ଚୀନ୍‌ ପ୍ରତି ଧ୍ୟାନ ରଖି ଭିଏତ୍‌ନାମ୍‌ ସହ ମିଳିତ ନୌସେନା ସମରାଭ୍ୟାସ କରିବ ଭାରତ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ଭାରତ ଭିଏତ୍‌ନାମ୍‌ ସହ ପ୍ରଥମ ନୌସେନା ସମରାଭ୍ୟାସ ଆରମ୍ଭ କରିବ। ତା’ଛଡ଼ା ଚୀନ୍‌ର ଆଧିପତ୍ୟ ବିସ୍ତାର ପାଉଥିବା କାରଣରୁ ଏସିଆ ପେସିଫିକ୍‌ ଅଞ୍ଚଳର ଦେଶ ସମୂହଙ୍କ ସହ ସାମରିକ ରାଜିନାମା କରିବା ଉଦ୍ଦେଶ୍ୟରେ ଆସନ୍ତା ମାସରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ହାନୋଇ ଗସ୍ତରେ ଯାଉଛନ୍ତି।

ଦକ୍ଷିଣ ପୂର୍ବ ଏସିଆ ଏବଂ ଉତ୍ତର ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ପ୍ରେରଣ କରାଯାଇଥିବା ତିନୋଟି ଭାରତୀୟ ଯୁଦ୍ଧ ପୋତ ହେଉଛି ଆଇଏନ୍‌ଏସ୍‌ ସାହ୍ୟାଦ୍ରି, ଆଇଏନ୍‌ଏସ୍‌ କମୋର୍ତ୍ତା ଏବଂ ଆଇଏନ୍‌ସ୍‌ ଶକ୍ତି। ଆସନ୍ତା ସୋମବାର ଦିନ ଏମାନେ ତିଏନ୍‌ ସା ପୋର୍ଟରେ ପ୍ରବେଶ କରିବେ।

ନୌବାହୀନି ମୁଖପାତ୍ର କପ୍ତାନ୍‌ ଡି କେ ଶର୍ମା କହନ୍ତି: ମେ ୨୧ ରୁ ୨୫ ତାରିଖ ଯାଏ ଦୁଇ ଦେଶର ନୌବାହୀନି ଅଧିକାରୀମାନେ ଆନୁଷ୍ଠାନିକ ଭାବେ ଆଲୋଚନା କରିବେ। ବନ୍ଦର ପର୍ଯ୍ୟାୟ ଆଲୋଚନା ଶେଷ ହେବା ପରେ ଉଭୟ ଦେଶର ଯୁଦ୍ଧ ପୋତ ସମରାଭ୍ୟାସ କରିବେ।
ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସାମରିକ ସହଯୋଗ ବୁଝାମଣା ପାଇଁ ସୀତାରମଣ ଆସନ୍ତା ଜୁନ୍‌ ମାସରେ ଭିଏତ୍‌ନାମ ଗସ୍ତରେ ଯିବା ପାଇଁ ସ୍ଥିର ହୋଇଛି।

ଏତଦ୍‌ବ୍ୟତୀତ ଭାରତ ଭିଏତ୍‌ନାମୀୟ ଫାଇଟର୍‌ ପାଇଲଟ୍‌ମାନଙ୍କୁ ସୁଖୋଇ-୩୦ ଉଡ଼ାଇବା ତାଲିମ୍‌ ଦେବେ।

ସମ୍ବନ୍ଧିତ ଖବର