ଗୁଜରାଟ ନିର୍ବାଚନ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନ!

ସଂସଦ ଅଧିବେଶନ ନେଇ ଦ୍ୱନ୍ଦ ଶେଷ କରିବେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ କରିବାକୁ ନେଇ ବଜ୍ଞପ୍ତି ଜାରି କରିପାରନ୍ତି। ଆଶା କରାଯାଉଛି ଯେ, ଗୁଜରାଟ ନିର୍ବାଚନ ପୂର୍ବରୁ ସଂସଦର ଅଧିବେଶନ ଆରମ୍ଭ ହୋଇଯିବ। ଶୀତକାଳୀନ ଅଧିବେଶନ ସମ୍ପର୍କରେ ଆଗାମୀ ନଭେମ୍ବର ୧୭ରେ ହେବାକୁ ସଂସଦୀୟ ମାମଲାର କ୍ୟାବିନେଟ କମିଟି ଘୋଷଣା କରିପାରେ। ଏହା ପରେ କ୍ୟାବିନେଟ କମିଟ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ କରିବାକୁ ତାରିଖ ଘୋଷଣା କରିପାରନ୍ତି। ସୂଚନାଯୋଗ୍ୟ ଏଥର ଶୀତକାଳୀନ ଅଧିବେଶନ ବହୁ ବିଳମ୍ବରେ ବସବାକୁ ଯାଉଛି।

କୁହାଯାଉଛି ଯେ, ଶୀତକାଳୀନ ଅଧିବେଶନ ଡିସେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହୋଇପାରେ। ଏହା ପୂର୍ବରୁ କ୍ଷମତାସୀନ ଏନଡିଏ ସରକାରଙ୍କୁ ବିରୋଧୀ ଦଳ ନେତାମାନେ ବିଭିନ୍ନ ଧରଣର ବିବୃତ୍ତି ଦେଇଛନ୍ତି। ସାଧାରଣତଃ ଶୀତକାଳୀନ ଅଧିବେଶନ ନଭେମ୍ବର ୩ୟ ସପ୍ତାହରେ ଆରମ୍ଭ ହୋଇଥାଏ। ଗତବର୍ଷ ନଭେମ୍ବର ୧୬ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଏହା ଚାଲିଥିଲା।

ଏଥର ୨ଟି ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଜାରି ରହିବା କାରଣରୁ ଶୀତକାଳୀନ ଅଧିବେଶନକୁ ସରକାରଙ୍କ ତରଫରୁ ଅବହେଳା କରାଯାଇଛି ବୋଲି ଅନେକ କହୁଛନ୍ତି। ଅନ୍ୟପକ୍ଷରେ ବିରୋଧୀ ପକ୍ଷରୁ ଯେମିତି ସ୍ୱର ଉତ୍ତୋଳନ କରିବା କଥା, ତାହା ମଧ୍ୟ ଦେଖିବାକୁ ମିଳୁ ନାହିଁ। ଗୁଜୁରାଟ ବିଧାନସଭା ନିର୍ବାଚନ ଯୋଗୁଁ ଶୀତକାଳୀନ ଅଧିବେଶନ ବିଳମ୍ବ ହେଉଛି ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ୨ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୯ ଓ ଅନ୍ତିମ ପର୍ଯ୍ୟାୟ ଡିସେମ୍ବର ୧୪ରେ ମତଦାନ ହେବ। ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଶେଷ ହୋଇ ଯାଇଥିବା ବେଳେ, ଏବେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ନଜର ଗୁଜରାଟ ନିର୍ବାଚନ ଉପରେ ରହିଛି। ଏଇଥି ପାଇଁ ଉଭୟ ଦଳ ଶୀତକାଳୀନ ସଂସଦ ଅଧିବେଶନ ପାଇଁ ତତ୍ପର ନାହାଁନ୍ତି।

ସମ୍ବନ୍ଧିତ ଖବର