ପ୍ରସବ ପୀଡ଼ା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଡାକ୍ତର, ୩୫ ମିନିଟ୍‌ରେ ସାଧାରଣ ପ୍ରସବରେ ୬ଟି ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ଲକ୍ଷ୍ମୌ: ମଧ୍ୟପ୍ରଦେଶର ସୟୋପୁର ଜିଲ୍ଲା ହସ୍‌ପିଟାଲ୍‌ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରସୂତି ୬ଟି ଶିଶୁକୁ ଜନ୍ମ ଦେଇଛନ୍ତି। ଶିଶୁଙ୍କ ଜନ୍ମ ନିଶ୍ଚିତ ହୋଇଥିବା ତାରିଖ ପୂର୍ବରୁ ହୋଇଯାଇଥିବାରୁ ନବଜାତଙ୍କ ଶରୀର ଅବସ୍ଥା ଏତେଟା ଠିକ୍‌ ନାହିଁ। ଏହି କାରଣରୁ  ଜନ୍ମ ହେବା ପରେ ଦୁଇଜଣ ଜନଜାତଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ପକ୍ଷରୁ ପ୍ରକାଶ। ଅନ୍ୟ ଚାରିଜଣ ନବଜାତଙ୍କୁ ଡାକ୍ତରଙ୍କ ନୀରିକ୍ଷଣରେ ଏସ୍‌ଏନ୍‌ସିୟୁରେ ରଖାଯାଇଛି।

ବଡ଼ୋଦାରେ ରହୁଥିବା ବିନୋଦ ମାଳିଙ୍କ ଏହା ପ୍ରଥମ ପ୍ରସବ ଥିଲା। ଶନିବାର ପ୍ରସବ ପୀଡ଼ା ହେବାରୁ ତାଙ୍କୁ ବଡ଼ୋଦା ହସ୍‌ପିଟାଲ୍‌ରୁ ସୟୋପୁରକୁ ସ୍ଥାନାନ୍ତର କରାଯାଇଥିଲା। ମହିଳା ୭ମାସର ଅନ୍ତସତ୍ତ୍ୱା ଥିବା ବେଳେ ତାଙ୍କର ପ୍ରସବ ପୀଡ଼ା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଥିଲେ। ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସୋନୋଗ୍ରାଫି କରିବା ପରେ ତାଙ୍କ ଗର୍ଭରେ ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୬ଟି ସନ୍ତାନ ଥିବା ଜଣାପଡ଼ିଥିଲା।

ଆଶ୍ଚର୍ଯ୍ୟର କଥା ହେଉଛି ଏହି ସନ୍ତାନକୁ ଜନ୍ମ ଦେବା ପାଇଁ ମହିଳାଙ୍କ କୌଣସି ଅସ୍ତ୍ରୋପଚାର କରିବାକୁ ପଡ଼ି ନଥିଲା। ସେ ସାମାନ୍ୟ ପ୍ରସବ କରି ମାତ୍ର ୩୫ ମିନିଟ୍‌ରେ ୬ଟି ସନ୍ତାନକୁ ଜନ୍ମ ଦେଇଥିଲେ। ୬ଟି ସନ୍ତାନ ମଧ୍ୟରୁ ୪ଟି ପୁତ୍ର ସନ୍ତାନ ଥିବା ବେଳେ ୨ଟି କନ୍ୟା ସନ୍ତାନ ଥିଲା। ୬ଟି ନବଜାତଙ୍କ ଓଜନ ୪୫୦ ଗ୍ରାମ୍‌ରୁ ୭୫୦ଗ୍ରାମ୍‌ ମଧ୍ୟରେ ରହିଛି। ଚିକିତ୍ସା ଚାଲିଥିବା ବେଳେ ଦୁଇଟି କନ୍ୟା ସନ୍ତାନଙ୍କ ହସ୍‌ପିଟାଲ୍‌ରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର