ଶ୍ରୀନଗର ଏୟାର ଫୋର୍ସ ସ୍କାର୍ଡନକୁ ଫେରିଲେ ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନ; ହେଲେ ଏବେ ଉଡ଼ାଇ ପାରିବେ ନାହିଁ ତାଙ୍କର ପ୍ରିୟ ମିଗ୍-୨୧ ବିସନ୍
ଚେନ୍ନାଇ/ ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଚର୍ଚ୍ଚିତ ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଆଜି ପୁଣି ଥରେ ଫେରି ଆସିଛନ୍ତି ତାଙ୍କର ପୁରୁଣା କର୍ମସ୍ଥଳୀ, ବାୟୁସେନାର ଶ୍ରୀନଗର ସ୍ଥିତ ଏୟାର ଫୋର୍ସ ସ୍କାଡନ୍ର୍କୁ। ତେବେ, ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନ ଏବେ ତାଙ୍କର ପ୍ରିୟ ଲଢ଼ୁଆ ବିମାନ ମିଗ୍-୨୧କୁ ଉଡ଼ାଇ ପାରିବେ ନାହିଁ। କାରଣ, ଏବେ ଚାରି ସପ୍ତାହ ପାଇଁ ତାଙ୍କୁ ଛୁଟିରେ ରହି ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ସେନାର ନୂଆଦିଲ୍ଲୀ ସ୍ଥିତ ସେନାର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲର ଡାକ୍ତରମାନେ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୭ ତାରିଖରେ ଭାରତୀୟ ସୀମା ମଧ୍ୟକୁ ପଶି ଆସିଥିବା ପାକିସ୍ତାନୀ ସେନାର ଏକ ଲଢ଼ୁଆ ଏଫ୍-୧୬ ଲଢ଼ୁଆ ଯୁଦ୍ଧ ବିମାନକୁ ନିଜର ମିଗ୍- ୨୧ ବିସନ୍ ଲଢ଼ୁଆ ବିମାନରେ ଘଉଡ଼ାଇବାକୁ ଯାଇ ତାକୁ ମିସାଇଲ୍ ମାଡ଼ କରି ତଳକୁ ଖସାଇ ଦେଇଥିଲେ ଭାରତୀୟ ବାୟୁସେନାର ଏହି ଚର୍ଚ୍ଚିତ ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ। ହେଲେ, ପରବର୍ତ୍ତୀ ସମୟରେ ତାଙ୍କ ବିମାନଟି ଅଚଳ ହୋଇ ପଡ଼ିଥିଲା ଏବଂ ସେ ପାରାଚ୍ୟୁଟ୍ ସାହାଯ୍ୟରେ ବିମାନରୁ ତଳକୁ ଡେଇଁ ପଡ଼ିବା ସହ ଆସି ଓହ୍ଲାଇ ଥିଲେ ପାକ୍ ଅଧିକୃତ କଶ୍ମୀର ମଧ୍ୟରେ। ପରେ ପାକ୍ ସେନା ତାଙ୍କୁ ଯୁଦ୍ଧବନ୍ଦୀ କରି ନେଇଥିଲା ଏବଂ ସେ ଦୀର୍ଘ ୬୦ ଘଣ୍ଟାକାଳ ପାକିସ୍ତାନରେ ଯୁଦ୍ଧବନ୍ଦୀ ଭାବେ ରହିବା ପରେ ମାର୍ଚ୍ଚ ୧ରେ ସ୍ୱଦେଶ ଫେରିଥିଲେ।
ସ୍ୱଦେଶ ଫେରିବା ପରେ ତାଙ୍କର ଡି ବ୍ରିଫିଙ୍ଗ୍ ସହ ତାଙ୍କୁ ସେନାର ନୂଆଦିଲ୍ଲୀ ସ୍ଥିତ ସେନାର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ରଖି ଚିକିତ୍ସା କରାଯାଇଥିଲା। ସେ ସୁସ୍ଥ ହେବା ପରେ ଡାକ୍ତରମାନେ ତାଙ୍କୁ ୪ ସପ୍ତାହ ଛୁଟିରେ ରହି ବିଶ୍ରାମ ନେବା ସହ ନିଜ ପରିବାର ସହ ସମୟ ଅତିବାହିତ କରିବାକୁ କହିଥିଲେ। ଡାକ୍ତରଙ୍କ ପରାମର୍ଶ ମାନି ସେ ଚେନ୍ନାଇରେ ରହୁଥିବା ତାଙ୍କ ପିତାମାତା ଓ ପତ୍ନୀଙ୍କ ନିକଟକୁ ଯାଇଥିଲେ। ହେଲେ, ଘରେ ରହି ତାଙ୍କୁ ବିଶ୍ରାମ ନେବାକୁ ଭଲ ଲାଗିଲା ନାହିଁ। ସେଥିପାଇଁ ସେ ଆଜି ପୁଣି ଥରେ ଫେରି ଆସିଛନ୍ତି ତାଙ୍କର ପୁରୁଣା କର୍ମସ୍ଥଳୀ, ବାୟୁସେନାର ଶ୍ରୀନଗର ସ୍ଥିତ ଏୟାର ଫୋର୍ସ ସ୍କାଡନ୍ର୍କୁ, ତାଙ୍କର ବନ୍ଧୁମାନଙ୍କ ଗହଣକୁ।