ପିଛା ଛାଡୁ ନ ଥିବା ବ୍ୟକ୍ତିଙ୍କୁ ଅପହରଣ କରି ଥାନାକୁ ଗଲେ ମହିଳା ଇଞ୍ଜିନିୟର୍‌

ହାଇଦ୍ରାବାଦ: ଜଣେ ବ୍ୟକ୍ତିଙ୍କୁ ଅପହରଣ କରିଥିବା ଅଭିଯୋଗରେ ଗୁରୁବାର ଦିନ ପୁଲିସ ଜଣେ ୨୪ ବର୍ଷୀୟ ସଫ୍‌ଟ୍‌େଓ୍ଵର୍‌ ଇଞ୍ଜିନିୟର୍‌ଙ୍କୁ ବୁକ୍‌ କରିଛି। ଅପହୃତ ଲୋକଟି କୁଆଡ଼େ ସେ ଯୁବତୀଙ୍କ ପିଛା ଛାଡୁ ନ ଥିଲେ।

ବାରମ୍ବାର ତାଗିଦା କରିବା ସତ୍ତ୍ୱେ ବୃତ୍ତିରେ ବଢ଼େଇ କାମ କରୁଥିବା ସେ ବ୍ୟକ୍ତିଜଣକ ଗତ କିଛି ଦିନ ହେବ ଯୁବତୀଙ୍କ ମୋବାଇଲ୍‌କୁ କଲ୍‌ ଓ ମେସେଜ୍‌ ପଠାଉଥିଲେ।

ବଢ଼େଇ କାମ କରିବାକୁ ନିଜର ଜଣେ ବନ୍ଧୁଙ୍କ ଘରକୁ ଯାଇଥିବା ବେଳେ ସେ ବ୍ୟକ୍ତିଜଣକ ଉକ୍ତ ଯୁବତୀଙ୍କୁ ସେଠାରେ ଦେଖିଥିଲେ। କୌଣସିମତେ ତାଙ୍କ ଫୋନ୍‌ ନମ୍ବର ଯୋଗାଡ଼ କରି ସେବେଠାରୁ ତାଙ୍କୁ ହଇରାଣ କରୁଥିଲେ ବୋଲି ଗୋପାଳପୁର ଥାନା ପୁଲିସ କହିଛି।
ତାଙ୍କୁ ପାନେ ଦେବାକୁ ସ୍ଥିର କରି ଯୁବତୀଜଣଙ୍କ ଥାନାରେ ଏତଲା ନ ଦେଇ ନିଜର ପାଞ୍ଚଜଣ ବନ୍ଧୁଙ୍କ ସହ ମସୁଧା କରି ବଢ଼େଇଙ୍କୁ ସିକନ୍ଦରାବାଦସ୍ଥିତ ଏକ କଲେଜ ନିକଟକୁ ଆସି ତାଙ୍କୁ ଭେଟିବାକୁ କହିଲେ। ସେହି ଅନୁସାରେ ବଢ଼େଇ ସେଠାକୁ ଯାଇଥିଲେ।

ପ୍ରଥମେ ଯୁବତୀ ଓ ତାଙ୍କ ସାଙ୍ଗମାନେ ବଢ଼େଇକୁ ବହେ ମାରଧର କରିଥିଲେ ବୋଲି ଅଭିଯୋଗ ହେଉଛି। ପରେ ତାଙ୍କୁ ମଟରସାଇକେଲ୍‌ରେ ବସାଇ ମାଲକଞ୍ଜଗିରିର ଏକ ନିକାଞ୍ଚନ ସ୍ଥାନକୁ ନିଆଯାଇଥିଲା।

ସେଠାରେ ପୁଣି ତାଙ୍କୁ ମାଡ଼ ଦିଆ ଯାଇଥିଲା। ଆହତ ଅବସ୍ଥାରେ ସେ କୌଣସିମତେ ସେଠାରୁ ଖସି ପଳାଇ ଆସି ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି ପୁଲିସ କହୁଛି।

ଡାକ୍ତରମାନେ ପୁଲିସକୁ ସୂଚନା ଦେବାରୁ ସେମାନେ ଆସି ବଢ଼େଇଙ୍କ ବୟାନ୍‌ ରେକର୍ଡ କରି ଉକ୍ତ ମହିଳା ଇଞ୍ଜିନିୟର୍‌ ଓ ତାଙ୍କ ପାଞ୍ଚ ସାଙ୍ଗଙ୍କ ବିରୋଧରେ ଅପହରଣ ଓ ନରହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲେ। ତଦନ୍ତ ସମୟରେ ସମସ୍ତଙ୍କୁ ହାଜତକୁ ନିଆ ଯାଇଥିଲା।

ସମ୍ବନ୍ଧିତ ଖବର