ଭାରତର ନୁହେଁ, ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ବିଶ୍ୱ ଚିନ୍ତିତ : ଆମେରିକା

ଓ୍ଵାସିଂଟନ : ଭାରତର ପରମାଣୁ କାର୍ଯ୍ୟକ୍ରମକୁ ନେଇ ବିଶ୍ୱର କୌଣସି ଦେଶ ଭୟଭୀତ ବା ଆତଙ୍କିତ ନାହାନ୍ତି । କାରଣ ଭାରତ ବିଶ୍ୱରେ କେବେ କାହାକୁ ନାଲିଆଖି ଦେଖାଇନାହିଁ ବୋଲି କହିଛି ଆମେରିକା । ଜାତିସଂଘରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ନିକ୍କି ହେଲି କହିଛନ୍ତି ଯେ ଭାରତ ବିଶ୍ୱରେ ଏକ ପ୍ରମୁଖ ପରମାଣୁ ଶକ୍ତିଧାରୀ ଦେଶ । କିନ୍ତୁ ଭାରତ ପାଇଁ କେହି ଚିନ୍ତିତ ନାହାନ୍ତି । କିନ୍ତୁ ପାକିସ୍ତାନ ପାଇଁ ସମଗ୍ର ବିଶ୍ୱ ଚିନ୍ତିତ, କାରଣ ଏହା ଆତଙ୍କବାଦର କେନ୍ଦ୍ରସ୍ଥଳୀ । ଆମେରିକା ଦକ୍ଷିଣ ଏସିଆରେ ଶାନ୍ତି ବଜାୟ ରହିବା ଚାହୁଁଛି, କିନ୍ତୁ ପାକିସ୍ତାନ ଏ କ୍ଷେତ୍ରରେ ଏକ ପ୍ରତିବନ୍ଧକ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏବେ ଭାରତ ଓ ଆମେରିକା ମଧ୍ୟରେ ଦୃଢ ଆର୍ଥିକ, କୂଟନୈତିକ ଓ ସାମାଜିକ ସଂପର୍କ ପ୍ରତିଷ୍ଠା ହୋଇପାରିଛି ।

ସୂଚନାଯୋଗ୍ୟ ଯେ ଭାରତ ଚଳିତ ବର୍ଷ ପୋଖରାନ ପରମାଣୁ ପରୀକ୍ଷାର ୨୦ ତମ ବାର୍ଷିକି ପାଳନ କରୁଛି । ୧୯୯୮ରେ ଭାରତ ରାଜସ୍ଥାନର ପୋଖରାନଠାରେ ୫ଟି ପରମାଣୁ ପରୀକ୍ଷଣ କରିଥିଲା । ଏହା ମଧ୍ୟରୁ ୪ଟି ପରମାଣୁ ବୋମା ଓ ୧ଟି ଥର୍ମୋନ୍ୟୁକ୍ଲିୟର ବା ହାଇଡ୍ରୋଜେନ ବୋମା ଥିଲା । ଭାରତ ଏହି ପରୀକ୍ଷଣ ଏକେ ଗୋପନୀୟ ଭାବେ କରିଥିଲା ଯେ ଆମେରିକାର ଉପଗ୍ରହ ଏହାକୁ ଧରିପାରିନଥିଲା । ଏହାକୁ ଆମେରିକାର ବିଖ୍ୟାତ ଗୁଇନ୍ଦା ସଂସ୍ଥା ସିଆଇଏର ଏକ ବଡ଼ ବିଫଳତା ବୋଲି କୁହାଯାଏ । ଭାରତର ଏହି ପରୀକ୍ଷଣ ପରେ ଆମେରିକା ଭାରତ ଉପରେ ଆର୍ଥିକ ଓ ପ୍ରଯୁକ୍ତିଗତ କଟକଣା ଲଗାଇଥିଲା । କିନ୍ତୁ ୟୁପିଏ ସରକାରଙ୍କ ଅମଳରେ ଭାରତ ଓ ଆମେରିକା ମଧ୍ୟରେ ବେସାମରିକ ପରମାଣୁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।

ସମ୍ବନ୍ଧିତ ଖବର