ଘରେ ପଶି ଅସଦାଚରଣ କରିବାରୁ ହାବିଲଦାରଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ମହିଳା, ମୁକୁଳିବା ପରେ କିଛି ଅଲଗା କାହାଣୀ କହିଲେ ପୁଲିସ

ଜଲନ୍ଧର : ଜଲନ୍ଧରରେ ଜଣେ ମହିଳା ପୁଲିସକର୍ମୀଙ୍କୁ ଗଛରେ ବାନ୍ଧି ପିଟିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସକର୍ମୀଜଣକ ମହିଳାଙ୍କ ଘରକୁ ପଶି ତାଙ୍କ ସହ ଅସଦାଚରଣ କରିବାରୁ ମହିଳା ଜଣଙ୍କ ଏପରି କରିଥିବା ଜଣାପଡ଼ିଛି । ମାଡ଼ ଖାଇଥିବା ପୀଡ଼ିତ ଜଣଙ୍କ କୋଟକପୁରା ସଦର ଥାନାରେ ପଞ୍ଜାବ ହୋମଗାର୍ଡ଼ର ହାବିଲଦାର ଇକ୍‌ବାଲ ସିଂହ ବୋଲି ଚିହ୍ନଟ କରାଯାଇଛି । ଏବେ ଏହି ଘଟଣାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମହିଳା ଜଣଙ୍କ ନିଜ ଉପରେ ଅସଦାଚରଣର ହୋଇଥିବାର ଅଭିଯୋଗ କରୁଥିବା ବେଳେ ଭିନ୍ନ କାହାଣୀ ଶୁଣାଇଛନ୍ତି ଇକ୍‌ବାଲ ସିଂହ । ତାଙ୍କ କହିବା ଅନୁଯାୟୀ, ମହିଳାଙ୍କୁ ସେ ତାଙ୍କର ଜଣେ ଚିହ୍ନା ଦୋକାନୀଠାରୁ କପଡ଼ା ସଫା କରିବା ମେସିନ୍‌ କିଣି ଦେଇଥିଲେ । କିନ୍ତୁ ମେସିନ୍‌ କିଣିବା ପରେ ମହିଳା ଜଣଙ୍କ ଦୋକାନୀଙ୍କୁ ଟଙ୍କା ଦେବାକୁ ବିଳମ୍ବ କରୁଥିଲେ । ଦୋକାନୀ ଏ ନେଇ ଜଣାଇବା ପରେ ଇକ୍‌ବାଲ ସିଂ ମହିଳାଙ୍କୁ ଟଙ୍କା ମାଗିବାକୁ ତାଙ୍କ ଘରକୁ ଆସିଥିଲେ । ଏହି ସମୟରେ ମହିଳା ତାଙ୍କୁ ଘୋଷଡ଼ି ନେଇ ଏକ ଗଛରେ ବାନ୍ଧିବା ସହ ନିସ୍ତୁକ ମାଡ଼ ମାରିଥିଲେ ।

दैनिक भास्कर

ଏ ନେଇ ସୂଚନା ମିଳିବା ପରେ କୋତ୍‌ଓ୍ଵାଲି ଥାନାର ମୁଖ୍ୟ ମୁଖ୍‌ତିଆର ସିଂ ସେଠାରେ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ଇକ୍‌ବାଲଙ୍କୁ ମୁକୁଳାଇଥିଲେ । ପରେ ତାଙ୍କୁ ଡ଼ାକ୍ତରଖାନା ନିଆଯିବା ସହ ପୁଲିସ ପୋଷାକ ପିନ୍ଧିଥିବା ବେଳେ ଏଭଳି ଗଛରେ ବାନ୍ଧି ମାଡ଼ ମାରିବା ଏବଂ ଭିଡ଼ିଓ ଉତ୍ତୋଳନ କରିବା ଅପରାଧ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏ ନେଇ ତଦନ୍ତ ହେବା ସହ ଯଦି ଇକ୍‌ବାଲ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଦଣ୍ଡ ନିଶ୍ଚୟ ମିଳିବ ବୋଲି ମୁଖ୍‌ତିଆର ସିଂ କହିଛନ୍ତି ।

ସମ୍ବନ୍ଧିତ ଖବର