ରବିବାର ରାତି ୯ଟାରେ ସମସ୍ତେ ଏକା ସମୟରେ ଆଲୋକ ଲିଭାଇ ଦେଲେ ଗ୍ରୀଡ ବିଫଳ ହେବ କି ? କଣ କହୁଛି ଶକ୍ତି ମନ୍ତ୍ରାଳୟ

ନୂଆଦିଲ୍ଲୀ : ଆସନ୍ତା ରବିବାର ଦିନ ରାତି ୯ ଟା ସମୟରେ ଲୋକମାନେ ନିଜର ଘରର ଆଲୋକ ଲିଭାଇ ମହମବତୀ, ଦୀପ ଆଦି ଜାଳିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି । ତେବେ ଏହାକୁ ନେଇ କେତେକ ମହଲରେ ଚିନ୍ତା ପ୍ରକାଶ ପାଇଛି ଯେ ଏକାସମୟରେ ସବୁ ଲୋକ ଲାଇଟ୍ ଲିଭାଇଦେବା ଦ୍ୱାରା ଗ୍ରୀଡ ବିଫଳ ହେବାର ଆଶଙ୍କା ରହିଛନ୍ତି ।

ସାରାଦେଶରେ ଲକଡାଉନ ଚାଲିଥିବାରୁ ଏବେ ଅନେକ କାର୍ଯ୍ୟାଳୟ,ବ୍ୟବସାୟ ପ୍ରତିଷ୍ଠାନ, ସପିଂ ମଲ ଆଦି ବନ୍ଦ ରହିଛି । ଏହା ଦ୍ୱାରା ବିଦ୍ୟୁତ ଚାହିଦା ୨୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି । ଏହି ସ୍ଥିତିରେ ଲୋକମାନେ ଗୋଟିଏ ସମୟରେ ଆଲୋକ ଲିଭାଇଦେଲେ ତାହା ନାସନାଲ ଗ୍ରୀଡକୁ ହଠାତ ବିଫଳ କରିଦେବାର ଆଶଙ୍କା ରହିଛି । ମହାରାଷ୍ଟ୍ରର ଶକ୍ତିମନ୍ତ୍ରୀ ନିତିନ ରାଉତ ମଧ୍ୟ ଏନେଇ ଆଶଙ୍କା ପ୍ରକଟ କରିଛନ୍ତି ।
ତେବେ ଏହି ଆଶଙ୍କା ଅମୂଳକ ବୋଲି କହିଛି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ପ୍ରଧାନମନ୍ତ୍ରୀ ଆଲୋକ ବନ୍ଦ କରିବାକୁ କହିଛନ୍ତି, ଏହାର ଅର୍ଥ ନୁହେଁ ଯେ ଘରର ଫ୍ୟାନ,ଫ୍ରିଜ,ଟିଭି, ଏସି ଆଦି ବନ୍ଦ ରହିବ । ଲୋକମାନେ ଏଗୁଡ଼ିକୁ ଚାଲୁରଖିପାରିବେ । ଆହୁରିମଧ୍ୟ ଆଜିକାଲି ସମସ୍ତେ ଏଲଇଡି ବଲବ ବ୍ୟବହାର କରୁଥିବାରୁ ସେଗୁଡ଼ିକର ଶକ୍ତି ବ୍ୟବହାର କମ ରହିଥାଏ । ଏଣୁ ଗ୍ରୀଡ ବିଫଳ ହେବା କଥା ଅମୂଳକ ।

ସମ୍ବନ୍ଧିତ ଖବର