ସାମୟିକ ଭାବେ ଜାଫ୍ରାବାଦ ପ୍ରତିବାଦସ୍ଥଳୀ ଛାଡ଼ିଲେ ‘ସିଏଏ’ ବିରୋଧୀ ମହିଳା ପ୍ରତିବାଦକାରୀ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀର ଜାଫ୍ରାବାଦ ମେଟ୍ରୋ ଷ୍ଟେସନ୍‌ ତଳ ରାସ୍ତାରେ ‘ସିଏଏ’-ବିରୋଧରେ ପ୍ରତିବାଦ ଚଳାଇଥିବା ମହିଳାମାନେ ମଙ୍ଗଳବାର ସନ୍ଧ୍ୟାରେ ଉଠିଯାଇଛନ୍ତି। ଶନିବାର ସନ୍ଧ୍ୟାରୁ ସେମାନେ ସେହି ସ୍ଥାନରେ ଧାରଣା ଦେଇଆସୁଥିଲେ ବୋଲି ପୁଲିସ କହିଛି।

କିନ୍ତୁ ପ୍ରତିବାଦକାରିଣୀମାନେ ଘୋଷଣା କରିଛନ୍ତି କି, ସେମାନେ ସାମୟିକ ଭାବେ ଧାରଣାସ୍ଥଳୀ ଛାଡୁଛନ୍ତି। ପରିସ୍ଥିତି ନିୟନ୍ତ୍ରଣାଧୀନ ହେଲେ ପୁଣି ଧାରଣା ଆରମ୍ଭ କରାଯିବ।

Image Source: India Today

‘ସିଏଏ’ ବିରୋଧରେ ଗତ ତିନି ଦିନ ହେବ ତୀବ୍ର ପ୍ରତିବାଦ ଚାଲିଥିବା ଅଞ୍ଚଳ ମୌଜପୁର, ସୀଲମପୁର, ଗୋକୁଳପୁରୀ ଏବଂ ଉତ୍ତରପୂର୍ବ ଦିଲ୍ଲୀର ଅନ୍ୟାନ୍ୟ ଅଞ୍ଚଳରେ ଯଥେଷ୍ଟ ନିରାପତ୍ତା ବ୍ୟବସ୍ଥା କରାଯାଇଛି। ସୋମବାର ଦିନ ସଂଘର୍ଷର ସୂତ୍ରପାତ ହେବା ପରେ ଏହି ସ୍ଥାନଗୁଡ଼ିକର ପ୍ରତିବାଦସ୍ଥଳୀ ରଣକ୍ଷେତ୍ର ପାଲଟି ଯାଇଥିଲା। ଏହି ହିଂସାକାଣ୍ଡରେ ୧୮ଜଣଙ୍କର ମୃତ୍ୟୁ ଘଟିବା ସହ ୨୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।

ସଦ୍ୟତମ ସୂଚନା ଅନୁସାରେ, ହିଂସାକାଣ୍ଡ ଯୋଗୁଁ ବନ୍ଦ ରହିଥିବା ସମସ୍ତ ପାଞ୍ଚଟି ମେଟ୍ରୋ ଷ୍ଟେସନ୍‌ର ପ୍ରବେଶ ଓ ପ୍ରସ୍ଥାନ ଫାଟକ ଖୋଲା ଯାଇଥିବା କଥା ବୁଧବାର ଦିନ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ କହିଛି।

ସମ୍ବନ୍ଧିତ ଖବର