ବିଶ୍ୱ ବ୍ୟାଙ୍କ ରିପୋର୍ଟ : ଏବେ ବି ଅନ୍ଧାରରେ ୧୯ କୋଟି ଭାରତୀୟ

ନୂଆଦିଲ୍ଲୀ: ଦେଶର କୋଣ ଅନୁକୋଣରେ ବିଜୁଳି ପହଞ୍ଚିବା ସହ ସବୁ ସ୍ଥାନରେ ବିଦ୍ୟୁତ ସଂଯୋଗ ହୋଇ ସାରିଥିବା ନେଇ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବାର ମାତ୍ର ସପ୍ତାହକ ପରେ ଏହାକୁ ନେଇ ବିଶ୍ୱ ବ୍ୟାଙ୍କ ରିପୋର୍ଟ ଦେଇଛନ୍ତି। ବିଶ୍ୱ ବ୍ୟାଙ୍କର ରିପୋର୍ଟ ମୁତାବକ, ଏବେ ବି ଦେଶର ୧୯ କୋଟି ଲୋକ ଅନ୍ଧାରରେ ରହିଛନ୍ତି। ସମସ୍ତଙ୍କୁ ବିଦ୍ୟୁତ ପହଞ୍ଚାଇବା ଦିଗରେ ସକରାର ଚଳାଇଥିବା ପ୍ରୟାସ ଅତୀବ ପ୍ରଶଂସନୀୟ ବୋଲି ବିଶ୍ୱବ୍ୟାଙ୍କ ରିପୋର୍ଟରେ କୁହାଯାଇଛି। ତେବେ କେନ୍ଦ୍ର ସରକାର ନିକଟରେ ଏ ବାବଦରେ ଦେଇଥିବା କେତେକ ତଥ୍ୟକୁ ନେଇ ଏବେ ବିଭ୍ରାନ୍ତି ଉପୁଜିଛି। କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ମଧ୍ୟ ନାସାର ଏକ ଚିତ୍ର ଦେଖାଇ ଭାରତର ସବୁ ସ୍ଥାନରେ ବିଜୁଳି ପହଞ୍ଚିଥିବା ଯୁକ୍ତି କରିଥିଲେ। କିନ୍ତୁ ପ୍ରକୃତରେ ନାସାର ଉକ୍ତ ଚିତ୍ର ବିଦ୍ୟୁତ ଯୋଗାଣର ନୁହେଁ ବରଂ ଦୀପାବଳି ଦିନର ବୋଲି ଜଣାପଡ଼ିଥିଲା। ତେବେ ସରକାରଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ଦେଶର ୮୫ ପ୍ରତିଶତ ସ୍ଥାନରେ ବିଦ୍ୟୁତ୍‌ ପହଞ୍ଚି ପାରିଛି ବୋଲି ବିଶ୍ୱ ବ୍ୟାଙ୍କ କହିଛନ୍ତି। ୨୦୧୦ ମସିହାରୁ ୨୦୧୬ ମସିହାରେ ବାର୍ଷିକ ୩କୋଟି ନୂଆ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ମିଳିଥିବା ଏହି ରିପୋର୍ଟରେ କୁହାଯାଇଛି। ଏହି ଧାରାରେ ଭାରତରେ ବିଜୁଳି ସଂଯୋଗ ଜାରି ରହିଲେ ନିର୍ଦ୍ଧାରିତ ସମୟ ୨୦୩୦ ପୂର୍ବରୁ ଶହେ ପ୍ରତିଶତ ବିଦ୍ୟୁତ ସଂଯୋଗ ସମ୍ଭବ ହୋଇପାରିବ ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର