ଚିନ୍ତା ବଢ଼ାଇଲା ବିଶ୍ୱ ବ୍ୟାଙ୍କ୍‌ର ଆକଳନ : ଭାରତର ଅଭିବୃଦ୍ଧି ୬%କୁ ଖସିବ

ନେପାଳ, ବାଂଲାଦେଶଠାରୁ ବି ପଛରେ ରହିବ
ସାଂଘାତିକ ମାନ୍ଦାବସ୍ଥା ଅଭିବୃଦ୍ଧିକୁ ଆହୁରି ଦୁର୍ବଳ କରିବ
ଆର୍ଥିକ କ୍ଷେତ୍ରରେ ଅଧିକ ସଂସ୍କାର ଜରୁରୀ

ନୂଆଦିଲ୍ଲୀ : ଭାରତୀୟ ଅର୍ଥନୀତିର ବର୍ତ୍ତମାନର ସ୍ଥିତି ଓ ନିକଟ ଭବିଷ୍ୟତରେ ସୁଧାରକୁ ନେଇ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର ସଂସ୍ଥାଗୁଡ଼ିକ ଆଦୌ ଆଶାବାଦୀ ନାହାନ୍ତି। ଏହାର ପ୍ରମାଣ ସେମାନଙ୍କ ଅଭିବୃଦ୍ଧି ଆକଳନରୁ ସ୍ପଷ୍ଟ ହୋଇଛି। କେନ୍ଦ୍ର ସରକାର ନିମ୍ନଗାମୀ ହେଉଥିବା ଅଭିବୃଦ୍ଧି ହାରକୁ ବଢ଼ାଇବା ପାଇଁ ଗୋଟିଏ ପରେ ଗୋଟିଏ ପ୍ୟାକେଜ୍ ଘୋଷଣା କରୁଥିଲାବେଳେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ଅର୍ଥନୈତିକ ସଂସ୍ଥା ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର କମିବ ବୋଲି ଭବିଷ୍ୟବାଣୀ କରିଛନ୍ତି। ଭାରତର ରିଜର୍ଭ ବ୍ୟାଙ୍କ, ରେଟିଂ ଏଜେନ୍ସି ମୁଡିସ୍, ଏସୀୟ ବିକାଶ ବ୍ୟାଙ୍କ, ଓଇସିଡି ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ପରେ ଏବେ ବିଶ୍ବ ବ୍ୟାଙ୍କ ମଧ୍ୟ ଚଳିତବର୍ଷ ଭାରତର ଅଭିବୃଦ୍ଧି ହାର ହ୍ରାସ ପାଇବ ବୋଲି ଆକଳନ କରିଛି।

୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ୬ ପ୍ରତିଶତକୁ କମିଯିବ ବୋଲି ଆଜି ବିଶ୍ବବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବିଶ୍ବବ୍ୟାଙ୍କ ଗତ ଏପ୍ରିଲରେ କରିଥିବା ଏହାର ପୂର୍ବ ଆକଳନରେ ଭାରତର ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ୭.୫ ପ୍ରତିଶତ ରହିବ ବୋଲି ଦର୍ଶାଇଥିଲା। ‌ତେବେ ପୂର୍ବ ଆକଳନରେ ସଂଶୋଧନ କରି ବିଶ୍ବବ୍ୟାଙ୍କ୍ ଏବେ ଭାରତର ଜିଡିପି ଅଭିବୃଦ୍ଧି ହାର ଆହୁରି ୧.୫ ପ୍ରତିଶତ କମିଯିବ ବୋଲି ଆକଳନ କରି ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ‘ସାଉଥ୍ ଏସିଆ ଇକୋନୋମିକ୍ ଫୋକସ, ଫଲ୍ ୨୦୧୯: ମେକିଂ (ଡି)ସେଣ୍ଟ୍ରାଲାଇଜେସନ ୱାର୍କ’ ଶୀର୍ଷକ ରିପୋର୍ଟରେ ବିଶ୍ବବ୍ୟାଙ୍କ ଭାରତର ଅଭିବୃଦ୍ଧି ନେଇ ଏଭଳି ଆକଳନ କରିଛି। ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ‘ସାଂଘାତିକ’ ମାନ୍ଦାବସ୍ଥା ଦେଶର ଟଳମଳ ହେଉଥିବା ଆର୍ଥିକ କ୍ଷେତ୍ରକୁ ଅଧିକ ଦୁର୍ବଳ କରିଦେଇପାରେ ବୋଲି ବିଶ୍ବବ୍ୟାଙ୍କ ସତର୍କ କରାଇ ଦେଇଛି।

ଚଳିତ ଆର୍ଥିକ ବର୍ଷ ପାଇଁ ଏସିଆର ତୃତୀୟ ବୃହତ୍ ଅର୍ଥନୀତି ଭାବେ ପରିଚିତ ଭାରତ ନିମନ୍ତେ ଅନ୍ୟ ଏକ ଚିନ୍ତାର ବିଷୟ ହେଲା ପ‌ଡ଼ୋଶୀ ନେପାଳ ଏବଂ ବାଂଲାଦେଶର ଅଭିବୃଦ୍ଧି ଆମଠାରୁ ଅଧିକ ରହିବ। ନେପାଳର ଅର୍ଥନୀତି ୬.୫ ପ୍ରତିଶତ ଏବଂ ବାଂଲାଦେଶର ଅର୍ଥନୀତି ୭.୨ ପ୍ରତିଶତ ହାରରେ ଆଗକୁ ବଢ଼ିବ।

