥିବାରୁ ଖୋଦ ବ୍ରିଟିଶ ସରକାର ମଧ୍ୟ ଚିନ୍ତିତ ହୋଇଯାଇଛନ୍ତି । ବିଶେଷକରି ବିଜୟ ମାଲ୍ୟା, ଲଲିତ ମୋଦି ଓ ଏବେ ନିରବ ମୋଦି ଲଣ୍ଡନରେ ଥିବାରୁ ବ୍ରିଟେନ ଉପରେ ଭାରତର ଚାପ ପଢିଯାଇଛି । ଏଥିପାଇଁ ଏସବୁ ପଳାତକଙ୍କ ପ୍ରତ୍ୟାର୍ପଣ ପାଇଁ ବ୍ରିଟିଶ ସରକାର ଭାରତକୁ ସହଯୋଗ କରିବାକୁ ସଂକେତ ଦେଇଛନ୍ତି ।

ବ୍ରିଟେନର ଆତଙ୍କବାଦ ନିରୋଧ ମନ୍ତ୍ରୀ ବାରୋନେସ ଓ୍ଵିଲିୟମ୍ସ କହିଛନ୍ତି ଯେ ନିରବ ମୋଦି ଲଣ୍ଡନରେ ଅଛି । ତାକୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ବ୍ରିଟିଶ ସରକାର ସବୁପ୍ରକାରର ସହଯୋଗ କରିବାକୁ ରାଜି ଅଛନ୍ତି । ଏପରିକି ବିଜୟ ମାଲ୍ୟାକୁ ମଧ୍ୟ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ସହଯୋଗ କରାଯିବ । ଆତଙ୍କବାଦ ଉପରେ ଏଠାରେ ଅନୁଷ୍ଠିତ ଏକ ସମ୍ମିଳନୀ ଅବସରରେ ସେ ଏକଥା କହିଛନ୍ତି । ଏହି ଅବସରରେ ଭାରତର ଗୃହ ରାଜ୍ୟମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ କହିଛନ୍ତି ଉଭୟଙ୍କ ପ୍ରତ୍ୟାର୍ପଣ ସଂପର୍କରେ ଉଭୟ ଦେଶ ମଧ୍ୟରେ ଏକ ଫଳପ୍ରଦ ଆଲୋଚନା ହୋଇଛି । ଅନ୍ୟପକ୍ଷରେ ବ୍ରିଟେନରେ ରହି ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା କେତେକ ଗୋଷ୍ଠୀକୁ ଜବତ କରିବା ପାଇଁ ମଧ୍ୟ ବ୍ରିଟେନ ସରକାରଙ୍କୁ କୁହାଯାଇଥିବା ରିଜିଜୁ କହିଛନ୍ତି ।

ସୂଚନାଯୋଗ୍ୟ ଯେ ବହୁଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଇତି ମଧ୍ୟରେ ଲଣ୍ଡନ ପଳାଇଯାଇଛି । ଏପରିକି ସେ ବ୍ରିଟେନରେ ରାଜନୈତିକ ଆଶ୍ରୟ ପାଇଁ ଆବେଦନ କରିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର