କ୍ଷମତା ପାହ୍ୟାରେ ଦକ୍ଷ ଉତ୍ତରାଧିକାରୀ ନ ଥିବାରୁ ୨୦୨୨ ପରେ ମଧ୍ୟ ଚୀନ୍‌ର ଶାସନ ଭାର ସମ୍ଭାଳିବେ ଜିନ୍‌ପିଙ୍ଗ୍‌

ବେଜିଙ୍ଗ୍‌: ବୁଧବାର ଦିନ ଚୀନ୍‌ର କମ୍ୟୁନିଷ୍ଟ୍‍ ପାର୍ଟି (ସିପିସି) ଆସନ୍ତା ପାଞ୍ଚ ବର୍ଷ ସକାଶ ନିଜର ନେତୃତ୍ୱ ଉନ୍ମୋଚନ କରିବା ସହ ରାଷ୍ଟ୍ରପତି ଜି’ ଜିନ୍‌ପିଙ୍ଗ୍‌ଙ୍କ ପରି କୌଣସି ଯୋଗ୍ୟ ଉତ୍ତରାଧିକାରୀ ଦିଶୁ ନ ଥିବାରୁ ସେ ୨୦୨୨ ପରେ ମଧ୍ୟ କ୍ଷମତାରେ ରହିବେ ବୋଲି ପ୍ରକାରାନ୍ତରେ ସୂଚନା ଦେଇଛି।

ଚୀନ୍‌କୁ ଫଳପ୍ରଦ ଭାବେ ଶାସନ କରୁଥିବା କମିଟିର ନୂତନ ସାତ-ସଦସ୍ୟ ବିଶିଷ୍ଟ ‘ପଲିଟିବ୍ୟୁରୋ ଷ୍ଟାଣ୍ଡିଙ୍ଗ୍‌ କମିଟି’ (ପିବିଏସ୍‌ସି)କୁ ବେଜିଙ୍ଗ୍‌ର ଗ୍ରେଟ୍‌ ହଲ୍‌ ଅଫ୍‌ ପିପଲ୍‌ଠାରେ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ନୂତନ ପଲିଟିବ୍ୟୁରୋ ଏବଂ ପିପିଏସ୍‌ସିକୁ ଅନୁମୋଦନ କରିବା ପାଇଁ ମଙ୍ଗଳବାର ଦିନ ଦଳର ମହାସଭା ଆୟୋଜିତ ହୋଇଥିଲା। ଏହାର ଅଳ୍ପ ସମୟ ପରେ ପାର୍ଟିର ସେଣ୍ଟ୍ରାଲ୍‌ କମିଟି ତାହକୁ ଅନୁମୋଦନ କରିଥିଲା।

ଶୀର୍ଷ ସାତ ଜଣଙ୍କ ମଧ୍ୟରେ ଜି’ଙ୍କ ନିକଟତମ ଅଧିକାରୀ ଏବଂ ତାଙ୍କର ପୂର୍ବଜ ହୁ ଜିନ୍ତାଓଙ୍କର କିଛି ବ୍ୟକ୍ତି ରହିଥିବା କଥା ବ୍ୟତୀତ ଅନ୍ୟ କୌଣସି ଆଚମ୍ବିତ କଥା ଦେଖା ଯାଇ ନ ଥିଲା। ଦ୍ୱିତୀୟ ପ୍ରମୁଖ ନେତା ତଥା ହୁ’ଙ୍କ ଘନିଷ୍ଠ ଲି କେକ୍ୱିୟାଙ୍ଗ୍‌ ନିଜର ଦ୍ୱିତୀୟ ପାଳି ବଜାୟ ରଖିଛନ୍ତି।

Photo Courtesy of TOI

ସାତ ବରିଷ୍ଠ ନେତାଙ୍କ ମଧ୍ୟରେ ଥିବା ଅନ୍ୟ ନେତାମାନେ ହେଉଛନ୍ତି:

ପାର୍ଲାମେଣ୍ଟ୍‌ର ଲେଜିସ୍‌ଲେଟର୍‌ର ମୁଖ୍ୟ ପଦରେ ଅଧିଷ୍ଠିତ ହେବେ ଲି ଝାନ୍‌ଶୁ। ପାର୍ଲାମେଣ୍ଟ୍‌ର ଅପର୍‌ ହାଉସ୍‌ର ଭାର ନେଇ ପାରନ୍ତି ହୁ’ଙ୍କର ଅନ୍ୟ ଜଣେ ଘନିଷ୍ଠ ଓ୍ଵାଙ୍ଗ୍‌ ୟାଙ୍ଗ୍‌। ଦଳର ସଚିବାଳୟ ଏବଂ ଆଦର୍ଶ କାର୍ଯ୍ୟର ନେତୃତ୍ୱ ନେଇ ପାରନ୍ତି ଓ୍ଵାଙ୍ଗ୍‌ ହୁନିଙ୍ଗ୍‌। ସେ ହେଉଛନ୍ତି ଜୀ’ଙ୍କର ‘ଚାଇନା ଡ୍ରିମ୍‌’ ଏବଂ ‘ଓ୍ଵାନ୍‌ ବେଲ୍‌ଟ୍‌, ଓ୍ଵାନ୍‌ ରୋଡ୍‌’ ଆଦି ଅଭିଯାନ ନେପଥ୍ୟରେ ଥିବା ବୁଦ୍ଧିଦାତା। ଆଣ୍ଟି-କରପ୍‌ସନ୍‌ ଜାର୍‌ ପଦବୀର ମୁଖ୍ୟ ପଦ ଗ୍ରହଣ କରିବେ ଝାଓ ଲେଜି। ସଙ୍ଘାଇର ପୂର୍ବତନ ମେୟର୍‌ ହାନ୍‌ ଝେଙ୍ଗ୍‌ ଭାଇସ୍‌ ପ୍ରିମିୟର୍‌ ଭାବେ ଲି କେକ୍ୱିୟାଙ୍ଗ୍‌ଙ୍କ ସହ ଅର୍ଥନୈତିକ ନୀତି ଉପରେ କାର୍ଯ୍ୟ କରି ପାରନ୍ତି।

ଏହି ନବ ନିଯୁକ୍ତ ପାଞ୍ଚଜଣଙ୍କ ମଧ୍ୟରୁ କେହି ଜଣେ ହେଲେ ଜି’ଙ୍କର ସମ୍ଭାବ୍ୟ ଉତ୍ତରାଧିକାରୀ ବୋଲି ଜଣା ପଡୁ ନାହାନ୍ତି। ୧୯୬୦ ମସିହା ପରେ ଜନ୍ମିତ ବ୍ୟକ୍ତି ବିଶେଷ ହିଁ ଦଳର ଷଷ୍ଠ ଉତ୍ତରାଧିକାରୀ ରୂପେ ପରି ଗଣିତ ହେବେ ଏବଂ ସେ ୨୦୨୨ ପରେ ଦୁଇଟି ପାଳି ନିମନ୍ତେ ରାଷ୍ଟ୍ରପତି ପଦବୀରେ ରହିବେ ଏବଂ ୬୮ ବର୍ଷ ବୟସରେ ଅବସର ଗ୍ରହଣ କରିବେ।

ସମ୍ବନ୍ଧିତ ଖବର