ବିଶ୍ବବ୍ୟାଙ୍କ ପକ୍ଷରୁ କୁହାଯାଇଛି, ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଭାରତୀୟ ଅର୍ଥନୀତିରେ ଯେଉଁ ଉଲ୍ଲେଖନୀୟ ମନ୍ଥରତା ପରିଲକ୍ଷିତ ହୋଇଛି ତାହା ଉଭୟ ବାହ୍ୟ ଏବଂ ଚକ୍ରାକାର (ସାଇକ୍ଲିକାଲ) କାରଣ ଯୋଗୁଁ ହୋଇଛି। କିନ୍ତୁ ଏହି ସମୟ ମଧ୍ୟରେ ଭାରତୀୟ ଅର୍ଥନୀତିରେ କେତେକ ଢାଞ୍ଚାଗତ(ଷ୍ଟ୍ରକ୍‌ଚରାଲ) ସମସ୍ୟା ଉଭା ହୋଇଛି। ଏହି ସମସ୍ୟା ଗୁଡ଼ିକ ମଧ୍ୟରୁ ଗୋଟିଏ ହେ‌ଲା ଭାରତର ଆର୍ଥିକ ବଜାରର ଦୁର୍ବଳତା। ଏଥିଯୋଗୁଁ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକର ଋଣ ପ୍ରଦାନ ପ୍ରଭାବିତ ହୋଇଛି। ତେଣୁ ଭାରତୀୟ ଅର୍ଥନୀତିକୁ ଦ୍ରୁତ ଅଭିବୃଦ୍ଧି ପଥକୁ ଫେରାଇବା ପାଇଁ ହେଲେ ଆର୍ଥିକ କ୍ଷେତ୍ରରେ ସଂସ୍କାରର ଆବଶ୍ୟକତା ରହିଛି ବୋଲି ବିଶ୍ବ ବ୍ୟାଙ୍କ ଏହାର ରିପୋର୍ଟରେ ସ୍ପଷ୍ଟ କରିଦେଇଛି।

ନିକଟରେ ରେଟିଂ ଏଜେନ୍ସି ମୁଡିସ୍ ଇନଭେଷ୍ଟର ସର୍ଭିସେସ୍, ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ଆକଳନକୁ ଯଥାକ୍ରମେ ୫.୮ ପ୍ରତିଶତ ଏବଂ ୬.୧ ପ୍ରତିଶତକୁ କମାଇ ଦେଇଥିଲା। ସେହିଭଳି ରିଜର୍ଭ ବ୍ୟାଙ୍କ ଚଳିତ ମାସରେ ଏହାର ମୁଦ୍ରାନୀତି ସମୀକ୍ଷା ରିପୋର୍ଟରେ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ୬.୧ ପ୍ରତିଶତକୁ ସଂଶୋଧିତ କରିଛି। ଏତଦ୍‌ବ୍ୟତୀତ ଏସୀୟ ବିକାଶ ବ୍ୟାଙ୍କ ଏବଂ ଓଇସିଡି ପକ୍ଷରୁ ଭାରତର ଜିଡିପି ଅଭିବୃଦ୍ଧି ଆକଳନକୁ ଯଥାକ୍ରମେ ୬.୫ ପ୍ରତିଶତ ଏବଂ ୫.୯ ପ୍ରତିଶତକୁ ଖସାଇ ସାରିଛନ୍ତି। ତେବେ ଆଶ୍ବାସନାର ବିଷୟ ହେଲା ୨୦୨୦-୨୧ ଆର୍ଥିକ ବର୍ଷରୁ ଭାରତର ଅଭିବୃଦ୍ଧିରେ ସୁଧାର ଆସିବ। ୨୦୨୦-୨୧ରେ ଭାରତର ଜିଡିପି ୬.୯ ପ୍ରତିଶତକୁ ଏବଂ ୨୦୨୧-୨୨‌ରେ ୭.୨ ପ୍ରତିଶତକୁ ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଭାରତର ଜିଡିପି ଅଭିବୃଦ୍ଧି ୫ ପ୍ରତିଶତକୁ ହ୍ରାସ ପାଇସାରିଛି। ଗତ ୬ ବର୍ଷରୁ ଊର୍ଧ୍ବ ସମୟ ମଧ୍ୟରେ ଏହା ସର୍ବନିମ୍ନ। ଅର୍ଥନୀତିର ଅଭିବୃଦ୍ଧି ହ୍ରାସ ପାଇବା ପରେ ସରକାର ଏକାଧିକ ପ୍ୟାକେଜ ଘୋଷଣା କରିଛନ୍ତି। କିନ୍ତୁ ଏସବୁର ସୁଫଳ ନିକଟ ଭବିଷ୍ୟତରେ ମିଳିବାର ସମ୍ଭାବନା ନାହିଁ ବୋଲି ଆଜି ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଆକଳନରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର