ଏୟାର୍‌ କାନାଡା ବିମାନ ଉଡ଼ାଣ ଆରମ୍ଭ କରିବା ମାତ୍ରେ ଶୋଇ ପଡ଼ିଲେ ମହିଳା; ନିଦ ଭାଙ୍ଗିଲା ବେଳକୁ ଅନ୍ଧକାର ବିମାନ ମଧ୍ୟରେ ସେ ଏକା!

ଟୋରଣ୍ଟୋ: ଏୟାର୍‌ କାନାଡ଼ାର ଏକ ବିମାନ ଉଡ଼ାଣ ଉଡ଼ାଣ ଆରମ୍ଭ କରିବା ମାତ୍ରେ ସେଥିରେ ଶୋଇପଡ଼ିଥିବା ଜଣେ ମହିଳା-ଯାତ୍ରୀଙ୍କ ନିଦ ଭାଙ୍ଗିଲା ବେଳକୁ ଦେଖିଲେ ଘନ ଅନ୍ଧକାର ବିମାନ ମଧ୍ୟରେ ସେ ଏକା। ବିମାନଟି ଟୋରଣ୍ଟୋ ବିମାନ ବନ୍ଦରରେ ପାର୍କିଙ୍ଗ୍‌ କରିଛି।

ଘଟଣାଟି ଘଟିଛି ଏ ମାସର ପ୍ରାରମ୍ଭରେ। ଟିଫାନି ଆଦାମ୍‌ସ୍‌ ନାମ୍ନା ସେ ମହିଳା କ୍ୱେବେକ୍‌ରେ ଛୁଟି ବିତାଇବା ପରେ ସେଠାରୁ ଟୋରଣ୍ଟସ୍ଥିତ ପିୟର୍‌ସନ୍‌ ଇଣ୍ଟର୍‌ନେସ୍‌ନାଲ୍‌ ବିମାନ ବନ୍ଦରକୁ ଯାଉଥିଲେ। ବିମାନ ଉଡ଼ାଣ ଆରମ୍ଭ କରିବା ପରେ ସେ ଶୋଇପଡ଼ିଥିଲେ, କିନ୍ତୁ ନିଦ ଭାଙ୍ଗିଲା ପରେ ଦେଖିଲେ ଘନ ଅନ୍ଧାର ଭରା ସେ ବିମାନରେ ତାଙ୍କ ଛଡ଼ା ଆଉ କେହି ନ ଥିଲେ। ଗ୍ରାଉଣ୍ଡ୍‌ ଷ୍ଟାଫ୍‌ମାନେ ବି ତାଙ୍କ କଥା ଭୁଲି ଯାଇଥିଲେ।
ଟିଫାନି ବିମାନ ଆରୋହଣ କରିବା ପରେ ଦେଖିଲେ ସେ ତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସିଟ୍‌ ଧାଡ଼ିର ଅନ୍ୟ କୌଣସି ସିଟ୍‌ରେ କେହି ନାହାନ୍ତି। ତେଣୁ ଦେଢ଼ଘଣ୍ଟିଆ ବିମାନ ଯାତ୍ରା କଟାଇବାକୁ ସେ ବହି ପଢ଼ିଲେ। କିଛି ସମୟ ପରେ ତାଙ୍କୁ ନିଦ ମାଡ଼ିବାରୁ ସେ ଶୋଇପଡ଼ିଲେ।

