ସମସ୍ତଙ୍କ ନଜର ଏବେ ସୁପ୍ରିମ୍‌ କୋର୍ଟଙ୍କ ଉପରେ: ଆଧାର, ପରକୀୟା ଓ ଅଯୋଧ୍ୟା ପରେ ଶୁକ୍ରବାର ଶବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶାଧିକାର ଉପରେ ପ୍ରକାଶ ପାଇବ ରାୟ

ନୂଆଦିଲ୍ଲୀ: ସମସ୍ତଙ୍କର ଅପେକ୍ଷା ଆସନ୍ତାକାଲିକୁ। କାରଣ, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ ଆଧାର, ପରକୀୟା ଓ ଅଯୋଧ୍ୟା ବିବାଦ ପରି ବହୁଚର୍ଚ୍ଚିତ ମାମଲାଗୁଡ଼ିକର ଚୂଡ଼ାନ୍ତ ରାୟ ପ୍ରକାଶ କରି ସାରିବା ପରେ ଆସନ୍ତା କାଲି କେରଳର ପ୍ରସିଦ୍ଧ ଶବରିମାଲା ମନ୍ଦିର ମଧ୍ୟକୁ ୧୦ରୁ ୫୦ ବର୍ଷ ବୟସ୍କ ମହିଳାମାନଙ୍କର ପ୍ରବେଶ ଉପରେ ନିଜର ଚୂଡ଼ାନ୍ତ ନିର୍ଣ୍ଣୟ ଦେବେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଆର୍‌ ଏଫ୍‌ ନରିମାନ, ଜଷ୍ଟିସ୍‌ ଏ ଏମ୍‌ ଖାନ୍‌ଓ୍ଵିଲକର, ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗତ ଅଗଷ୍ଟ ମାସରେ କ୍ରମାଗତ ଭାବେ ଦୀର୍ଘ ୮ ଦିନ ଧରି ଏହି ବିବାଦୀୟ ମାମଲାର ଚୂଡ଼ାନ୍ତ ଶୁଣାଣି କରିବା ପରେ ରାୟକୁ ସଂରକ୍ଷିତ ରଖିଥଲେ। ସଂରକ୍ଷିତ ଥିବା ରାୟକୁ ଆସନ୍ତାକାଲି ଘୋଷଣା କରିବେ ସୁପ୍ରିମ୍‌ କୋର୍ଟ।

ଇଣ୍ଡିଆନ୍‌ ୟଙ୍ଗ୍‌ ଲୟର୍ସ ଆସୋସିଏସନ୍‌ ପକ୍ଷରୁ କେରଳର ପ୍ରସିଦ୍ଧ ଶବରିମାଲା ମନ୍ଦିର ମଧ୍ୟକୁ ୧୦ରୁ ୫୦ ବର୍ଷ ବୟସ୍କ ମହିଳାମାନଙ୍କର ପ୍ରବେଶ ଉପରେ ରହିଥିବା ନିଷେଧାଦେଶକୁ ଉଠାଇଦେବା ପାଇଁ ଏକ ମାମଲା ଆଗତ ହୋଇଥିଲା। ପୂର୍ବରୁ ଏ ସଂକ୍ରାନ୍ତରେ କେରଳ ହାଇକୋର୍ଟରେ ଆଗତ ଏକ ମାମଲାର ଶୁଣାଣି କରି କେରଳ ହାଇକୋର୍ଟର ଏକ ଖଣ୍ଡପୀଠ ଏସଂପର୍କରେ ଚୂଡ଼ାନ୍ତ ନିର୍ଣ୍ଣୟ ଶବରିମାଲା ମନ୍ଦିରର ‘ତନ୍ତ୍ରୀ’ (ପୂଜକ)ମାନେ ନେବେ ବୋଲି ରାୟ ଦେବା ପରେ ଏହି ମାମଲା ସୁପ୍ରିମ୍‌ କୋର୍ଟଙ୍କ ବିଚାରାଧୀନ ଥିଲା।

ସମ୍ବନ୍ଧିତ ଖବର