କୋଲକାତା: ଗୋଟାଏ ମାମୁଲି ଘଟଣା ଯୋଗୁଁ ଜଣେ ଶାଶୂବୁଢ଼ୀ ନିଜ ବୋହୂ ଠାରୁ ନିସ୍ତୁକ ମାଡ଼ ଖାଇଛନ୍ତି। କଥାଟି ହେଲା ଶାଶୂ ବୋହୂଙ୍କର ବିନା ଅନୁମତିରେ ଫୁଲ ତୋଳି ପକାଇଥିଲେ। ନିଜ ମୋବାଇଲ୍ରେ ଏସମସ୍ତ ଘଟନାର ଭିଡିଓ ଉତ୍ତୋଳନ କରି ପକାଇଥିଲେ ଜଣେ ପଡ଼ୋଶୀ। ନା ସେ ବୃଦ୍ଧା ପୀଡ଼ିତା, ନା ସେ ପଡ଼ୋଶୀ- କେହି ଯାଇ ଥାନାରେ ଅଭିଯୋଗ କରି ନ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସାମାଜିକ ଗଣମାଧ୍ୟମରେ ଉକ୍ତ ଭିଡିଓକୁ ବଂଶଦ୍ରୋଣୀ ଥାନାର ଅଧିକାରୀ ସର୍ଜେଣ୍ଟ୍ ଶୁଭ୍ର ଚକ୍ରବର୍ତ୍ତୀ ଦେଖିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ମାତ୍ର ଅଳ୍ପ କେଇ ଘଣ୍ଟା ମଧ୍ୟରେ ସେ ଭିଡିଓ ପାଇଥିଲା ୫, ୦୩, ୦୦୦ ଭିୟୁ, ୮, ୩୦୦ ଲାଇକ୍ ଏବଂ ୨୫୦୦୦ ସେୟାର୍।
ଭାରପ୍ରାପ୍ତ ଅଧିକାରୀଙ୍କୁ ଚକ୍ରବର୍ତ୍ତୀ ଏ କଥା ଜଣାଇବା ପରେ ପୁଲିସ ସକ୍ରିୟ ହୋଇ ଉଠିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ। କିନ୍ତୁ, ପୁଲିସ ତାଙ୍କର ପରିଚୟ ଗୋପନ ରଖିବାକୁ ଯେତେ ପ୍ରତିଶ୍ରୁତି ଦେଲେ ବି ଏ ଭିଡିଓକୁ ଅପ୍ଲୋଡ୍ କରିଥିବା ରନ୍ତୁ ସେନଗୁପ୍ତ ଘଟଣା ଘଟିଥିବା ସ୍ଥାନ ଓ ସମୟ ବିଷୟରେ କହିଲେ ନାହିଁ।
ପୁଲିସ ସେନଗୁପ୍ତଙ୍କର ସମସ୍ତ ବିବରଣୀ ଫେସ୍ବୁକ୍ ଆକାଉଣ୍ଟ୍ରୁ ଯୋଗାଡ଼ କରି ତାଙ୍କ ଘରେ ପହଞ୍ଚିଲେ। ଦୀର୍ଘ ସମୟ କାଉନ୍ସେଲିଙ୍ଗ୍ କରିବା ପରେ, ସେ କହିଲେ କି, ଭିଡିଓଟି ସେ କେନିଙ୍ଗ୍ର ଭୋଲାର୍ ବଜାର ଅଞ୍ଚଳର ଜଣେ ଡାକ୍ତରଙ୍କ ଠାରୁ ପାଇଥିଲେ।
ପୁଲିସ ଡାକ୍ତରବାବୁଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ କି, କୋଲକାତାର ଜଣେ ମେଡିସିନ୍ ରିପ୍ରେଜେନ୍ଟେଟିଭ୍ ତାଙ୍କୁ ପାଖକୁ ଏଇଟା ପଠାଇଥିଲେ। ଡାକ୍ତରବାବୁ କହିଲେ: ଘଟଣାଟି ଗରିଆର ପଞ୍ଚାନନତାଲା ଅଞ୍ଚଳରେ ଘଟିଛି।
ଅନେକ ଉଦ୍ୟମ ପରେ ମଧ୍ୟ ପୁଲିସ ସେ ମେଡିକାଲ୍ ରିପ୍ରେସେନ୍ଟେଟିଭ୍ଙ୍କ ନିକଟରେ ପହଞ୍ଚି ପାରିଲେ ନାହିଁ। ଶେଷରେ ପୁଲିସ ପୀଡ଼ିତା ଓ ଅଭିଯୁକ୍ତଙ୍କ ଫଟୋ ଧରି ପଞ୍ଚାନନତାଲାକୁ ଗଲେ।
ତେବେ ଯାଇ ଜଣାପଡ଼ିଲା ପୀଡ଼ିତା ହେଉଛନ୍ତି ବୋରାଲ୍ ଉତ୍ତରପଡ଼ାର ଦିବଂଗତ ସନ୍ତୋଷ ପାଲ୍ଙ୍କ ପତ୍ନୀ ୭୫ ବର୍ଷୀୟ ଯଶୋଦା ପାଲ୍। ମାଡ଼ ଦେଇଥିବା ମହିଳା ହେଉଛନ୍ତି ତାଙ୍କ ବୋହୂ ୪୦ ବର୍ଷୀୟ ସ୍ୱପ୍ନା ପାଲ୍। ତାଙ୍କ ପୁଅ ରଞ୍ଜିତ୍ ପାଲ୍ଙ୍କର ପତ୍ନୀ।
ପୁଲିସ କହୁଛି: ଯଶୋଦା ଜଣେ ଏମନ୍ସିଆ ରୋଗିଣୀ, ଅର୍ଥାତ୍ ତାଙ୍କର ସ୍ମରଣ ଶକ୍ତି ନାହିଁ।
ଘଟଣା ଘଟିବା ବେଳେ ଯଶୋଦାଙ୍କ ନାତିମାନେ ସମ୍ଭବତଃ ଘରେ ଶୋଇ ପଡ଼ିଥିଲେ।