ଶେଷ ନିଶ୍ୱାସ ପର୍ଯ୍ୟନ୍ତ ‘ଦାଉଦ ଭାଇ’ ସହିତ ରହିବି : ଛୋଟା ସକିଲ୍‌

ମୁମ୍ବାଇ: କୁଖ୍ୟାତ ଅଣ୍ଡରଓ୍ଵାର୍ଲଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ସହ ମତଭେଦ ଖବରକୁ ଅସ୍ୱୀକାର କରିଛି ତାହାର ଘନିଷ୍ଠ ସହଯୋଗୀ ଛୋଟା ସକିଲ୍‌ । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ‘ଭାଇ’ ସହିତ ରହିବ ବୋଲି ସେ କହିଛି ।

ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଦାଉଦ ସହ ମତଭେଦ କାରଣରୁ ଅଲଗା ହୋଇ ରହୁଥିବା ଖବରକୁ ଗୁଜବ ବୋଲି କହିଛି ସକିଲ । ଭାଇ ଠାରୁ ଅଲଗା ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିବା ସହ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦାଉଦ ସହ ରହିବା କଥା କହିଛି ।

କିଛିଦିନ ତଳେ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଏକାଠି ରହିବା ପରେ ଉଭୟ ଅଲଗା ହୋଇଯାଇଛନ୍ତି । ଏପରିକି ସକିଲ କରାଚୀର ସମ୍ଭ୍ରାନ୍ତ କ୍ଲିଫଟନ ଏରିଆରୁ ବାହାରି ଅଲଗା ରହୁଛି । ୮୦ ଦଶନ୍ଧିରେ ଭାରତରୁ ପଳାୟନ ପରଠାରୁ ଦାଉଦ ଇବ୍ରାହିମ ଉକ୍ତ କ୍ଲିଫଟନ ଏରିଆରେ ରହୁଥିବା କୁହାଯାଉଛି । ଦାଉଦର ଛୋଟ ଭାଇ ଅନିସ ଇବ୍ରାହିମ ଡି-କମ୍ପାନିର କାରବାର କ୍ଷେତ୍ରରେ ହସ୍ତକ୍ଷେପ କରୁଥିବା ନେଇ ସକିଲ ଅସନ୍ତୁଷ୍ଟ ଥିଲା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଥିଲା । ଏହାକୁ ନେଇ ଦାଉଦ ଓ ସକିଲ ମଧ୍ୟରେ ଯୁକ୍ତିତର୍କ ହେବା ପରେ ସକିଲ ଅଲଗା ରହୁଛି ।

ତେବେ କେତେକ ରିପୋର୍ଟ ଅନୁସାରେ ଦାଉଦ ଓ ସକିଲ ମଧ୍ୟରେ ମତଭେଦ ହୋଇଥିଲେ ମଧ୍ୟ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂଗଠନ ଆଇଏସଆଇର ହସ୍ତକ୍ଷେପ ଫଳରେ ଉଭୟ ପକ୍ଷ ମଧ୍ୟରେ ମିଳାମିଶା ହୋଇଯାଇଛି । କାରଣ ଉଭୟ ଏକାଠି ନ ରହିଲେ ଭାରତ ବିରୋଧୀ ଅଭିଯାନ ବାଧାପ୍ରାପ୍ତ ହେବାର ଆଶଙ୍କା କରୁଛି ଆଇଏସଆଇ ।

ସମ୍ବନ୍ଧିତ ଖବର