୨ ବର୍ଷ ପରେ ମିଳିଲା ନ୍ୟାୟ: ଟ୍ରେନ୍‌ ଖାଦ୍ୟରୁ ପୋକ ବାହାରିବା ନେଇ ଯାତ୍ରୀଙ୍କୁ ମିଳିଲା ୧୦ ହଜାର ଟଙ୍କାର କ୍ଷତିପୂରଣ

ଚଣ୍ଡିଗଡ଼: ଦୁଇ ବର୍ଷ ତଳେ ଚଣ୍ଡିଗଡ଼ରୁ ଦିଲ୍ଲୀ ଯାତ୍ରା କରୁଥିବା ସମୟରେ ଟ୍ରେନ୍‌ ମଧ୍ୟରେ ଜଣେ ମହିଳା ଯାତ୍ରୀଙ୍କ ଖାଦ୍ୟରୁ ଏକ ପୋକ ବାହାରିବା ଘଟଣାର ବିଚାର ହୋଇ ମହିଳାଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସୋମବାର ନିର୍ଦ୍ଦେଶ ହୋଇଛି। ଯାତ୍ରୀଙ୍କୁ ଏହି ଟଙ୍କା ପ୍ରଦାନ କରିବା ପାଇଁ ରେଳବାଇକୁ ଖାଉଟି ଅଦାଲତ  ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ସାଲିନ୍‌ ଜୈନ ନାମକ ଜଣେ ମହିଳା ୨୦୧୬ ମସିହା ଜୁଲାଇ ୩ ତାରିଖରେ କାଲକା-ନିୟୁଦିଲ୍ଲୀ ଶତାବ୍ଦୀରେ ତାଙ୍କର ୨ ପୁଅଙ୍କ ସହ ଚଣ୍ଡିଗଡ଼ରୁ ଦିଲ୍ଲୀ ଯାତ୍ରା କରୁଥିଲେ। ଯାତ୍ରା ସମୟରେ ମହିଳା ଜଣକ ୨୭୦ ଟଙ୍କା ଦେଇ ଟ୍ରେନ୍‌ କ୍ୟାଟରିଙ୍ଗରୁ ଏକ ମିଲ୍‌ ବରାଦ କରିଥିଲେ। ମାତ୍ର ସେହି ମିଲ୍‌ରେ ଏକ ପୋକ ପଡ଼ିଥିବା ହେତୁ ତାହାକୁ ସେ ଖାଇପାରିନଥିଲେ। ଏହାପରେ ଅଭିଯୋଗ କରିଥିଲେ।

ମହିଳାଙ୍କ କହିବା ମୁତାବକ ସେ ରେଳ କର୍ମଚାରୀ ଏବଂ ଟିଟିଇ ଆଦିଙ୍କୁ ସୂଚୀତ କରିଥିଲେ ବି ସମସ୍ତେ ଏହାକୁ ନଜର ଅନ୍ଦାଜ କରିଥିଲେ। ଏପରିକି ଅକ୍ଟୋବର ୧୬ ତାରିଖରେ ସେ ତତ୍‌କାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ନିକଟକୁ ମଧ୍ୟ ଏକ ଅଭିଯୋଗ ଲେଖିଥିଲେ। ମାତ୍ର ମନ୍ତ୍ରୀ ଶ୍ରୀ ପ୍ରଭୁ ଏହାର କୌଣସି ଉତ୍ତର ଦେଇନଥିଲେ। ଏହାପରେ ମହିଳା ଖାଉଟି ଅଦାଲତରେ ମାମଲା କରିଥିଲେ।

ଏହି ମାମଲାର ବିଚାର କରି ଦୀର୍ଘ ୨ ବର୍ଷ ପରେ ଖାଉଟି ଅଦାଲତ ପକ୍ଷରୁ ମହିଳାଙ୍କୁ ୧୦ ହଜାର ଟଙ୍କା ସହ କ୍ୟାଟରିଙ୍ଗ ଚାର୍ଜ ପ୍ରଦାନ କରିବାକୁ ରେଳବାଇକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର