ଗର୍ଭପାତର ସମ୍ପୂର୍ଣ୍ଣ ଅଧିକାର ମହିଳାଙ୍କ ପାଖରେ ରହିଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗର୍ଭପାତକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ମୁତାବିକ, ଏଣିକି କୌଣସି ମହିଳାଙ୍କୁ ଗର୍ଭପାତ ପାଇଁ ସ୍ୱାମୀଙ୍କ ସହମତି ନେବା ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ଏକ ଆବେଦନର ଶୁଣାଣି କରିବାକୁ ଯାଇ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରତ୍ୟେକ ଅନ୍ତସତ୍ତ୍ୱା ମହିଳାଙ୍କ ପାଖରେ ସନ୍ତାନ ଜନ୍ମ ଦେବା ଓ ଗର୍ଭପାତ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି ବୋଲି କୋର୍ଟ କହିଛନ୍ତି।

ପତ୍ନୀ ତାଙ୍କ ବିନା ଅନୁମତିରେ ଗର୍ଭପାତ କରିଥିବା ନେଇ ସ୍ୱାମୀ ପତ୍ନୀଙ୍କ ପିତା-ମାତା, ଭାଇ ଓ ଦୁଇ ଡାକ୍ତରଙ୍କ ବିରୋଧରେ ବେଆଇନ ଗର୍ଭପାତର ଅଭିଯୋଗ କରିଥିଲେ। ଏହାପୂର୍ବରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବି ଆବେଦନକାରୀଙ୍କ ଆବେଦନକୁ ଖାରଜ କରଯାଇ ଗର୍ଭପାତ କରିବାର ଅଧିକାର ମହିଳାଙ୍କ ଉପରେ ରହିଛି ବୋଲି କହିଥିଲେ।

ମୁଖ୍ୟ ବିଚାର ପତି ଦୀପକ ମିଶ୍ରା, ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୁଡ଼ ଓ ଜଷ୍ଟିମ ଏ ଏମ ଖାନବିଲକରଙ୍କ ଖଣ୍ଡପୀଠରେ ହାଇକୋର୍ଟ ନିଷ୍ପତ୍ତିରେ ମୋହର ଲଗା ଯାଇଥିଲା। ହାଇକୋର୍ଟ ନିଜ ନିଷ୍ପତ୍ତିରେ କହିଥିଲେ, ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଓ ଅଶାନ୍ତିପୂର୍ଣ୍ଣ ସମ୍ପର୍କକୁ ଦେଖି ମହିଳାଙ୍କ ଗର୍ଭପାତ ନିଷ୍ପତ୍ତି ଆଇନ ସଙ୍ଗତ ବୋଲି କହିଥିଲେ। ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କରେ ପୂର୍ବରୁ ତିକ୍ତତା ପରିଲକ୍ଷିତ ହୋଇଥିଲା। ତେଣୁ ଏହି ନିଷ୍ପତ୍ତି ପରେ ଦୁହିଁଙ୍କ ସମ୍ପର୍କରେ କୌଣସି ପ୍ରଭାବ ପକାଇବ ନାହିଁ।

ସୁପ୍ରିମ କୋର୍ଟ କହିଛନ୍ତି, ମହିଳା ଜଣେ ବୟସ୍କା, ସେ ଜଣେ ମାଆ ମଧ୍ୟ। ଏମିତିରେ ସେ ଯଦି ସନ୍ତାନ ଜନ୍ମ ଦେବାକୁ ଚାହୁଁ ନାହାନ୍ତି ତେବେ ତାଙ୍କ ଉପରେ ସମ୍ପୁର୍ଣ୍ଣ ଅଧିକାର ରହିଛି କି ସେ ଗର୍ଭପାତ କରିପାରିବେ। ଏଥିପାଇଁ ମହିଳାଙ୍କ ମାତା-ପିତା ଓ ଡାକ୍ତରଙ୍କୁ କୌଣସି ଆଧାରରେ ଦୋଷୀ କହିବା ଅନୁଚିତ।

ଏହି ଦମ୍ପତ୍ତିଙ୍କ ବିବାହ ୧୯୯୪ ମସିହରାରେ ହୋଇଥିଲା। ମହିଳା ୧୯୯୫ରେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ସବୁବେଳେ ସ୍ୱାମୀଙ୍କ ସହିତ ଲାଗିଥିବା କଳହ କାରଣରୁ ସେ ୧୯୯୯ ମସିହାରେ ନିଜ ବାପ ଘରେ ଯାଇ ରହୁଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମରେ ସେ ୨୦୦୨ରେ ନିଜ ସ୍ୱାମୀଙ୍କ ପାଖରେ ଆସି ରହିଥିଲେ। ୨୦୦୩ରେ ମହିଳା ଯେତେବେଳେ ଜାଣିଲେ କି ସେ ଅନ୍ତସତ୍ତ୍ୱା ଅଛନ୍ତି, ଏତେ ଅଶାନ୍ତି ଭିତରେ ସେ ପୁଣିଥରେ ଏକ ସନ୍ତାନ ଜନ୍ମ ଦେବାକୁ ଚାହିଁ ନଥିଲେ। ତେଣୁ ତାଙ୍କ ସ୍ୱାମୀଙ୍କ ଅନୁମତି ବିନା ଚଣ୍ଡିଗଡ଼ସ୍ଥିତ ନିଜ ବାପ ଘରକୁ ଯାଇ ଗର୍ଭପାତ କରିଥିଲେ।

ସମ୍ବନ୍ଧିତ ଖବର