ଟିଫାନିଙ୍କ ବନ୍ଧୁ ଡିନ୍‌ନା ନିଲ୍‌-ଡେଲ୍‌ ଏୟାର୍‌ କାନାଡାର ଅଫିସିଆଲ୍‌ େଓ୍ଵବ୍‌ ସାଇଟ୍‌ରେ ଏ ଘଟଣାର ସବିଶେଷ ବିବରଣୀ ଉଲ୍ଲେଖ କରିଛନ୍ତି।
ଏୟାର୍‌ପୋର୍ଟରେ ବିମାନଟି ଅବତରଣ କରିବାର ଅଳ୍ପ କେତେ ଘଣ୍ଟା ବାଦ ପ୍ରାୟ ରାତି ଅଧ ବେଳେକୁ ଟିଫାନିଙ୍କ ନିଦ ଭାଙ୍ଗିଲା। ଜାଣିଲେ ହେମାଳ ହୋଇଯାଇଥିବା ବିମାନ ସିଟ୍‌ରେ ସେ ଫିତାରେ ବନ୍ଧା ହୋଇଥିବା ଅବସ୍ଥାରେ ଅଛନ୍ତି। ଚାରିଆଡ଼ ଘନ ଅନ୍ଧାର। କିଛି ବୋଲି କିଛି ଦିଶୁନି। ସେ ମୋବାଇଲ୍‌ରେ ମିସ୍‌ଡ୍‌ ମେସେଜ୍‌ ଲାଇଟ୍‌ ଦେଖି ଅନ୍‌ କରିବାରୁ ୬୦ ସେକେଣ୍ଡ୍‌ରୁ କମ୍‌ ସମୟ ଭିତରେ ବ୍ୟାଟେରି ଶେଷ ହୋଇଗଲା। ବିମାନରେ ପାଓ୍ଵାର୍‌ ସଟ୍‌ଡାଉନ୍‌ ହୋଇଥିବାରୁ କୌଣସି ୟୁଏସ୍‌ବି ପୋର୍ଟରେ ମୋବାଇଲ୍‌ ରିଚାର୍ଜ କରି ହେଲାନାହିଁ। ଓ୍ଵାସ୍‌ରୁମ୍‌ ଯିବାକୁ ମଧ୍ୟ ଅନ୍ଧାରରେ ବାଟ ଦିଶୁ ନ ଥାଏ। ଉଣ୍ଡଳା ଉଣ୍ଡୁଳି କରି ସେ କକ୍‌ପିଟ୍‌ରୁ ଗୋଟାଏ ଓ୍ଵାକିଟକି ପାଇଲେ, କିନ୍ତୁ ତାହା ବି କାମ କଲା ନାହିଁ।

କକ୍‌ପିଟ୍‌ରେ ଫ୍ଲାସ୍‌ଲାଇଟ୍‌ ଟାଏ ପାଇ ସେ ଝରକା ବାହାରକୁ ଆଲୁଅ ମାରିଲେ। କିନ୍ତୁ ତାହା କାହାରି ଦୃଷ୍ଟି ଆକର୍ଷଣ କରି ପାରିଲା ନାହିଁ। ସେହି ଫ୍ଲାସ୍‌ ଲାଇଟ୍‌ ପକାଇ ସେ ବିମାନର ମୁଖ୍ୟ ଫାଟକର ୩ଟି କିଳିଣି ଖୋଲି ଦେଖିଲେ ପ୍ରାୟ ୫୦ ଫୁଟ୍‌ ତଳେ ପେଭ୍‌ମେଣ୍ଟ! ଡେଇଁବା ସମ୍ଭବ ନୁହେଁ। ରଶିବାନ୍ଧି ତଳକୁ ଓହ୍ଲାଇବା ପାଇଁ ଦଉଡ଼ି ଖଣ୍ଡେ ଖୋଜିଲେ ତାହା ବି ପାଇଲେ ନାହିଁ।

ଯୋଗକୁ ସେଇ ବିମାନ ଆଡ଼କୁ ଲଗେଜ୍‌ କାର୍ଟଟିଏ ଆସୁଥିବାର ଦେଖିଲେ ଟିଫାନି। ବିମାନରେ ଗୋଡ଼ ହଲାଉ ଥିବା ଟିଫାନିଙ୍କୁ ଦେଖି କାର୍ଟ ଚାଳକ ଆଚମ୍ବିତ ହୋଇଗଲେ। ତାଙ୍କ ପାଖରେ ଥିବା ଶିଡ଼ି ଯୋଗେ ସେ ଟିଫାନି ତଳକୁ ଓହ୍ଲାଇ ଆଣିଲେ।

ଏ ଘଟଣାର ଏୟାର୍‌ କାନାଡା ଟିଫାନିଙ୍କୁ କ୍ଷମା ମାଗିବା ସହ ଘଟଣାର ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର