ଉତ୍ତର କୋରିଆ ଆକ୍ରମଣ ନ କରିବ ବୋଲି ଆମେରିକା ଶପଥ କଲେ ଆମେ ଆଣବିକ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବୁ: କିମ୍‌

ସିଓଲ: ଆମେରିକା ଯଦି ଆନୁଷ୍ଠାନିକ ଭାବେ କୋରୀୟ ଯୁଦ୍ଧ ବନ୍ଦ କରିବାକୁ ରାଜି ହେବ ଏବଂ ଉତ୍ତର କୋରିଆକୁ ଆକ୍ରମଣ ନ କରିବାକୁ ଶପଥ କରିବ ତେବେ ଯାଇ କିମ୍‌ ଜୋଙ୍ଗ୍‌-ଉନ୍‌ ତାଙ୍କର ଆଣବିକ ଅସ୍ତ୍ରଶସ୍ତ୍ର ପରିତ୍ୟାଗ କରିବେ। ଏ କଥା ସେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁଉନ୍‌ ଜେ-ଇନ୍‌ଙ୍କୁ କହିଛନ୍ତି ବୋଲି ନିଜେ ମୁଉନ୍‌ ରବିବାର ଦିନ କହିଛନ୍ତି।

ଆସନ୍ତା ମାସରେ ଦକ୍ଷିଣ କୋରିଆ ଏବଂ ଆମେରିକାର ବିଶେଷଜ୍ଞ ଏବଂ ସାମ୍ବାଦିକମାନଙ୍କୁ ଆମନ୍ତ୍ରଣ କରି ସେମାନଙ୍କ ଉପସ୍ଥିତିରେ କିମ୍‌ ଉତ୍ତର କୋରିଆର ଏକମାତ୍ର ଜଣାଶୁଣା ଭୂତଳ ଆଣବିକ ପରୀକ୍ଷଣ ସ୍ଥଳ ବନ୍ଦ କରିବେ ବୋଲି କହିଛନ୍ତି।

ଉତ୍ତର କୋରିଆର ଆଣବିକ କାର୍ଯ୍ୟକ୍ରମକୁ ଖୁବ୍‌ ଶୀଘ୍ର ବନ୍ଦ କରାଇବା ପାଇଁ ଯୋଜନା କରାଯିବା ସଂକ୍ରାନ୍ତରେ ମଧ୍ୟ ଓ୍ଵାସିଂଟନ୍‌ରେ ଟ୍ରମ୍ପ୍‌ଙ୍କ ଅଧିକାରୀମାନେ ମଧ୍ୟ ସତର୍କତାର ସହ କହିଛନ୍ତି। ଉତ୍ତର କୋରିଆର ଆଣବିକ କାର୍ଯ୍ୟକ୍ରମ ଯଦି ଉତ୍ତର କୋରିଆ ତା’ର କୌଣସି ଆଣବିକ ଅସ୍ତ୍ରଶସ୍ତ୍ର ସଂକ୍ରାନ୍ତ କାର୍ଯ୍ୟକ୍ରମ ବାବଦରେ କିଛି ଗୋପନ ନ ରଖେ ତେବେ ସେସବୁ ବନ୍ଦ କରାଇବାକୁ ସମ୍ଭବତଃ ୨ ବର୍ଷ ଲାଗିଯିବ ବୋଲି ସେମାନେ କହୁଛନ୍ତି।

ଦୁଇ କୋରିଆର ସାଧାରଣ ଲକ୍ଷ୍ୟ ଭାବେ ଏକ ଆଣବିକମୁକ୍ତ କୋରୀୟ ଉପଦ୍ୱୀପ ଏବଂ ସମ୍ପୂର୍ଣ୍ଣ ପାରମାଣବିକ ନିରସ୍ତ୍ରୀକରଣ ସକାଶ ଶୁକ୍ରବାର ଦିନ କିମ୍‌ ଓ ମୁଉନ୍‌ ଏକ ମିଳିତ ଘୋଷଣାନାମା ସ୍ୱାକ୍ଷର କରିଛନ୍ତି। କିନ୍ତୁ, ଉଭୟ ନେତାଙ୍କ ଶିଖର ବୈଠକକାଳୀନ କାର୍ଯ୍ୟକ୍ରମର କିଛି କିଛି ଘଟଣା ଯାହା ବିଶ୍ୱ ବ୍ୟାପୀ ଗଣମାଧ୍ୟମରେ ପ୍ରସାରିତ ହେଉଛି, ସେଥିରେ ପାରମାଣବିକ ଅସ୍ତ୍ରଶସ୍ତ୍ର ପରିତ୍ୟାଗ କରିବାକୁ କିମ୍‌ ସର୍ବସାଧାରଣରେ ଘୋଷଣା କରି ନାହାନ୍ତି।

ସମ୍ବନ୍ଧିତ ଖବର