ଗୁମର ଖୋଲିଲା ଅକ୍ସଫାମ୍‌ ରିପୋର୍ଟ : ଚାକିରି ପ୍ରତିଶ୍ରୁତିରେ ମୋଦି ସରକାର ଫେଲ୍‌

ନୂଆଦିଲ୍ଲୀ :ଭାରତରେ ନିଯୁକ୍ତିକୁ ନେଇ ରିପୋର୍ଟ ପ୍ରକାଶ କରିଛି ଅକ୍ସଫାମ୍‌ ଇଣ୍ଡିଆ । ଏହି ରିପୋର୍ଟରେ କୁହାଯାଇଛି, ଦେଶ ଆଗଉଛି, ହେଲେ ନିଯୁକ୍ତି କମିବାରେ ଲାଗିଛି । ଜୀବିକା ହରାଉଛନ୍ତି ଲକ୍ଷ ଲକ୍ଷ ଲୋକ । କର୍ମକ୍ଷେତ୍ରରେ ଲିଙ୍ଗଭେଦ ଓ ମଜୁରୀରେ ଅସମାନତା ପରିଲକ୍ଷିତ ହେଉଛି। ଠିକା କର୍ମଚାରୀଙ୍କ ଉପରେ ଗୁରୁତ୍ୱ ଦେଉଛନ୍ତି ଘରୋଇ ସଂସ୍ଥା । ସାମଜିକ ସୁରକ୍ଷା ଅଭାବରୁ ଦୟନୀୟ ସ୍ଥିତିରେ ବଂଚୁଛନ୍ତି ଶ୍ରମିକ । ବିକାଶ ସହ ନିଯୁକ୍ତି କ୍ଷେତ୍ରକୁ ସମୃଦ୍ଧ କରିବାକୁ ପରାମର୍ଶ ଦେଇଛି ଅକ୍ସଫାମ ଇଣ୍ଡିଆ ।

ଗତ ୪୫ ବର୍ଷରେ ବେକାରୀ ସମସ୍ୟା ସବୁଠୁ ଉତ୍କଟ ଥିବା ନେଇ ଜାତୀୟ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ହଇଚଇ ସୃଷ୍ଟି କରିବା ପରେ ଆସିଛି ଅକ୍ସଫାମ୍‌ ଇଣ୍ଡିଆର ରିପୋର୍ଟ । ଅକ୍ସଫାମର ଏହି ରିପୋର୍ଟରେ ଦେଶରେ ବଢ଼ୁଥିବା ବେକାରୀ ସମସ୍ୟା ନେଇ ଉଦବେଗ ପ୍ରକାଶ ପାଇଛି । ବିଭିନ୍ନ ସର୍ଭେକୁ ଅନୁଶୀଳନ ପରେ ସାଂଘାତିକ ତଥ୍ୟ ସାମନାକୁ ଆସିଛି । ଅକ୍ସଫାମର ରିପୋର୍ଟ କହୁଛି, ବିକାଶର ନୂଆ ମଡେଲ ଯୋଗୁଁ ଲକ୍ଷ ଲକ୍ଷ ଲୋକ ହରାଉଛନ୍ତି କାମ । ଅର୍ଥାତ ଦେଶ ବିକାଶ ପଥରେ ଆଗଉଛି, ଜିଡିପି ବଢ଼ୁଛି, ହେଲେ ଲୋକେ ହରାଉଛନ୍ତି ଜୀବିକା । କର୍ମ କ୍ଷେତ୍ରରେ ଲିଙ୍ଗଭେଦ, ପାରିଶ୍ରମିକ ଅସମାନତା ବଢ଼ିବାରେ ଲାଗିଛି ।

Madhyamam

ସଂଗଠିତ କ୍ଷେତ୍ରରେ ଠିକା ଶ୍ରମିକଙ୍କ ଗୁରୁତ୍ୱ ବଢ଼ିବାରେ ଲାଗିଛି । ଏହି ଶ୍ରମିକମାନଙ୍କ ସାମାଜିକ ସୁରକ୍ଷାକୁ ଆଖିବୁଜି ଦେଉଛନ୍ତି ଘରୋଇ କ୍ଷେତ୍ର । ୨୦ ବର୍ଷ ଭିତରେ ସ୍ଥାୟୀ କର୍ମଚାରୀଙ୍କ ପାରଶ୍ରମିକ ୧୦ ଗୁଣା ବିଥିବା ବେଳେ ଠିକା ଶ୍ରମିକଙ୍କ ଦରମା ମାତ୍ର ୪ ଗୁଣା ବୃଦ୍ଧି ପାଇଛି । ବାର୍ଷିକ ଶିଳ୍ପ ସର୍ବେକ୍ଷଣ ରିପୋର୍ଟକୁ ଉଲ୍ଲେଖ କରି ଅକ୍ସଫାମ୍‌ ତା’ ରିପୋର୍ଟରେ ଦର୍ଶାଇଛି, ୮୦ ଦଶକରେ ମୋଟ ଲାଭାଂଶର ୩୦ ପ୍ରତିଶତ ଶ୍ରମିକଙ୍କ ପାରିଶ୍ରମିକ ବାବଦରେ ଖର୍ଚ୍ଚ ହେଉଥିଲା, ଏବେ ତାହା ହ୍ରାସ ପାଇ ୨୦ ପ୍ରତିଶତରେ ପହଁଚିଛି ।

ଏହି ରିପୋର୍ଟରେ କର୍ମକ୍ଷେତ୍ରରେ ମହିଳାଙ୍କ କମ୍‌ ଯୋଗଦାନ ନେଇ ଉଦବେଗ୍‌ ପ୍ରକାଶ ପାଇଛି । ଆଉ ଯେଉଁମହିଳା ଶ୍ରମିକ କାର୍ଯ୍ୟ କରୁଛନ୍ତି ସେମାନେ ଲିଙ୍ଗଭେଦର ଶିକାର ହେଉଛନ୍ତି । ସମାନ କାମ ପାଇଁ ସେମାନଙ୍କୁ ସମାନ ମଜୁରୀ ମିଳୁନାହିଁ । ଜାତି ଓ ଧର୍ମ ଭଳି ସାମାଜିକ ପୃଷ୍ଠଭୂମିରେ ମଧ୍ୟ ମଜୁରୀ ଅସମାନତା ରହିଛି । ଏହା ଛଡ଼ା ନିମ୍ନ ମଜୁରୀ ଓ ଚାକିରିର ସୁରକ୍ଷା ଅଭାବରୁ ଦୟନୀୟ ସ୍ଥିତିରେ ଦିନ କାଟୁଛନ୍ତି ଶ୍ରମିକ ଶ୍ରେଣୀ । ଅଣସଂଗଠିତ କ୍ଷେତ୍ରରେ ପରିସ୍ଥିତି ଆହୁରି ଉକ୍ରଟ ହେଉଛି ।

ବିକାଶ ସହ ନିଯୁକ୍ତି କ୍ଷେତ୍ରକୁ ସମୃଦ୍ଧ କରି ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛି ଅକ୍ସଫାମ ଇଣ୍ଡିଆ । କର୍ମକ୍ଷେତ୍ରରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି ଅକ୍ସଫାମର ଏହି ରିପୋର୍ଟ ।

ସମ୍ବନ୍ଧିତ ଖବର