ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ସୂଚୀ :ଆଉ ଦୁଇ ସ୍ଥାନ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ: ଫ୍ରାନ୍ସର ରିପୋର୍ଟର୍ସର୍ ଉଇଥ୍‌ଆଉଟ ବୋଡର୍ସ (ଆର୍‌ଏସ୍‌ଏଫ୍‌) ପକ୍ଷରୁ ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ସୁଚୀ-୨୦୧୮ ପ୍ରକାଶ ପାଇଛି। ଏହି ତାଲିକାରେ ଭାରତ ଗତବର୍ଷ ଅପେକ୍ଷା ଆଉ ଦୁଇଟି ସ୍ଥାନ ତଳକୁ ଖସିଛି। ଗଣମାଧ୍ୟମକୁ ମିଳୁଥିବା ସ୍ୱାଧୀନତାରେ ଭାରତର ସ୍ଥିତି ବିଗତ ୪ବର୍ଷରେ ସବୁଠାରୁ ଖରାପ ଥିବା ଜଣାପଡ଼ିଛି। ୧୮୦ଟି ଦେଶକୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରେ ଗତବର୍ଷ ଭାରତ ୧୩୬ ସ୍ଥାନରେ ଥିବା ବେଳେ ଚଳିତବର୍ଷ ଭାରତ ୧୩୮ ସ୍ଥାନକୁ ଖସି ଆସିଛି। କେନ୍ଦ୍ର ସରକାର ଓ ବିଜେପି ନେତାଙ୍କ ଘୃଣା ମନ୍ତବ୍ୟକୁ ପ୍ରସାର କରୁଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ ଯୋଗୁଁ ଏହି ସୂଚୀରେ ଭାରତ ତଳକୁ ଖସିଥିବା ରିପୋର୍ଟରେ କୁହାଯାଇଛି।

ଏହାର ସବୁଠୁ ବଡ଼ ଉଦାହରଣ ବହୁ ଚର୍ଚ୍ଚତ ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ବୋଲି ରିପୋର୍ଟରେ କୁହାଯାଇଛି। ଉଲ୍ଳେଖଯୋଗ୍ୟ, ୨୦୧୩, ୨୦୧୪ ମସିହାରେ ଭାରତର ସ୍ଥାନ ଏହି ତାଲିକାରେ ୧୪୦ ଥିଲା। ଚଳିତବବର୍ଷର ଏହି ସୂଚୀରେ ପଡୋଶୀ ଦେଶ ପାକିସ୍ତାନ ଭାରତଠାରୁ ମାତ୍ର ଗୋଟିଏ ସ୍ଥାନ ତଳେ ଅର୍ଥାତ୍‌ ୧୩୯ ସ୍ଥାନରେ ରହିଛି। ଚଳିତବର୍ଷର ତାଲିକାରେ ବ୍ରିଟେନ ୪୦ତମ ସ୍ଥାନରେ ଥିବା ବେଳେ ଆମେରିକା ୪୫ତମ ସ୍ଥାନରେ ରହିଛି। ଗଣମାଧ୍ୟମ ସ୍ୱାଧୀନତାରେ ପ୍ରଥମ ୧୦ଟି ସ୍ଥାନରେ ଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ନରେଓ୍ଵ, ସ୍ୱିଡେନ, ନେଦଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡ, ଜାମାଇକା, ବେଳଜିୟମ, ନ୍ୟୁଜିଲ୍ୟାଣ୍ଡ, ଡେନମାର୍କ ଓ କୋଷ୍ଟାରିକା ରହିଛନ୍ତି।

ସମ୍ବନ୍ଧିତ ଖବର