ନନ୍‌ଙ୍କୁ ‘ଗଣିକା’ କହିଲେ ବିଧାୟକ

କାର୍ଯ୍ୟାନୁଷ୍ଠାନ ଦାବି କଲା ମହିଳା କମିସନ

ନୂଆଦିଲ୍ଲୀ: କେରଳ ନନ୍‌ ଦୁଷ୍କର୍ମ ମାମଲାରେ ବିଧାୟକ ପି ସି ଜର୍ଜ ଏକ ବିବାଦୀୟ ବୟାନ ଦେଇ ଅଡୁଆରେ ପଡ଼ିଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜାତୀୟ ମହିଳା କମିସନ୍‌ (ଏନ୍‌ସିଡବ୍ଲ୍ୟୁ) ପକ୍ଷରୁ ଦାବି କରାଯାଇଛି। ଜଳନ୍ଧରର ବିସପ୍‌ ଫ୍ରାଙ୍କୋ ମୁଲାକଲ୍‌ ଦୁଇବର୍ଷ ମଧ୍ୟରେ ସଂପୃକ୍ତ ନନ୍‌ଙ୍କୁ ୧୩ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ବାବଦରେ ଗଣମାଧ୍ୟମକୁ ମତ ଦେଇ କେରଳର ପୁଂଜର ବିଧାୟକ ଜର୍ଜ କହିଛନ୍ତି, ୧୩ ଥର ଦୁଷ୍କର୍ମ ପର୍ଯ୍ୟନ୍ତ କଥା କାହିଁକି ଗଲା। ପ୍ରଥମ କିମ୍ବା ଦ୍ୱିତୀୟ ଥର ଦୁଷ୍କର୍ମ ପରେ ନନ୍‌ ଜଣକ ମୁହଁ ଖୋଲିପାରିଥାନ୍ତେ। ଏ ନେଇ ପୁଲିସରେ ଅଭିଯୋଗ କରିପାରିଥାନ୍ତେ। କିନ୍ତୁ ସେ ଚୁପ୍‌ ରହିଛନ୍ତି। ୧୨ ଥର ଦୁଷ୍କର୍ମ ପରେ ସେ କେଉଁଠି ଥିଲେ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି। ତେଣୁ ସେ ଜଣେ ‘ଗଣିକା’ ବୋଲି ଜର୍ଜ ଦର୍ଶାଇଛନ୍ତି। ସେ ଆହୁରି କହିଛନ୍ତି ଯେ ୧୨ ଥର ଦୁଷ୍କର୍ମ ପରେ କୌଣସି ଆପତ୍ତି ନଥିଲା। କିନ୍ତୁ ୧୩ତମ ବେଳକୁ ଏହା ଦୁଷ୍କର୍ମ ହୋଇଗଲା କେମିତି? ପ୍ରଥମ ଥର ପାଇଁ ଦୁଷ୍କର୍ମ ହେବା ପରେ ସେ କାହିଁକି ଚୁପ୍‌ ରହିଲେ ବୋଲି ବିଧାୟକ ଜର୍ଜ ପ୍ରଶ୍ନ କରିଛନ୍ତି। ତେଣୁ ବର୍ତ୍ତମାନ ପୀଡ଼ିତାମାନଙ୍କର ଭଲ ଭାବେ ଡାକ୍ତରୀ ମାଇନା ହେବା ଉଚିତ। ସେମାନେ ପ୍ରକୃତରେ ପବିତ୍ର କି ନାହିଁ ତାହା ଜାଣିବା ଆବଶ୍ୟକ ବୋଲି ଜର୍ଜ କହିଛନ୍ତି। ଜର୍ଜଙ୍କ ଏଭଳି ମନ୍ତବ୍ୟରେ ଏନ୍‌ସିଡବ୍ଲ୍ୟୁ ମୁଖ୍ୟ ରେଖା ଶର୍ମା କହିଛନ୍ତି, ବିଧାୟକ ଜର୍ଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ଆମେ ଏଥିପାଇଁ ଦାବି କରୁଛୁ। ମହିଳାମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସେ ଓଲଟା ନକାରାତ୍ମକ ଟିପ୍ପଣୀ ଦେଇ ଅଧିକ କଷ୍ଟ ଦେଉଛନ୍ତି। ତେବେ ଆମେ ଏ ବାବଦରେ ଡିଜିପିଙ୍କୁ ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର