ବିଶ୍ୱବ୍ୟାପୀ ନନ୍‌ଙ୍କୁ ଯୌନ ନିର୍ଯାତନା

‘ମି ଟୁ’ ଅଭିଯାନରେ ତଥ୍ୟ ପ୍ରଘଟ

ଭାଟିକାନ ସିଟି: ଯୌନ ନିର୍ଯାତନା ବିରୋଧରେ ଆରମ୍ଭ ହୋଇଥିବା ଅନ୍‌୍‌ଲାଇନ୍‌ ଅଭିଯାନ ‘ମି ଟୁ’ (ମୁଁ ମଧ୍ୟ)ରେ ଏବେ ନନ୍‌ ମଧ୍ୟ ସାମିଲ ହୋଇଛନ୍ତି। ଏସିଆ, ୟୁରୋପ, ଆଫ୍ରିକା ଏବଂ ଆମେରିକାରେ ଶହ ଶହ ନନ୍‌ ସେମାନଙ୍କ ପ୍ରତି ହୋଇଥିବା ଯୌନ ନିର୍ଯାତନା ବିରୋଧରେ ମୁହଁ ଖୋଲିଛନ୍ତି। ସେମାନଙ୍କ ପ୍ରତିବାଦର ସ୍ୱର ଏବଂ ନ୍ୟାୟ ପାଇଁ ସଂଘର୍ଷ ଏବେ ରୋମାନ୍‌ କ୍ୟାଥୋଲିକ୍‌ ଚର୍ଚ୍ଚର ମୁଖ୍ୟାଳୟ ଭାଟିକାନ ପର୍ଯ୍ୟନ୍ତ ପହଞ୍ଚିଛି। ବିଭିନ୍ନ ଚର୍ଚ୍ଚରେ ପାଦ୍ରୀମାନଙ୍କ ଦ୍ୱାରା ଘଟାଯାଉଥିବା ଯୌନ ଅପରାଧ ଏବେ ପଦାରେ ପଡ଼ିଯାଇଥିଲେ ମଧ୍ୟ ସେମାନଙ୍କ କୁକର୍ମ ପାଇଁ ଅଦ୍ୟାବଧି ଦଣ୍ଡ ବିଧାନ ହୋଇପାରୁ ନାହିଁ। ମି ଟୁ ଅଭିଯାନରେ ସାମିଲ ହୋଇଥିବା ଜଣେ ନନ୍‌୍‌ କହିଛନ୍ତି ଏକ ଆଧ୍ୟାତ୍ମ ବିଶ୍ୱବିଦ୍ୟାଳୟ ଶ୍ରେଣୀକକ୍ଷରେ ଇଟାଲୀର ଜଣେ ପାଦ୍ରୀ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ସେହି ସମୟରେ ସିଷ୍ଟର୍‌ ତାଙ୍କ ସହିତ ଘଟିଥିବା ଘଟଣା ସଂପର୍କରେ ତାଙ୍କର ଆଧ୍ୟାତ୍ମିକ ନିର୍ଦ୍ଦେଶକଙ୍କୁ ଜଣାଇଥିଲେ। ତେବେ କ୍ୟାଥୋଲିକ୍‌୍‌ ଚର୍ଚ୍ଚର ଗୋପନୀୟତା ସଂସ୍କୃତି, ସଂକଳ୍ପ ଏବଂ ପ୍ରତିଷ୍ଠାକୁ ଦୃଷ୍ଟିରେ ରଖି ଏହାକୁ ଚାପି ଦିଆଯାଇଛି । ଭାରତରେ ମଧ୍ୟ ନିଟକରେ ଜଣେ ନନ୍‌ ବିସପ୍‌୍‌ଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ପୁଲିସରେ ଏତଲା ଦେଇଛନ୍ତି। ଏଭଳି ଘଟଣା ସଂପର୍କରେ ବର୍ଷକ ତଳେ କେହି ଚିନ୍ତା କରିନଥିବା ବେଳେ ଏବେ ଏହା ନିତିଦିନିଆ ଘଟଣା ପାଲଟିଗଲାଣି। ପାଦ୍ରୀମାନଙ୍କ ଦ୍ୱାରା ବାରମ୍ବାର ଦୁଷ୍କର୍ମର ଶିକାର ହୋଇ ଅନେକ୍‌ ନନ୍‌୍‌ ଗର୍ଭବତୀ ହେଉଛନ୍ତି ଏବଂ ଗର୍ଭପାତ ପାଇଁ ମଧ୍ୟ ସେମାନେ ବହୁ ହଟହଟାର ଶିକାର ହେଉଛନ୍ତି। ଚର୍ଚ୍ଚ ନେତୃତ୍ୱର ଅପାରଗତା ଯୋଗୁଁ ସିଷ୍ଟର୍‌ମାନେ ଏବେ ସେମାନଙ୍କ ପ୍ରତି ହେଉଥିବା ଯୌନ ଅତ୍ୟାଚାର ନେଇ ‘ମି ଟୁ’ ଅଭିଯାନରେ ତଥ୍ୟ ପ୍ରଘଟ କରୁଛନ୍ତି। ଆମେରିକାରେ ଅନେକ ପାଦ୍ରୀଙ୍କ ଦୁଷ୍କର୍ମ ମାମଲା ଲୋକଲୋଚନକୁ ଆସିବା ସତ୍ତ୍ୱେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନଜିର ନାହିଁ। ଚଳିତ ସପ୍ତାହରେ ପ୍ରାୟ ୮ ଜଣ ନନ୍‌୍‌ ଭାଟିକାନ୍‌ର ଏକ ଧାର୍ମିକ ସଭାରେ ଜାତୀୟ ଟେଲିଭିଜନ୍‌ ଚ୍ୟାନେଲରେ ପାଦ୍ରୀମାନଙ୍କ ଅପକର୍ମ ସଂପର୍କରେ ଖୋଲାଖୋଲି ବୟାନ ଦେଇଥିଲେ। ତେବେ ସେମାନଙ୍କ ବରିଷ୍ଠମାନେ ଅଭିଯୁକ୍ତ ପାଦ୍ରୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଘୋଷଣା କରିଥିବା ନଜିର ନାହିଁ। ଭାଟିକାନ୍‌ ଏଭଳି ମାମଲାକୁ କେଉଁ ଦୃଷ୍ଟିରେ ଦେଖୁଛି ଏବଂ ପୀଡ଼ିତାଙ୍କୁ ନ୍ୟାୟ ଦେବାପାଇଁ କିଭଳି ପଦକ୍ଷେପ ନେଉଛି ସେ ସଂପର୍କରେ କିଛି ତଥ୍ୟ ସ୍ପଷ୍ଟ ହେଉନାହିଁ। ଜଣେ ଅଧିକାରୀ କହିଛନ୍ତି ଯେ ଚର୍ଚ୍ଚ କର୍ତ୍ତୃପକ୍ଷ ଅଭିଯୁକ୍ତ ପାଦ୍ରୀମାନଙ୍କୁ ନିଷିଦ୍ଧ ଘୋଷଣା କରିବା ପାଇଁ ପଦକ୍ଷେପ ନେବା ଉଚିତ। ତେବେ କୋର୍ଟ କଚେରୀରେ ଏହି ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ଅତ୍ୟନ୍ତ କଷ୍ଟକର ହୋଇଯାଉଛି ବୋଲି ସେ କହିଛନ୍ତି। ଆଫ୍ରିକାର ବିଭିନ୍ନ ରାଷ୍ଟ୍ରରେ ପାଦ୍ରୀଙ୍କ ଦ୍ୱାରା ଶତାଧିକ ଯୌନ ଶୋଷଣ ମାମଲା ଏବେ ଚର୍ଚ୍ଚାରେ ରହିଛି ଏବଂ ଏ ନେଇ ଭାଟିକାନ୍‌ର ଆଭିମୁଖ୍ୟ କ’ଣ ହେବ ତାହାକୁ ଅପେକ୍ଷା କରାଯାଇଛି। ଭାରତରେ ଗତମାସରେ ଜଣେ ସିଷ୍ଟର ଥାନାରେ ଦେଇଥିବା ଏତଲାରେ ଦର୍ଶାଇଥିଲେ ଯେ ସେ କେରଳର ଏକ ଚର୍ଚ୍ଚ ସହିତ ସଂପୃକ୍ତ ହେବାପରେ ସେଠାରେ ଥିବା ପାଦ୍ରୀ ତାଙ୍କୁ ୨୦୧୪ରେ ଦୁଷ୍କର୍ମ କରିଥିଲେ ଏବଂ ପରବର୍ତ୍ତୀ ୨ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଯୌନ ଶୋଷଣ କରାଯାଇଥିଲା। ତେବେ ଅଭିଯୁକ୍ତ ପାଦ୍ରୀ ଏ ବାବଦ ଅଭିଯୋଗକୁ ଖଣ୍ଡନ କରି ଓଲଟା ନନ୍‌୍‌ଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର