ରାସ୍ତା ସାଜିଲା ପ୍ରତିବନ୍ଧକ; ଦୋଳାରେ ହସ୍ପିଟାଲକୁ ଯିବା ବାଟରେ ସନ୍ତାନକୁ ଜନ୍ମ ଦେଲେ ପ୍ରସୂତୀ

ହାଇଦ୍ରାବାଦ (ତେଲେଙ୍ଗାନା): ପୁଣି ସାମାନାକୁ ଆସିଛି ଆଉ ଏକ ଦୁର୍ଭାଗ୍ୟଜନକ ଘଟଣା। ସଡ଼କ ନଥିବା ଏକ ନିକଟ ମଫସଲ ଗାଁରୁ ଜନୈକା ଗର୍ଭବତୀ ମହିଳାଙ୍କୁ ପ୍ରସବ ପାଇଁ କନା ଓ ବାଉଁଶରେ ପ୍ରସ୍ତୁତ ଏକ ଦୋଳାରେ ତାଙ୍କ ଘର ଠାରୁ ଦୂର ୭ ଦୂରବର୍ତ୍ତୀ ଏକ ହସ୍ପିଟାଲକୁ ନିଆ ଯାଉଥିବା ବେଳେ ଗର୍ଭ ବେଦନା ଅସହ୍ୟ ହେବାରୁ ବାଟରେ ପ୍ରସବ କରିବା ପାଇଁ ବାଧ୍ୟ ହୋଇଛନ୍ତି ସଂପୃକ୍ତା ଗର୍ଭବତୀ ମହିଳା। ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଛି ହାଇଦ୍ରାବାଦର ବିଜୟନଗରମ୍‌ ଜିଲ୍ଲା ଅନ୍ତର୍ଗତ ମସାକା ଗ୍ରାମରେ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ସଂପୃକ୍ତ ମସାକା ଗ୍ରାମକୁ ଆସିବା ପାଇଁ କୌଣସି ପ୍ରକାର ସଡ଼କ ପଥର ସୁବିଧା ନଥିବା ଫଳରେ ସଂପୃକ୍ତା ଗର୍ଭବତୀ ମହିଳାଙ୍କୁ ଘରୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ଆସିପାରି ନଥିଲା। ଏଣେ, ଗର୍ଭବତୀ ଜଣଙ୍କର ପ୍ରସବ ବେଦନା ଅସହ୍ୟ ହେବାରୁ କିଛି ଗ୍ରାମବାସୀ ଗୋଟିଏ ବାଉଁଶରେ ତାଙ୍କ ପିନ୍ଧା ଶାଢ଼ିକୁ ବାନ୍ଧି ଏକ ଦୋଳା ପ୍ରସ୍ତୁତ କରିବା ସହ ସେଥିରେ ତାଙ୍କୁ ହସ୍ପିଟାଲକୁ ନେଉଥିଲେ। ହେଲେ, ହସ୍ପିଟାଲକୁ ଯିବା ବାଟରେ ମହିଳା ଜଣଙ୍କର ପ୍ରସବ ହୋଇ ଯାଇଥିଲା। ପରେ ତାଙ୍କୁ ପ୍ରସବ ପାଇଁ ହସ୍ପିଟାଲକୁ ନେଉଥିବା ଲୋକମାନେ ଅଧାବାଟରୁ ତାଙ୍କୁ ଓ ତାଙ୍କ ନବଜାତକକୁ ଘରକୁ ଫେରାଇ ଆଣିଥିଲେ। ଏବେ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି।


ଏହି ଗ୍ରାମର ଏହା କେବଳ ଏକମାତ୍ର ଘଟଣା ନୁହେଁ। ଏହା ପୂର୍ବରୁ ଏହି ଗ୍ରାମର ଅନ୍ୟ ଦୁଇ ଗର୍ଭବତୀ ମହିଳା ପ୍ରସବ ପାଇଁ ହସ୍ପିଟାଲକୁ ଯିବା ବାଟରେ ସେମାନଙ୍କ ସନ୍ତାନମାନଙ୍କୁ ପ୍ରସବ କରିଥିଲେ।

ସମ୍ବନ୍ଧିତ ଖବର