ସମଗ୍ର ବିଶ୍ୱ ପାଳୁଛି ୪ର୍ଥ ଆନ୍ତର୍ଜାତିକ ଯୋଗ ଦିବସ

ନୂଆଦିଲ୍ଲୀ: ସୁନ୍ଦର ସ୍ୱାସ୍ଥ୍ୟ ନିମନ୍ତେ ଯୋଗ ସାଧନା କରିବା ପାଇଁ ୪ର୍ଥ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଗୁରୁବାର ପ୍ରତ୍ୟୁଷରେ ବିଶ୍ୱବାସୀ ସେମାନଙ୍କ ଯୋଗ ମସିଣା ବିଛାଇଥିଲେ। ଡେରାଡୁନ୍‌ର ଫରେଷ୍ଟ୍‍ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଠାରେ ୫୦ ହଜାର ଯୋଗ ସାଧକଙ୍କ ଗହଣରେ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ନେତୃତ୍ୱ ନେଇଥିଲେ।

ଯୋଗସାନ ଦ୍ୱାରା ଅସୁମାରି ଉପକାର ମିଳେ ଏବଂ ବିଶ୍ୱକୁ ଏକତ୍ର କରିବା ନିମନ୍ତେ ଅନ୍ୟତମ ବଳିଷ୍ଠ ଶକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଯୋଗାସନ ଅଭ୍ୟାସ ପାଇଁ ବିଶ୍ୱବ୍ୟାପୀ କେତେଗୁଡ଼ିଏ ଯୋଗ ତାଲିମ କାର୍ଯ୍ୟକ୍ରମ, ଶିବିର, ସେମିନାର୍‌, କର୍ମଶାଳାର ଆୟୋଜନ କରାଯାଇଛି।

ଯୋଗ ଗୁରୁ ରାମଦେବଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ରାଜସ୍ଥାନର କୋଟା ଅନ୍ତର୍ଗତ ଆର୍‌ସି ଗ୍ରାଉଣ୍ଡ୍‌ରେ ଯୋଗାସନ ଅଭ୍ୟାସ କରିଛନ୍ତି। ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ସାମନାରେ ଯୋଗ ଦିବସ ପାଳନ କରିବାକୁ ବହୁ ଜନ ସମାଗମ ହୋଇଥିଲା। ମୁମ୍ବାଇର ମେରାଇନ୍‌ ଡ୍ରାଇଭ୍‌ ପ୍ରୋମେନେଡ୍‌ ଠାରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଓ୍ଵାଡ଼େକର ଯୋଗ ଅଧିବେଶନର ନେତୃତ୍ୱ ନେଉଛନ୍ତି।

ମୁମ୍ବାଇର ଏକ ଯୋଗ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ ମୁଖ୍ୟ ଅତିଥି ହୋଇଥିଲେ।

ଦେଶର ବିଭିନ୍ନ ସ୍ଥାନରେ କେତେକ କେନ୍ଦ୍ରମନ୍ତ୍ରୀ ଯୋଗ ଶିବିରର ନେତୃତ୍ୱ ନେଇଥିଲେ।

ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ଅନ୍ତଃସତ୍ତ୍ୱା ମହିଳାମାନଙ୍କ ପାଇଁ ଆୟୋଜିତ ଯୋଗ ଶିବିରରେ ଯୋଗ ଦେଇଥିଲେ। ଦୀନ ଦୟାଲ୍‌ ଉପାଧ୍ୟାୟ ପାର୍କ ଠାରେ ଆୟୋଜିତ ଶିବିରରେ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ଯୋଗ ଦେଇଥିଲେ।

୨୦୧୫ ମସିହା ଜୁନ୍‌ ୨୧ ତାରିଖ ଦିନ ବିଶ୍ୱରେ ପ୍ରଥମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୩୦ ହଜାର ସାଧକ ନୂଆଦିଲ୍ଲୀର ରାଜପଥ ଠାରେ ଯୋଗାସନ ଅଭ୍ୟାସ କରିଥିଲେ।

ସମ୍ବନ୍ଧିତ ଖବର